Dawood Ibrahim's Aide Killed in Encounter: ଏନକାଉଣ୍ଟରରେ ଟଳିଲା ଦାଉଦର ସହଯୋଗୀ ନାସିମ୍, ଛୋଟା ଶକିଲ୍ର ଥିଲା ଖାସ୍ ଲୋକ
ଦିଲ୍ଲୀରେ ଗ୍ୟାଙ୍ଗୱାର୍ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ନାସିମ୍ ଦୁରାନୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି।
ଦିଲ୍ଲୀ ପୋଲିସ ଓ ନୋଏଡା ସ୍ପେଶାଲ ଟାସ୍କ ଫୋର୍ସ (STF)ର ମିଳିତ ଅପରେସନରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ତାକୁ ଏନକାଉଣ୍ଟର କରାଯାଇଛି।
୩୭ ବର୍ଷୀୟ ନାସିମ୍ ଦୁରାନୀ ଦାଉଦ୍ ଇବ୍ରାହିମ୍ର D-କମ୍ପାନୀ ସହ ଜଡ଼ିତ ଥିବା ଅଭିଯୋଗ ରହିଥିଲା।
ତା' ବିରୋଧରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିଲା।
Advertisment ଚଳିତ ସପ୍ତାହରେ ଦିଲ୍ଲୀର ଆଇନମନ୍ତ୍ରୀ କପିଲ ମିଶ୍ରଙ୍କ କାର୍ଯ୍ୟାଳୟ ନିକଟରେ ହୋଇଥିବା ହତ୍ୟାକାଣ୍ଡରେ ନାସିମ୍ ଦୁରାନୀ ଅଭିଯୁକ୍ତ ଥିଲା।
ନଭେମ୍ବର ୧୬ ତାରିଖରେ ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରେ ୨୬ ବର୍ଷୀୟ ସମୀରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ନାସିମ୍ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇ ସମୀରଙ୍କୁ ହତ୍ୟା କରିଥିଲା।
ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ହତ୍ୟାକାଣ୍ଡ ପଛରେ ନାସିମ୍ ଦୁରାନୀ ଓ ହାରୁନ୍ ସୈଫି ଗ୍ୟାଙ୍ଗ ମଧ୍ୟରେ ଚାଲିଥିବା ପୁରୁଣା ଗ୍ୟାଙ୍ଗୱାର୍ ଥିବା ସନ୍ଦେହ କରାଯାଉଛି।
ନାସିମ୍ ଦୁରାନୀ 'ରିଜୱାନ୍' ନାମରେ ମଧ୍ୟ ପରିଚିତ ଥିଲା।
ତା'ର ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ର ଘନିଷ୍ଠ ସହଯୋଗୀ ଛୋଟା ଶକିଲ୍ ସହ ସମ୍ପର୍କ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
୨୦୧୬ ମସିହାରେ ଜେଲ୍ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ହତ୍ୟା କରିବା ପାଇଁ ଛୋଟା ଶକିଲ୍ ନାସିମ୍କୁ ଦାୟିତ୍ୱ ଦେଇଥିଲା।
ଏହାବ୍ୟତୀତ ପାକିସ୍ତାନୀ-କାନାଡିଆନ୍ ସାମ୍ବାଦିକ ତାରେକ୍ ଫତେହଙ୍କୁ ଧମକ ଦେବା ସମ୍ପର୍କିତ ଏକ ମାମଲାରେ ମଧ୍ୟ ନାସିମ୍ ଗିରଫ ହୋଇଥିଲା।
ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି ୨୦ରୁ ଅଧିକ ଅପରାଧିକ ମାମଲା ତା' ନାମରେ ରହିଥିଲା।
Advertisment ପୋଲିସ ସୂଚନା ଅନୁସାରେ, ବୁଲନ୍ଦସହରର ବାସିନ୍ଦା ନାସିମ୍ ଦୁରାନୀ ଉତ୍ତର-ପୂର୍ବ ଦିଲ୍ଲୀରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲା।
ତାକୁ ଧରାଇବା ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।
ତା'ର ଗ୍ୟାଙ୍ଗର ମୁଖ୍ୟ ବିବାଦ ରାଜା ମେୱାତି ଓରଫ୍ 'ଆକ୍କି ଡନ୍' ଗ୍ୟାଙ୍ଗ ସହ ଥିଲା।
ଏହି ଗ୍ୟାଙ୍ଗ ପୂର୍ବ ଓ ଉତ୍ତର-ପୂର୍ବ ଦିଲ୍ଲୀରେ ସକ୍ରିୟ ଥିଲା।
ଏହି ଗ୍ୟାଙ୍ଗୱାର୍ରେ ଗତ ମେ' ୨୬ ତାରିଖରେ ହାରୁନ୍ ସୈଫିର ମାମୁଁ ରାଜା ମେୱାତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ଏହି ହତ୍ୟାକାଣ୍ଡରେ ନାସିମ୍ ଦୁରାନୀ ମୁଖ୍ୟ ସୁଟର୍ ଥିଲା।
ଏହାର ପ୍ରାୟ ତିନି ସପ୍ତାହ ପରେ, ଜୁନ୍ ୧୫ ତାରିଖରେ ନାସିମ୍ର ଘନିଷ୍ଠ ସହଯୋଗୀ ତଥା ଆର୍ଥିକ ସହାୟତାକାରୀ ଅଭିଯୁକ୍ତ ରସିଦ୍ ଓରଫ୍ 'ପାନି ୱାଲା'କୁ ମଧ୍ୟ ହତ୍ୟା କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
