Dhenkanal crime: ଆଇନକୁ ହାତକୁ ନେଲେ ଗାଁ ଲୋକେ! ଦୁଷ୍କର୍ମ ଅଭିଯୁକ୍ତକୁ ପିଟିପିଟି ମାରିଦେଲେ
୭ ବର୍ଷର ଶିଶୁ ସହ କରିଥିଲା ଦୁଷ୍କର୍ମ।
ଅଭିଯୁକ୍ତକୁ ପିଟିପିଟି ମାରିଲେ ଗ୍ରାମବାସୀ।
ଆଇନକୁ ହାତକୁ ନେଇ ମିଳିମିଶି ଦେଲେ ଦଣ୍ଡ ।
ସାତ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗକୁ ନେଇ ଢେଙ୍କାନାଳରେ ଉତ୍ତେଜନା ।
ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗାଁ ଲୋକେ ଧରିବା ପରେ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଏତେ ମାତ୍ରାରେ ଆକ୍ରମଣ କରାଯାଇଥିଲା ଯେ, ପୋଲିସ ଉଦ୍ଧାର କରିବା ବେଳକୁ ଯୁବକଙ୍କ ଅବସ୍ଥା ଗୁରୁତର ଥିଲା ।
ଶେଷରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି ।
ଏପଟେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗର ତଦନ୍ତ ସହ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାର ମଧ୍ୟ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଘଟଣାଟି ଢେଙ୍କାନାଳ ସଦର ଥାନା ଅଞ୍ଚଳର ।
ମୃତ ଯୁବକ ହେଉଛନ୍ତି ଇନ୍ଦିପୁର ଗାଁର ୩୦ ବର୍ଷୀୟ ଜିତେନ୍ଦ୍ର ପ୍ରଧାନ ।
ଅଭିଯୋଗ ଅନୁସାରେ, ଜିତେନ୍ଦ୍ର ୭ ବର୍ଷର ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ ।
ଏହା ଜଣାପଡ଼ିବା ପରେ ଶିଶୁର ବାପା ଓ ମାମୁଁ ତାଙ୍କୁ ଏକ ଘରେ ବାନ୍ଧି ରଖିଥିଲେ ।
ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଖବର ପାଇ ସଦର ଥାନା ପୋଲିସ ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା ।
ପ୍ରାୟ ଏକ ଘଣ୍ଟା ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଯୁବକଙ୍କ ମୃତ୍ୟୁ ପରେ ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।
ପ୍ରାଥମିକ ପର୍ଯ୍ୟାୟରେ ଶିଶୁକନ୍ୟାର ବାପା ଓ ମାମୁଁଙ୍କୁ ଗିରଫ କରାଯାଇଛି ।
ଉଭୟ ମାମଲାର ନିରପେକ୍ଷ ତଦନ୍ତ ହେବ ବୋଲି କହିଛନ୍ତି ଢେଙ୍କାନାଳ ଏସ୍ପି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
