02 NOVEMBER 2026

Welcome!

Unlock your personalized experience.
Sign Up

Chief Minister: ୧୮ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: ଅନିୟମିତତାକୁ ବରଦାସ୍ତ କରାଯିବନି

Nov 02, 2026 - 02:53
Chief Minister: ୧୮ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: ଅନିୟମିତତାକୁ ବରଦାସ୍ତ କରାଯିବନି

ଭୁବନେଶ୍ବର: କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଖାଲିଥିବା ସରକାରୀ ପଦବିଗୁଡ଼ିକ ପର୍ଯ୍ୟାୟକ୍ରମେ ପୂରଣ ହେଉଛି। ୨୦୨୪ ଜୁନ୍‌ରୁ ଆରମ୍ଭ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ଆଜିର ୧,୯୧୩ ଜଣ ସେବକ-ସେବିକା ଓ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମିଶାଇ ମୋଟ ୪୮,୬୪୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରାଥମିକ ବିଦ୍ୟାଳୟରୁ ହାଇସ୍କୁଲ ପର୍ଯ୍ୟନ୍ତ କେବଳ ୨୮,୬୯୩ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ରହିଛନ୍ତି। ଆସନ୍ତା ତିନି ବର୍ଷ ମଧ୍ୟରେ ଆଉ ୨୫ ହଜାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ପୂର୍ବ ସରକାରଙ୍କ ସମୟରେ ଚାଲିଥିବା ଠିକା ଓ ଆଉଟସୋର୍ସିଂ ବ୍ୟବସ୍ଥାର ଅନ୍ତ ଘଟାଇ ଆମ ସରକାର ନିଯୁକ୍ତିକୁ ସମ୍ପୂର୍ଣ୍ଣ ସ୍ଥାୟୀ ତଥା ନିୟମିତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ୧୮ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Education: ବିଜେଇଏମ୍ ସ୍କୁଲ୍-୨ରେ ‘ସୃଜନ ସଙ୍ଗମ’ ବାର୍ଷିକ ପ୍ରଦର୍ଶନୀ

ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ୨,୦୬୭ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଦକ୍ଷତା ବିକାଶ ଓ ନିଯୁକ୍ତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଆମ ସରକାରଙ୍କ ପ୍ରାଥମିକତା। ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦% ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବାରୁ ସେମାନଙ୍କ ଶିକ୍ଷାଗତ ମାନବୃଦ୍ଧି ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଜାତୀୟ ଶିକ୍ଷାନୀତି-୨୦୨୦ ରାଜ୍ୟରେ ଲାଗୁ କରିବାରେ ପୂର୍ବ ସରକାର ବିଳମ୍ବ କରିଥିବାରୁ ଓଡ଼ିଶାର ପିଲାମାନେ ପଛରେ ପଡ଼ିଥିଲେ। ଆମ ସରକାର କ୍ଷମତାକୁ ଆସିବା କ୍ଷଣି ଶିକ୍ଷା ନୀତି ଅନୁଯାୟୀ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାରେ ସାନ୍ତାଳୀ ସମେତ ୧୦ଟି ଆଦିବାସୀ ଭାଷାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ହେଉଛି। ଏହାବ୍ୟତୀତ ଡ୍ରପ୍ ଆଉଟ୍ ହାର ରୋକିବାକୁ ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୬୯କୁ ବୃଦ୍ଧି, ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ଆରମ୍ଭ କରାଯାଇଛି।

ଏସ୍‌ଟି ଓ ଏସ୍‌ସି ବିଭାଗର ୨,୦୬୭ ଜଣଙ୍କୁ  ନିଯୁକ୍ତିପତ୍ର ବଣ୍ଟନ
ଅଢ଼େଇ ବର୍ଷରେ ନିଯୁକ୍ତି 
ପାଇଛନ୍ତି ୪୮,୬୪୨
ଆସନ୍ତା ୩ ବର୍ଷରେ ନିଯୁକ୍ତି   ପାଇବେ ୨୫ ହଜାର ଶିକ୍ଷକ

Horoscope 2026 November 2: ଜାଣନ୍ତୁ ଆଜିର ରାଶିଫଳ

ନବନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ବିଦ୍ୟାଳୟରେ ପିଲାଙ୍କ ମନରେ ସୁରକ୍ଷା ଓ ଆତ୍ମବିଶ୍ୱାସର ଭାବ ଜାଗ୍ରତ କରନ୍ତୁ। କଠିନ ନ ହୋଇ ଜଣେ ଆଦର୍ଶ ବନ୍ଧୁ ଭ‌ବେ ସେମାନଙ୍କ ମାର୍ଗଦର୍ଶନ କରାନ୍ତୁ। କାର୍ଯ୍ୟକ୍ଷେତ୍ରର ବିଭିନ୍ନ ଆହ୍ୱାନକୁ ଧୈର୍ଯ୍ୟ, ନିଷ୍ଠା ଓ ସକାରାତ୍ମକ ମନୋଭାବ ସହ ସମାଧାନ କରନ୍ତୁ। ‘କର୍ମ ହିଁ ଭଗବାନ’ ନୀତିକୁ ଆପଣାଇ ନିୟମିତତା ବଜାୟ ରଖନ୍ତୁ। ମଧ୍ୟାହ୍ନଭୋଜନ ଭଳି ଯୋଜନାରେ କୌଣସିପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ। ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ। ଶିକ୍ଷକତା ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଥିବା ମଦ୍ୟପାନ କିମ୍ବା ଶିକ୍ଷାର୍ଥୀଙ୍କ ପ୍ରତି ଅମାନବିକ ଦଣ୍ଡବିଧାନ ଭଳି ବିଶୃଙ୍ଖଳିତ ଆଚରଣରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ଏହା ଏକ ସେବା ବୋଲି କହିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ତ୍ତବ୍ୟ ସମ୍ପାଦନ ସମୟରେ ଅତ୍ୟନ୍ତ ସଚେତନ ଓ ଯତ୍ନବାନ ହେବାକୁ ନବନିଯୁକ୍ତ ଶିକ୍ଷକ ଓ ସେବକ, ସେବିକାଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଖୋର୍ଦ୍ଧାର ସୁଲଗ୍ନା ଦାସ, କେନ୍ଦୁଝରର ବିଜୟ କୁମାର ନାୟକ ନିଯୁକ୍ତି ପ୍ରକ୍ରିୟାର ଅଭିଜ୍ଞତା ବାଣ୍ଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ବାବୁ ସିଂ, ଉନ୍ନୟନ କମିସନର ଡିକେ ସିଂହ ଉପସ୍ଥିତ ଥିଲେ। ବିଭାଗୀୟ ଶାସନ ସଚିବ ବି. ପରମେଶ୍ୱରନ ସ୍ୱାଗତ ଭାଷଣ ଓ ସ୍ୱତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର ଧନ୍ୟବାଦ‌ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)