Dhanu yatra: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ନୂତନ ମହାରାଜା କଂସ ହେଲେ ଗୋଲାପ ଚନ୍ଦ୍ର ଦାସ
ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ଐତିହାସିକ ବରଗଡ଼ ଧନୁଯାତ୍ରା ମହୋତ୍ସବର ୭୯ତମ ସଂସ୍କରଣ ପାଇଁ ନୂତନ ମହାରାଜା କଂସ ଭାବେ ଗୋଲାପ ଚନ୍ଦ୍ର ଦାସ ମନୋନୀତ ହୋଇଛନ୍ତି।
ଆଜି ବରଗଡ଼ଠାରେ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କଂସ ଚୟନ ପ୍ରକ୍ରିୟାରେ ବିଚାରକ ମଣ୍ଡଳୀ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ଭୂମିକା ପାଇଁ ଚୂଡ଼ାନ୍ତ କରିଛନ୍ତି।
Advertisment ଚଳିତ ବର୍ଷ ୭୯ତମ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
ଗତ ନଭେମ୍ବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା, ଯେଉଁଥିରେ ମୋଟ ୪୪ ଜଣ କଳାକାର ଆବେଦନ କରିଥିଲେ।
ଆଜି ଅନୁଷ୍ଠିତ ଚୂଡ଼ାନ୍ତ ଅଡିସନ୍ ବା ଚୟନ ପର୍ବରେ ମୋଟ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗୀମାନଙ୍କର ଶାରୀରିକ ଗଠନ, ଉଚ୍ଚତା, ବଳିଷ୍ଠ କଣ୍ଠସ୍ୱର, ସଂଳାପ ଉଚ୍ଚାରଣ ଶୈଳୀ, ଅଭିନୟ ଦକ୍ଷତା ଏବଂ ପୌରାଣିକ ଜ୍ଞାନକୁ ଆଧାର କରି ବିଚାରକ ମଣ୍ଡଳୀ ମୂଲ୍ୟାଙ୍କନ କରିଥିଲେ।
ସମସ୍ତ ମାପଦଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଲାପ ଚନ୍ଦ୍ର ଦାସ ନୂତନ ମହାରାଜା କଂସ ଭାବେ ନିର୍ବାଚିତ ହୋଇଛନ୍ତି।
Dhanu Yatra: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର 'କଂସ' ପାଇଁ କଳାକାର ଚୟନ ପ୍ରକ୍ରିୟା ଜାରି, ଭାଗ ନେଇଛନ୍ତି ୪୨ ପ୍ରାର୍ଥୀ ଗୋଲାପ ଚନ୍ଦ୍ର ଦାସ ବରଗଡ଼ ଧନୁଯାତ୍ରା ମଞ୍ଚ ପାଇଁ କୌଣସି ନୂଆ ମୁହଁ ନୁହଁନ୍ତି।
ପୂର୍ବରୁ ସେ ଧନୁଯାତ୍ରାର ରାଜଦରବାରରେ 'ମହାମନ୍ତ୍ରୀ' ଭୂମିକାରେ ଅତ୍ୟନ୍ତ ନିଖୁଣ ଓ ପ୍ରଭାବଶାଳୀ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ।
ମହାମନ୍ତ୍ରୀ ଭାବେ ତାଙ୍କର ଦୀର୍ଘ ଅଭିଜ୍ଞତା, ମଞ୍ଚ ପରିଚାଳନା ଜ୍ଞାନ ଏବଂ ଦମ୍ଦାର ସଂଳାପ ପ୍ରକ୍ଷେପଣ ଶୈଳୀ ଏଥର ମହାରାଜା କଂସ ଚରିତ୍ରକୁ ଏକ ନୂତନ ଶିଖରକୁ ନେବ ବୋଲି ମହୋତ୍ସବ ସମିତି ଓ କଳାପ୍ରେମୀମାନେ ଆଶା ପ୍ରକଟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
