19 AUGUST 2026

Welcome!

Unlock your personalized experience.
Sign Up
block-728

DGP appointment? ଡିଜିପି ନିଯୁକ୍ତିରେ କେଁ: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ଯୁକ୍ତି ରଖିଲେ ଚିଦାମ୍ବରମ

Aug 12, 2026 - 02:59
DGP appointment? ଡିଜିପି ନିଯୁକ୍ତିରେ କେଁ: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ଯୁକ୍ତି ରଖିଲେ ଚିଦାମ୍ବରମ

ଭୁବନେଶ୍ୱର: ନୂଆ ଡିଜିପି ନିଯୁକ୍ତି ‌ଯେତିକି ରୋଚକ ହେଉଛି ସେତିକି ବିବାଦୀୟ ହେଉଛି। ବରିଷ୍ଠତା ତାଲିକାରୁ ଜଣଙ୍କୁ ବାଦ୍ ଦେବା ଓ ଅନ୍ୟ ଜଣଙ୍କୁ ଯୋଡ଼ିବା ପାଇଁ ସରକାରୀ ସ୍ତର‌ରେ କସରତ ଏବେ ନାଟକୀୟ ମୋଡ଼ ନେଇଛି। ଆସନ୍ତା ୧୩ ତାରିଖରେ ନୂଆଦିଲ୍ଲୀରେ ୟୁପିଏସ୍‌ସି ଚୟନ କମିଟିର ବୈଠକ ପାଇଁ ଯୋଜନା ହେଉଥିବା ବେଳେ ପ୍ରସଙ୍ଗଟି ସୁପ୍ରିମକୋର୍ଟକୁ ଗଲାଣି। ଏ ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାର ଜରୁରି ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏଥିସହିତ ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଆଇନଗତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଛି। ପୂରା ପ୍ରକ୍ରିୟାଟି କେଉଁ ମୋଡ଼ ନେଉଛି, ତାହା ଆସନ୍ତାକାଲି ଜଣାପଡ଼ିବ। 

Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର

ଗତକାଲି ୧୯୯୪ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପରେ ରାଜ୍ୟ ପୁଲିସ ମୁଖିଆ ଚୟନ ପାଇଁ ବାଟ ଫିଟିଥିଲା। ପୂର୍ବରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍‌ପି କୋଚେଙ୍କ ନାମ ଆଗରେ ଥିଲା। ସୁଶାନ୍ତ ନାଥଙ୍କ ନାମ ବାଦ୍‌ ପକାଇ ସରକାର ସଞ୍ଜୀବ ପଣ୍ଡାଙ୍କ ନାମ ଆଗକୁ ଆଣିଥିଲେ। ଶ୍ରୀ ପଣ୍ଡା ହିଁ ସରକାରଙ୍କ ପ୍ରଥମ ପସନ୍ଦ ହୋଇଥିବାରୁ ତାଙ୍କ ନାମ ଚର୍ଚ୍ଚାରେ ସବୁଠାରୁ ଆଗରେ ରହିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ‌ହୋଇଛି। ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ଏହି ମାମଲା ଲଢ଼ୁଛନ୍ତି। ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
ଶ୍ରୀ ଚିଦାମ୍ବରମ ଅଭିଯୋଗରେ ଦର୍ଶାଇଛନ୍ତି, ଓଡ଼ିଶା ସରକାର ଡିଜିପି ଚୟନ ପାଇଁ ଏକ ନୂଆ ପ୍ୟାନେଲ୍ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜି ପଦ ପାଇଁ ମନୋନୀତ କରିବାକୁ ଉଦ୍ୟମ ଚାଲିଛି। ଏହା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ। ପ୍ରସଙ୍ଗଟି ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଏଇଥିପାଇଁ ଯେ ସୁପ୍ରିମକୋର୍ଟ ପୂର୍ବରୁ ପ୍ରକାଶ ସିଂହ ମାମଲାରେ ତାଙ୍କ ମତ ସ୍ପଷ୍ଟ କରିସାରିଛନ୍ତି। ୨୦୦୬ର ଏହି ଐତିହାସିକ ରାୟରେ ରାଜ୍ୟଗୁଡ଼ିକରେ ଡିଜିପି ନିଯୁକ୍ତି ପାଇଁ ଅତ୍ୟନ୍ତ ସ୍ପଷ୍ଟ ପ୍ରକ୍ରିୟା ଓ ନିୟମ ଧାର୍ଯ୍ୟ କରାଯାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପ୍ୟାନେଲ୍‌ଭୁକ୍ତ ଯୋଗ୍ୟ ଅଧିକାରୀମାନଙ୍କ ମଧ୍ୟରୁ ରାଜ୍ୟ ସରକାର ଡିଜିପି ବାଛିବେ। ପ୍ୟାନେଲ୍ ପ୍ରସ୍ତୁତିରେ ଅଧିକାରୀଙ୍କ ଲମ୍ବା ଚାକିରି ସମୟ, ଅତ୍ୟନ୍ତ ଭଲ ସେବା ରେକର୍ଡ ଓ ପୁଲିସ ବାହିନୀକୁ ନେତୃତ୍ୱ ଦେବାର ବ୍ୟାପକ ଅଭିଜ୍ଞତା ଭଳି ବିଷୟ ବିଚାରକୁ ନିଆଯିବ ବୋଲି ସର୍ବୋଚ୍ଚ ଅଦାଲତ ସେବେ‌ ଦର୍ଶାଇଥିଲେ।

Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

ଚିଦାମ୍ବରମଙ୍କ ଯୁକ୍ତି ଅନୁସାରେ, ଓଡ଼ିଶା ସରକାର ଏପ୍ରିଲରେ ୟୁପିଏସ୍‌ସି ନିକଟକୁ ଏକ ତାଲିକା ପଠାଇଥିଲେ। ପରେ ମେ’ରେ ଆଉ ଏକ ତାଲିକା ପଠାଇଥିଲେ। ଦ୍ୱିତୀୟ ପ୍ୟାନେଲ୍‌ଭୁକ୍ତ ତାଲିକାରେ ୩ ଜଣ ଡିଜିପି ସ୍ତରର ଅଧିକାରୀଙ୍କ ସହ ୮ ଜଣ ଏଡିଜିପିଙ୍କ ନାମ ରହିଛି। ଅଗଷ୍ଟ ୭ରେ ୟୁପିଏସ୍‌ସି ବୈଠକରେ କେବଳ ଡିଜିପି ପାହ୍ୟାର ଅଧିକାରୀଙ୍କୁ ବିଚାରକୁ ନିଆଯିବ ବୋଲି ଜଣାଇବା ପରେ ରାଜ୍ୟ ସରକାର ତାଲିକା ପ୍ରତ୍ୟାହାର କରିଥିଲେ। ମାମଲା ଉପସ୍ଥାପନ ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଥିଲେ ଯେ କେଉଁ ଅଧିକାରୀ ଯୋଗ୍ୟ ଏବଂ କେଉଁ ଅଧିକାରୀଙ୍କୁ ଚୟନ ପାଇଁ ବିଚାର କରାଯାଇପାରିବ, ସେ ସମ୍ପର୍କରେ ୟୁପିଏସ୍‌ସି ଅବଗତ ଅଛି। ଯଦି ଅଯୋଗ୍ୟ ଅଧିକାରୀଙ୍କ ତାଲିକା ପଠାଯାଏ, ତେବେ ୟୁପିଏସ୍‌ସି ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି। ବୁଧବାର ଶୁଣାଣିରେ ସୁପ୍ରିମକୋର୍ଟ ମୁଖ୍ୟତଃ ଦୁଇଟି ବିଷୟ ଉପରେ ନଜର ରଖିପାରନ୍ତି। ଓଡ଼ିଶା ସରକାର ଯେଉଁ ତାଲିକା ୟୁପିଏସ୍‌ସିକୁ ପଠାଇଛନ୍ତି ସେଥିରେ ଯୋଗ୍ୟ ଡିଜିପି ପାହ୍ୟାର ଅଧିକାରୀ ରହିଛନ୍ତି କି ନାହିଁ ଏବଂ ପ୍ରକାଶ ସିଂହ ରାୟ ଓ ପରବର୍ତ୍ତୀ ସୁପ୍ରିମକୋର୍ଟ ନିର୍ଦ୍ଦେଶର ଅନୁପାଳନ ହୋଇଛି କି ନାହିଁ, ତାହା ସର୍ବୋଚ୍ଚ ଅଦାଲତ ଯାଞ୍ଚ କରିପାରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media