02 NOVEMBER 2026

Welcome!

Unlock your personalized experience.
Sign Up

Delhi rally: ଦିଲ୍ଲୀ ରାଲିରେ ଗର୍ଜିଲେ ରାହୁଲ: ଜ୍ଞାନେଶଙ୍କୁ ଜେଲ୍‌ ଯିବାକୁ ହେବ

Nov 02, 2026 - 02:53
Delhi rally: ଦିଲ୍ଲୀ ରାଲିରେ ଗର୍ଜିଲେ ରାହୁଲ: ଜ୍ଞାନେଶଙ୍କୁ ଜେଲ୍‌ ଯିବାକୁ ହେବ

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ  ଇଣ୍ଡି ମେଣ୍ଟର ଏକ ବିଶାଳ ରାଲିରେ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପଦରୁ ହଟାଇ ତାଙ୍କୁ ଜେଲ୍‌ ପଠାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଭିଏମ୍‌ ଏବଂ ଭୋଟର ପରିଚୟପତ୍ର ତାଲିକାରେ ହେରଫେର କରି ଭୋଟ ଚୋରି କରାଯାଇଛି। ଏହି ଭୋଟ ଚୋରି କୌଣସି ସାଧାରଣ ଚୋରି ନୁହେଁ, ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ମତ ଚୋରି ଏବଂ ଏହା ଦେଶଦ୍ରୋହ  ବୋଲି ରାହୁଲ କହିଛନ୍ତି।

ଜ୍ଞାନେଶ କୁମାରଙ୍କ ବିନା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିମ୍ବା ଅମିତ ଶାହ ଗୃହମନ୍ତ୍ରୀ ହୋଇ ପାରିନଥାନ୍ତେ। ଏଥିପାଇଁ ଜ୍ଞାନେଶଙ୍କୁ ଜେଲ୍‌ ଯିବାକୁ ହେବ ବୋଲି ବୋଲି ଦୃଢ଼ୋକ୍ତି ପ୍ରକାଶ କରି ରାହୁଲ କହିଛନ୍ତି, ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ ୨୦୨୪ ନିର୍ବାଚନ ପରେ ୧୫ ପ୍ରତିଶତ ଭୋଟରଙ୍କୁ ବାଦ୍‌ ଦିଆଯାଇଛି। ଗତ ନିର୍ବାଚନରେ ମେଣ୍ଟ ଓ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମଧ୍ୟରେ ମାତ୍ର ୩ ପ୍ରତିଶତର ବ୍ୟବଧାନ ଥିଲା, ତେଣୁ ଏହି ନିର୍ବାଚନ ସମ୍ପୂର୍ଣ୍ଣ ବେଆଇନ ଥିଲା ବୋଲି ସେ ଦାବି କରିଛନ୍ତି। ଆର୍‌ଏସ୍‌ଏସ୍‌ ଦେଶର ଶିକ୍ଷାଠାରୁ ଆରମ୍ଭ କରି ତଦନ୍ତକାରୀ ସଂସ୍ଥା ପର୍ଯ୍ୟନ୍ତ ସମସ୍ତ ସାମ୍ବିଧାନିକ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଛି, ଯାହାଫଳରେ ଚାଷୀ, ଶ୍ରମିକ ଓ ଯୁବକମାନେ ନିଜର ଅଧିକାର ପାଉନାହାନ୍ତି। ସମସ୍ତଙ୍କୁ ସମାନ ଅଧିକାର ମିଳୁଥିବା ଏକ ଭାରତ ଗଠନ ଆମର ଲକ୍ଷ୍ୟ। ବିଜେପି ଅର୍ଥ ବଳରେ ଗଣତନ୍ତ୍ର ଓ ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସମ୍ବିଧାନ ସବୁଠାରୁ ଉପରେ ବୋଲି ରାହୁଲ ପ୍ରକାଶ କରିଛନ୍ତି।

୨୦୨୪ ଲୋକସଭା ନିର୍ବାଚନ ବେଆଇନ
ଇଭିଏମ୍‌ ଓ ଭୋଟର ତାଲିକା ଜରିଆରେ ବ୍ୟାପକ ଭୋଟ ଚୋରି ଅଭିଯୋଗ 
ମୋଦୀ ସରକାରକୁ ହଟାଇବାକୁ ଖଡ଼ଗେଙ୍କ ଆହ୍ବାନ

ଏହି ସମାବେଶରେ କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, କେନ୍ଦ୍ର ସମେତ ମହାରାଷ୍ଟ୍ର, ବିହାର ଏବଂ ଉତ୍ତର ପ୍ରଦେଶର ବିଜେପି ସରକାର ଭୋଟ ଚୋରି କରି କ୍ଷମତାକୁ ଆସିଛନ୍ତି। ଜନସାଧାରଣ ସେମାନଙ୍କୁ ନିର୍ବାଚିତ କରିନାହାନ୍ତି, ବରଂ ସେମାନେ ନିଜେ ନିଜକୁ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇଲେ ହିଁ ଦେଶରେ ଗଣତନ୍ତ୍ର ବଞ୍ଚି ରହିବ।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ବିରୋଧରେ ଆୟୋଜିତ ଏହି ରାଲିରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଏମ୍‌ସି  ମୁଖ୍ୟ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ  ଇଣ୍ଡି ମେଣ୍ଟର ବହୁ ଶୀର୍ଷ ନେତା ସାମିଲ ହୋଇଥିଲେ। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମର୍ଥକମାନେ ମିଣ୍ଟୋ ରୋଡ୍‌-କନ୍ନଟ ପ୍ଲେସ୍ ଛକରୁ ବାହାରି ରାମଲୀଲା ମୈଦାନ ପର୍ଯ୍ୟନ୍ତ ‘ଚଲୋ ଦିଲ୍ଲୀ’ ପ୍ରତିବାଦ ପଦଯାତ୍ରା କରିଥିଲେ। ଏହାପୂର୍ବରୁ ଗତକାଲି ରାଜଧାନୀରେ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଏକ ପ୍ରତୀକାତ୍ମକ ମହାଭିଯୋଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)