‘Data Repository: ‘ତଥ୍ୟାଗାର’ର ଏପାଖ, ସେପାଖ
ସରୋଜ କୁମାର ସାମଲ ସପ୍ତମ ଦଶକର ଶେଷ ଯାଏ ଆମ ରାଜ୍ୟର କେଉଁ କେଉଁ ପଞ୍ଚାୟତରେ ଅପେକ୍ଷାକୃତ ଉଚ୍ଚ ସିମେଣ୍ଟ କାନ୍ଥ ଓ ଟିଣ ଛାତର ଘର ଏକକ ଭାବରେ ଛିଡ଼ା ହୋଇଥିଲା; ଯାହା ଥିଲା ଫସଲର ନିରାପଦ ସଂରକ୍ଷଣ ପାଇଁ ଶସ୍ୟାଗାର ବା ଗ୍ରେନ ଗୋଲା।
ବର୍ଦ୍ଧିଷ୍ଣୁ ବ୍ୟବସାୟର ଚାହିଦା ପାଇଁ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗରେ ଅଧିକରୁ ଅଧିକ ତିଆରି ହେଲା ପଣ୍ୟାଗାର।
ପୁଲିସ ଓ ସେନା ପାଇଁ ଏ.ସ.ଓ.ଏସ. (ଯେତେବେଳେ ଦରକାର)ର ଘର ହେଲା ଅସ୍ତ୍ରାଗାର।
ବିଦ୍ୟାର୍ଥୀ ଜୀବନରେ ଗୁରୁତ୍ବପୂର୍ଣ୍ଣ ଏହିଭଳି ଦୁଇଟି ପ୍ରତିଷ୍ଠାନ ହେଉଛି ପାଠର ଘର ପାଠାଗାର ଓ ଗବେଷଣା ତଥା ଅନୁଶୀଳନର ପ୍ରକୋଷ୍ଠ ଗବେଷଣାଗାର।
ଏ ସବୁର ମୂଳ ପିଣ୍ଡ ହେଉଛି ସଂଗ୍ରହ, ଭଣ୍ଡାରଣ ଓ ସଂରକ୍ଷଣ।
ସେହିଭଳି ଏବେ ଉଭା ହେଲେଣି ପ୍ରକାଣ୍ଡ ତଥ୍ୟାଗାର ବା ଡେଟା ସେଣ୍ଟର।
ସାଇତା ଧନର ସୂଚି ଭିତରେ ବର୍ତ୍ତମାନ ତଥ୍ୟର ଜାଗା ସର୍ବାଗ୍ରେ।
ପ୍ରଯୁକ୍ତିଗତ ସୂଚନା ରକ୍ଷଣର କେନ୍ଦ୍ର ହେଉଛି ଏହି ତଥ୍ୟାଗାର।
କମ୍ପ୍ୟୁଟର, ସର୍ଭର, ନେଟୱାର୍କିଂ ସରଞ୍ଜାମ, ଫାଇବର କେବଲ, ପ୍ରତିଲିପି ପ୍ରକ୍ରିୟାକରଣ (ଜିପିୟୁ), ଯୋଗାଯୋଗ ବିଜ୍ଞାନର ପ୍ରଯୁକ୍ତିଗତ ଯନ୍ତ୍ରାଂଶ, ଅନୁପ୍ରବେଶ ଓ ଦୂଷଣ ନିରୋଧୀ ବଳୟର ସରଞ୍ଜାମ- ଏସବୁ ହେଉଛି ସମୁଦାୟ ଅବୟବର ଗୋଟିଏ ଗୋଟିଏ ଅଂଶ।
ଶରୀରର ହୃଦ୍ସ୍ପନ୍ଦନକୁ ଅବିରତ ରଖିବା ପାଇଁ ଦରକାର ୨୪x୭ ପ୍ରଭୂତ ବିଜୁଳି ସରବରାହ।
ଶକ୍ତିର ଅନବରତ ବିନିଯୋଗରୁ ଅନାବଶ୍ୟକ ଉପ-ଉତ୍ପାଦ ହେଉଛି, ତାପ।
ଉତ୍ତାପର ନିୟନ୍ତ୍ରଣ ପାଇଁ ଦରକାର, ଶୀତଳ ବାୟୁ ସଂଚରଣ ଦ୍ବାରା ତାପର ଅବଶୋଷଣ ଏବଂ ଅବଶୋଷିତ ତାପର ନିର୍ଗମନ।
ପୁଣି ବାୟୁର ଶୀତଳୀକରଣ।
ଏହା ଗୋଟିଏ ଚବିଶଘଣ୍ଟିଆ ଚକ୍ର।
ଏଥିପାଇଁ ଉପଯୋଗୀ ପ୍ରକ୍ରିୟା ହେଉଛି କମ୍ପ୍ୟୁଟର ପ୍ରକୋଷ୍ଠର ତାପ ଓ ଆର୍ଦ୍ରତା ନିୟନ୍ତ୍ରଣ ପାଇଁ ଉଚ୍ଚ କ୍ଷମତାସଂପନ୍ନ ଶୀତଳୀକରଣର ପ୍ରଯୁକ୍ତି (ଏୟାର କଣ୍ଡିସନିଂ) ଏବଂ କଏଲଗୁଡ଼ିକରେ ହିମଶୀତଳ ପାଣିର ପ୍ରବାହ ଦ୍ବାରା ସର୍ଭର ରୁମ୍ରେ ତାପର ହ୍ରାସ ଓ ନିୟନ୍ତ୍ରଣ।
ଏଠାରେ ଏସବୁ ଉଲ୍ଲେଖ କରିବାର ଉପଲକ୍ଷ୍ୟ ହେଉଛି, ସେହି ପ୍ରଶ୍ନର ଉତ୍ତର ଖୋଜିବା, ଯାହା ହେଲା ସାଂପ୍ରତିକ 'ନେଟୱାର୍କଡ' ପୃଥିବୀରେ ଆନ୍ତର୍ଜାତିକ ସଂପତ୍ତି ରୂପେ ପରିଗଣିତ ଏହି ଭିତ୍ତିଭୂମିଗୁଡ଼ିକ ସ୍ଥାନୀୟ ବିବେଚନାରେ ସଂପଦ ହୋଇପାରିବ ନା ନାହିଁ?
ତେବେ, ତଥ୍ୟ ବା ଡେଟା ହେଉଛି ଏହି ପ୍ରତିଷ୍ଠାନଗୁଡ଼ିକର ଆତ୍ମା।
ସବୁ ଗତିଶୀଳତାର ମୂଳ ଆଧାର ତଥ୍ୟର ପରିଧିଭୁକ୍ତ, ଯଥା ତଥ୍ୟ, ଅତଥ୍ୟ, ତଥ୍ୟ ବହୁଳତା, ଏପରିକି ତଥ୍ୟହୀନତା।
ସାମାଜିକ ପ୍ରକ୍ରିୟା ଓ ପ୍ରବର୍ତ୍ତନ ନିଜ ନିଜ ସ୍ତର ଓ କ୍ଷେତ୍ରରେ ତଥ୍ୟ ଆଶ୍ରୟୀ।
ଯୋଜନାଭିତ୍ତିକ ପ୍ରଗତିକାମୀ ଶାସନ ବ୍ୟବସ୍ଥାର ମୂଳ ପାହାଚ ହେଉଛି ସମ୍ବାଦ ସଂଗ୍ରହଣ ଏବଂ ତଥ୍ୟର ପ୍ରୟୋଗ ଅଭିମୁଖୀ ବିନ୍ୟାସ।
ସେଥିପାଇଁ ଡେଟା ସବୁବେଳେ ଏକ ଅସ୍ତ୍ର।
ଏକ ନାୟକବାଦୀ ବ୍ୟବସ୍ଥା ବା ଗଣତାନ୍ତ୍ରିକ ଢାଞ୍ଚା ସବୁଠି ତଥ୍ୟର ଗୁରୁତ୍ବ ଅତୁଟ।
ସେହି ପରିପ୍ରେକ୍ଷୀରେ ଏହି ଆଲୋଚନାର ପ୍ରସଙ୍ଗ ହେଉଛି ତଥ୍ୟ ସନ୍ଧାନୀ ଜାଲର ବ୍ୟାପ୍ତି ଓ ତା'ର ପ୍ରଭାବ।
ଏହି ସନ୍ଧାନୀ ଦୃଷ୍ଟିରେ ବ୍ୟକ୍ତି ଏଭଳି ତୀବ୍ର ବୀକ୍ଷଣର ଶରବ୍ୟ ଯେ ହୋମୋସାପିଏନ୍ର ଗଢ଼ଣ ଭିତରେ ମଧ୍ୟ ଯେମିତି ଭୌଗୋଳିକତା ଆଧାରରେ ନୂଆ ନୂଆ ଜାତିମାନ ଛିଡ଼ା ହେଉଛନ୍ତି, ଯଥା- ହୋମୋ-ଆମେରିକ୍ସ, ହୋମୋ-ସୋଭିଏଟିକ୍ସ, ହୋମୋ-ଡ୍ରାଗନ୍, ହୋମୋ-ଇଣ୍ଡିକା ଇତ୍ୟାଦି!
ମାନବ ସମାଜ ଜାତୀୟତାବାଦ ଦ୍ବାରା ବିଭାଜିତ।
ଏଣେ, ସରକାରୀ କ୍ଷେତ୍ର, ଉପକ୍ଷେତ୍ର ବାହାରେ, ସୋସିଆଲ ମିଡିଆ ଦିଗନ୍ତ ବିସ୍ତାରୀ।
ପ୍ରତ୍ୟେକ ନାଗରିକ ନିଜେ ସଂଗ୍ରାହକ, ବିଶ୍ଳେଷକ, ଉପସ୍ଥାପକ ଓ ଶେଷରେ ବିତରକ।
ୟୁଟ୍ୟୁବ ନାଗରିକୀକରଣରେ ଭୌଗୋଳିକ ସୀମାରେଖା ଦ୍ରବୀଭୂତ; ଏବଂ ରୋଜଗାର, ନିଶା, ସୁଅଭ୍ୟାସ, ମନ୍ଦ ଅଭିଳାଷର ଏକ ଜନାକୀର୍ଣ୍ଣ ପ୍ଲାଟଫର୍ମରେ ପରିଣତ ହୋଇଛି ୟୁଟ୍ୟୁବ।
ସାମ୍ବାଦିକ ମାକ୍ସ ଫିସର୍ ଏହି ଅନିୟନ୍ତ୍ରିତ ଭିଡ଼ର ମାଧ୍ୟମକୁ 'ଦି କେଓସ୍ ମେସିନ' ଭାବରେ ଆଖ୍ୟାୟିତ କରିଛନ୍ତି।
କିନ୍ତୁ ଉଦ୍ବେଗର କଥା ହେଲା, ସେହି କାଓସ୍ ବା ନୈରାଜ୍ୟ ଭିତରେ ବିପୁଳ ସରକାରୀ ତଥ୍ୟର ଗଣ୍ଡି ମଧ୍ୟ ରହିଛି।
ସୁଶାସନର ଚାବିକାଠି ହେଉଛି, ସବୁ ସ୍ତରରେ ସଫଳ ଶିକ୍ଷା ବ୍ୟବସ୍ଥା ଏବଂ ଜନସ୍ବାସ୍ଥ୍ୟରେ ସାଫଲ୍ୟ।
ଶିକ୍ଷାରେ ଆରମ୍ଭ ପାହାଚର ଜ୍ଞାନାର୍ଜନ, ଛାତ୍ରଛାତ୍ରୀଙ୍କ ଦ୍ବାରା ବିଦ୍ୟାଳୟ ପରିତ୍ୟାଗର ହାର, ସେମାନଙ୍କ ଉପସ୍ଥାନ ଏବଂ ଉଚ୍ଚ ସ୍ତରରେ ଗବେଷଣା ପ୍ରତି ଆଗ୍ରହ ଓ ଉତ୍କର୍ଷ।
ସେହିଭଳି ସାର୍ବଜନୀନ ସ୍ବାସ୍ଥ୍ୟର ମୂଳ କଥା ହେଉଛି ସାମାଜିକ ସ୍ତରରେ ରୋଗର ନିରୀକ୍ଷଣ, ଜୀବନଶୈଳୀ ଉଦ୍ଭୁତ ଅଣସଂକ୍ରାମକ ରୋଗ ଆଦିର ପ୍ରାଥମିକ ଯାଞ୍ଚ, ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସଂକ୍ରାନ୍ତ ତଥ୍ୟର ସଂଗ୍ରହ, ପଞ୍ଜୀକରଣ ଓ ତା'ର ଅନୁଶୀଳନ।
ଏ ସବୁର ତଥ୍ୟ-କରଣ ହେବା ଅତ୍ୟନ୍ତ ଜରୁରି।
ଏଥି ଲାଗି ଦରକାର ନେଟୱାର୍କିଂ, ତଥ୍ୟର ଅନଲାଇନ ପଞ୍ଜୀକରଣ, ତତ୍ୟର ଏକତ୍ରୀକରଣ, ବିଶ୍ଳେଷଣ ଏବଂ ସର୍ବୋପରି ଯୋଜନାର ପ୍ରସ୍ତୁତି ଏବଂ କାର୍ଯ୍ୟାନ୍ବୟନ।
ସଫଳତା ପାଇଁ ଦରକାର କୌଶଳ, ନିୟମିତ ନିରୀକ୍ଷଣ ଏବଂ ହିତାଧିକାରୀଙ୍କ ମତାମତ ସଂଗ୍ରହ।
ସେଥିପାଇଁ ସରକାରୀ ଉଦ୍ୟୋଗରେ ଡେଟାର ତନ୍ତ୍ର ଓ ସ୍ଥାପତ୍ୟ ଅପରିମିତ ହେଲାଣି; ଆଗକୁ ଆହୁରି ବିସ୍ତାରିତ ହେବା ନିଧାର୍ଯ୍ୟ।
ଯୁଦ୍ଧରେ ହେଉ ବା ଶାନ୍ତିରେ ଡିଜିଟାଲ ତଥ୍ୟ ଅମୋଘ ଅସ୍ତ୍ର ହେଲାଣି।
ବୈଦେଶିକ ନୀତିକାରମାନେ ତଥ୍ୟର ଅସ୍ତ୍ରୀକରଣ ବୋଲି ନୂଆ ଏକ ଅଭିବ୍ୟକ୍ତିର ଅବତାରଣା କରୁଛନ୍ତି।
ଇଣ୍ଟରନେଟ, ଟେଲିକମ୍- ସଭ୍ୟତା ଯାତ୍ରାର ଗୋଟିଏ ଗୋଟିଏ ଉପଲବ୍ଧି।
ଏକଦା ସଂଭ୍ରନ୍ତ ଭାବେ ବିବେଚିତ ଏହି ସବୁ ପ୍ରଯୁକ୍ତିର ଗଣତନ୍ତ୍ରୀକରଣ ହୋଇସାରିଲାଣି।
ଭାରତର ପଚିଶ ବର୍ଷରୁ କମ୍ ୬୫ କୋଟିଙ୍କ ମଧ୍ୟରୁ ଅନ୍ୟୂନ ଦୁଇ-ତୃତୀୟାଂଶଙ୍କର ଏହି ସବୁ ସାଧନ ହସ୍ତ ମୁଦି ମାହାଲ ହେବାକୁ ଯାଉଛି।
ସେଥିପାଇଁ ସ୍ପେକ୍ଟ୍ରମ ପାଇଁ ତୀବ୍ର ବାଣିଜ୍ୟିକ ପ୍ରତିଯୋଗିତା।
କେଉଁ ଦିନ ଓଡ଼ିଆ କବି ବିପିନ ନାୟକ ଦେଖିଥିଲେ, ''ଆକାଶ ସାରା ଡେଣା, ଡେଣା ସାରା ଆକାଶ...''; ଆଜି ହୁଏତ ସେଠି କବି ଚକ୍ଷୁ ଦେଖୁଥାଆନ୍ତା ''ଉଛୁଳୁଥିବା ତଥ୍ୟର ଶକାୟିତ ସମ୍ଭାର।'' ଏ.ଆଇ.ର ପ୍ଳାବନ ମଧ୍ୟ ଆସୁଛି।
ଡେଟା ଓ ଭାଷାର କୌଶଳକୁ ନେଇ 'ଲାଙ୍ଗୁଏଜ ମଡେଲ' ତିଆରି ହେଉଛି।
ଗୋଟିଏ ରାଜନୈତିକ ଭୂଗୋଳରେ ତିଆରି ମଡେଲ, ଅନ୍ୟକୁ ପ୍ରଭାବିତ କରୁଛି ଓ କରିବ।
ପୁଣି ସବୁ ଦେଶ ସଂଚାର ଓ ଦିଆନିଆର ପରିମଣ୍ଡଳରେ ଯୋଡ଼ାଯୋଡ଼ି।
ଏ.ଆଇ.
ଡାଟା ଓ ଛବି ଉପରେ ନିଜର ସ୍ବାର୍ଥଜନିତ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାର୍ବଭୌମତ୍ବର ପ୍ରଶ୍ନ ଉଠିଛି।
କୃତ୍ରିମ ବୁଦ୍ଧିମତ୍ତାର ମଡେଲ ଦ୍ବାରା ଅନ୍ୟର ତଥ୍ୟ କ୍ଷେତ୍ରକୁ ଅନୁପ୍ରବେଶ କରାଯାଉଛି।
ଡିଜିଟାଲ ସାମ୍ରାଜ୍ୟବାଦକୁ ରୋକା ନ ଗଲେ ତାହା ସର୍ବଗ୍ରାସୀ ହେବ।
ବିଶେଷ କରି, ଡିଜିଟାଲ ଇକୋନୋମିର ଏକତ୍ବବାଦୀ କ୍ଷେତ୍ରରେ ତଥ୍ୟ ସାର୍ବଭୌମତ୍ବର ସୀମା ନିର୍ଦ୍ଧାରିତ ହେବା ଦରକାର।
ସେଥିପାଇଁ ନିଜ ନିଜର ମଡେଲ ବିକାଶ ସହ ତଥ୍ୟ ସଂରକ୍ଷଣ ପାଇଁ ଭିତ୍ତିଭୂମିର ଆବଶ୍ୟକତା ଅଛି।
ଅର୍ଥ ବା ବିତ୍ତ ସଂକ୍ରାନ୍ତ କାରବାର ଲାଗି ଉଦ୍ଦିଷ୍ଟ ପ୍ରଯୁକ୍ତିବିଦ୍ୟା (ଫିନଟେକ) ପାଇଁ ଏହା ଜରୁରି।
କ୍ଷୁଦ୍ର କଳେବରରେ ଡେଟା ସେଣ୍ଟରର ଜନ୍ମ ଆଦ୍ୟ ନବମ ଦଶକରୁ।
ଇଣ୍ଟରନେଟ, ଇ-ମେଲ, ଅନଲାଇନ କାରବାର ଏବଂ ୱେବସାଇଟର ଉପଯୋଗ ବଢ଼ିଲା ଦିନଠାରୁ ବାଣିଜ୍ୟିକ ତଥ୍ୟ କେନ୍ଦ୍ରର ଉତ୍ପତ୍ତି।
କ୍ରମଶଃ ଇ-କମର୍ସ, ଅନଲାଇନ ବ୍ୟାଙ୍କିଂ, ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ପାଇଁ ଦରକାର ହେଲା ଦୂରବର୍ତ୍ତୀ ସର୍ଭର ମାଧ୍ୟମରେ 'କ୍ଲାଉଡ୍ କମ୍ପ୍ୟୁଟିଂ'; ତଥ୍ୟ ସଂରକ୍ଷଣ ଓ ପ୍ରକ୍ରିୟାକରଣ।
ଚଳିତ ଶତାବ୍ଦୀର ଦ୍ବିତୀୟ ଦଶକରୁ ଅତି ଉଚ୍ଚ କ୍ଷମତାସଂପନ୍ନ ଡେଟା ସେଣ୍ଟରର ଆବଶ୍ୟକ ହେଲା।
ଶକ୍ତିର ପ୍ରଭୂତ ବିନିଯୋଗ ଦୃଷ୍ଟିରୁ ନବୀକରଣୀୟ ଉତ୍ସର ଉପଯୋଗ, ଉନ୍ନତ ଶୀତଳୀକରଣ ବ୍ୟବସ୍ଥା ଇତ୍ୟାଦି ବର୍ତ୍ତମାନ ଅବଧାର୍ଯ୍ୟ ହୋଇଯାଇଛି।
୨୦୨୦ ପରେ ପରେ ଏ.ଆଇ.ର ପ୍ରାଥମିକତା ପରିପ୍ରେକ୍ଷୀରେ ଗୋପନୀୟତା, ପେମେଣ୍ଟ ଗେଟ୍ୱେରେ ଟଙ୍କା କାରବାରର ନିର୍ଭୁଲତା ପାଇଁ ସାଇବର ନିରାପତ୍ତାର ଗୁରୁତ୍ବ ବଢ଼ିଛି।
ଡେଟା ସେଣ୍ଟର ଏବେ ବଦଳୁଥିବା ଦୁନିଆରେ ଏକ ଜାତୀୟ ସଂପତ୍ତି।
କିନ୍ତୁ ଏହାର ମାଲିକାନା ଓ ସ୍ଥାନୀୟ ଉପଯୋଗିତାକୁ ନେଇ ବିସମ୍ବାଦ ମଧ୍ୟ ସୃଷ୍ଟି ହେଉଛି।
ହେବା ସ୍ବାଭାବିକ ମଧ୍ୟ।
ଅଦାନୀ ଇନ୍ଫ୍ରା କର୍ତ୍ତୃତ୍ତ୍ବାଧୀନ 'ହାଇଡେନ୍ସିଟି ଡେଟା ସେଣ୍ଟର ଲିମିଟେଡ୍', 'ଏଚସିଏଲ ଟେକ୍ନୋଲୋଜି ଲିମିଟେଡ' ଓ 'ସେଣ୍ଟ୍ରାଫୋର୍ଜ ଲିମିଟେଡ' ଇତ୍ୟାଦି ଘରୋଇ ଉଦ୍ୟୋଗକୁ ଏହି ସବୁ କେନ୍ଦ୍ର ପ୍ରତିଷ୍ଠା ପାଇଁ ସହଯୋଗର ହାତ ବଢ଼ାଇବାକୁ ଘୋଷଣା କରିଛନ୍ତି ଓଡ଼ିଶା ସରକାର।
ଘରୋଇ ଉଦ୍ୟୋଗରେ ଡେଟା ସେଣ୍ଟର ପରିଚାଳନା ଉଦ୍ବେଗ ସୃଷ୍ଟି କରିବା ସ୍ବାଭାବିକ।
ନାଗରିକ ଏବଂ ଜାତୀୟ ଓ ରାଜ୍ୟ ସ୍ବାର୍ଥ ସମ୍ବଳିତ ତଥ୍ୟର ଦୁରୁପଯୋଗର ସମ୍ଭାବନାକୁ କିଭଳି ଉତ୍ପାଟନ କରାଯିବ?
ଭିତିରିଆ ବେପାର (ଇନ୍ସାଇଡ ଟ୍ରେଡିଂ)ର ଆଶଙ୍କା ପାଇଁ କି ପ୍ରକାର ପ୍ରତିରୋଧକ ରହିବ?
ରାଜସ୍ବ ଆୟର ମଡେଲ ମଧ୍ୟ ରାଜ୍ୟ ସ୍ବାର୍ଥ ଅନୁକୂଳ ହେବା ଉଚିତ।
ଏହାକୁ ଶିଳ୍ପ ବୋଲି ଭାବି, ଜୀବାଶ୍ମ ବିଜୁଳି ଯୋଗାଣ ଲାଗି ମାତ୍ରାଧିକ ଆଗ୍ରହ ଓ ଜଳର ଅପଯୋଗ ଇତ୍ୟାଦି ଦ୍ବାରା ରାଜ୍ୟ ଯେ କେବଳ ସଂପଦ ସଙ୍କଟରେ ପଡ଼ିବ, ସେ କଥା ନୁହେଁ; ପରିବେଶ ମଧ୍ୟ ବିପନ୍ନ ହେବ।
ଜାତୀୟ ସ୍ବାର୍ଥ ପାଇଁ ଦାୟର ଭାରକୁ ଓଡ଼ିଶା ଭାଗ କରିବ ସିନା, ବିନିମୟର ହକ୍ କଥା କିଏ ଆକଳନ କରିବ?
ପରିତ୍ୟକ୍ତ ଅନୁପଯୋଗୀ ଦୂରବର୍ତ୍ତୀ ଜମି ଏବଂ ପୁନଃଚକ୍ରୀକୃତ ଦୂଷିତ ପାଣିର ବ୍ୟବହାର ଉପରେ ପ୍ରାଥମିକତା ରହିବା ଦରକାର।
ଡେଟା ସାର୍ବଭୌମତ୍ବ ଧ୍ୟେୟ ହେବା ଦରକାର, ଓଡ଼ିଶା ସର୍ବସ୍ବାର୍ଥର ବନ୍ଧନରେ କବଳିତ ହେବା ଅନୁଚିତ।
ପୁଞ୍ଜିକୈନ୍ଦ୍ରିକ ଏହି ପ୍ରତିଷ୍ଠାନଗୁଡ଼ିକରେ ନିଯୁକ୍ତି ସମ୍ଭାବନା ମଧ୍ୟ ଅତ୍ୟନ୍ତ ସୀମିତ।
ଶକ୍ତି ଓ ଜଳର ବହୁଳ ଆବଶ୍ୟକତା ହେତୁ ପୁନଃ ନବୀକରଣକ୍ଷମ ଶକ୍ତି ଓ ଆବଶ୍ୟକ ଜଳ ଲାଗି ପୁନଃଚକ୍ରଣ ଦେଇ ଆସିଥିବା ପ୍ରଦୂଷିତ ପାଣିକୁ ବିକଳ୍ପ ଭାବେ ଗ୍ରହଣ ନ କଲେ ଆମେ କେବଳ ଡେଟା ଉପନିବେଶବାଦର ଶିକାର ହେବା।
ଡେଟା ଆମର, ଦୁର୍ଦ୍ଦଶା ଆମର।
ମଡେଲ ତାଙ୍କର, ଆଉ ଆୟ ମଧ୍ୟ।
କିଏ ଟେଟ୍ରା ବାଇଟ୍ରେ ଡେଟାକୁ ମାପି ମୁଦ୍ରୀକରଣ କରୁଥିବେ, କିନ୍ତୁ ଆମେ ଇ-ୱେଷ୍ଟର ଡଷ୍ଟବିନ ଧରି ବସିଥିବା। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୨୨୬୬୪୪ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
