Cyclone Damage Becomes Political Battleground: ବାତ୍ୟା ବିପତ୍ତିରେ ନବୀନଙ୍କ ରାଜନୀତି, ୧୯୯୯ ଫର୍ମୁଲାରେ ଫେରିବ କି ବିଜେଡି?
ପୂର୍ବରୁ ମରୁଡିକୁ ନେଇ ରାଜନୀତି କରାଯାଏ ବୋଲି କୁହାଯାଇଛି l ପ୍ରଖ୍ୟାତ ପତ୍ରକାର ପି ସାଇନାଥ ତାଙ୍କର ପୁସ୍ତକ Everybody Loves a Good Droughtରେ ମରୁଡ଼ିକୁ ନେଇ କିପରି ରାଜନୀତି କରାଯାଏ, ସେ ସମ୍ପର୍କରେ ଅବତାରଣା କରିଛନ୍ତି l ଓଡ଼ିଶାରେ ମରୁଡି ଅପେକ୍ଷା ବାତ୍ୟା ଓ ବନ୍ୟାକୁ ନେଇ ଢେର ରାଜନୀତି କରାଯାଏ l ଗତ ଅକ୍ଟୋବର ମାସ ୨୮ ତାରିଖ ଏବଂ ଚଳିତ ନଭେମ୍ବର ମାସ ୧୯ ଓ ୨୦ ତାରିଖରେ ବାତ୍ୟା ଅକ୍ୱାନ ଓଡ଼ିଶାରେ ପ୍ରଭୂତ କ୍ଷୟକ୍ଷତି ଘଟାଇଛି l ଏହାପରେ ଯାହା ହେବାକଥା, ତାହା ଏବେ ଦେଖିବାକୁ ମିଳୁଛି l ପ୍ରତ୍ୟେକ ରାଜନୈତିକ ଦଳ ଏ ନେଇ ବର୍ତ୍ତମାନ ଲୋକମାନଙ୍କର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛନ୍ତି l କରିବା ସ୍ୱାଭାବିକ ମଧ୍ୟ l Advertisment ଗତ ମାସ ୨୮ ତାରିଖ ଦିନ ଗଞ୍ଜାମରେ ହୋଇଥିବା 'ଅର୍ଣ୍ଣବ ବାତ୍ୟା'ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥିଲା l ବୋଝ ଉପରେ ନଳିତାବିଡ଼ା ପରି ଅକ୍ୱାନରେ ମଧ୍ୟ ଏହି ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛିl ଗଞ୍ଜାମ ଜିଲ୍ଲା ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା l ବାତ୍ୟା ଅର୍ଣ୍ଣବର ୧୧ ଦିନ ପରେ ନବୀନଙ୍କ ମନେପଡ଼ିଲା ଏହି ଜିଲ୍ଲାକୁ ଗସ୍ତ କରିବା ପାଇଁ ।
ବିରୋଧୀ ରାଜନୈତିକ ଦଳମାନେ ବାତ୍ୟା ପରେ ଜିଲ୍ଲାର ତାଙ୍କର ଅନୁପସ୍ଥିତି ନେଇ ପ୍ରଶ୍ନ କରିବା ପରେ ସେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରିଥିଲେ ।
Advertisment ଚଳିତ ନଭେମ୍ବର ୭ ତାରିଖ ଦିନ ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ଏକ ପ୍ରକାର କୋରିୟୋଗ୍ରାଫି କରିଥିଲା ଭଳି ଲାଗୁଥିଲା ।
ନବୀନ ହିଞ୍ଜିଳି ଓ ଆସ୍କା ସମେତ ଆଉ ଦୁଇଟି ସ୍ଥାନକୁ ହେଲିକପଟରେ ଗସ୍ତ କରିଥିଲେ ।
ତାଙ୍କର ଗସ୍ତ ପୂର୍ବରୁ ସବୁ ଜିଲ୍ଲାରୁ ସେଠାରେ ଅନେକ ନେତା ଆଉ କର୍ମୀ ଯାଇ ଉପସ୍ଥିତି ହୋଇସାରିଥିଲେ ।
ତାଙ୍କ ଗସ୍ତ ସମୟରେ ଭିଡ଼କୁ ବହଳିଆ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିଲା ।
ସାମାଜିକ ଗଣମାଧ୍ୟମରେ ତାଙ୍କର ଗସ୍ତକୁ କିପରି ଭଲଭାବରେ ଉପସ୍ଥାପିତ କରାଯାଇପାରିବ, ସେ ନେଇ ମଧ୍ୟ ସମସ୍ତ ଉଦ୍ୟମ କରାଯାଇଥିଲା ।
ଗସ୍ତ ସମୟରେ କିଛି ଲୋକ ଧାନକେଣ୍ଡା ଧରି ନବୀନଙ୍କୁ ଦେଖାଇଥିଲେ ।
ଉଦ୍ଦେଶ୍ୟ ଥିଲା ଶସ୍ୟ ପାଣିରେ ପଚି ନଷ୍ଟ ହୋଇଯାଇଥିବା ଦେଖାଇବା ।
ଆଉ କିଛି ଲୋକ ହାତଯୋଡ଼ି ନବୀନଙ୍କୁ କିଛି କହୁଥିବା ଭଳି ଲାଗୁଥିଲା ।
ନବୀନ କିଛି ବୁଝୁଥିଲେ କି ନାହିଁ, ସ୍ପଷ୍ଟ ଭାବରେ ଜଣାପଡ଼ୁନଥିଲା ।
ଏହାପରେ ସେ ତାଙ୍କର ମିଡ଼ିଆ ବାଇଟ୍ ଦେଇଥିଲେ ।
ନବୀନଙ୍କ ମିଡ଼ିଆ ବାଇଟ୍ ଯଦି ଦେଖିବା, ତେବେ ଲାଗୁଥିଲା ସେ କିଛି ବାକ୍ୟ ବେଶ୍ ଅଭ୍ୟାସ କରିଆସିଛନ୍ତି ।
ସେ ଯାହା କହିଲେ ତାହା ଏହିପରି: 'ମୁଁ ଚାରିଟି ସ୍ଥାନ ବୁଲି ବାତ୍ୟା ପ୍ରପୀଡ଼ିତମାନଙ୍କୁ ଭେଟିଲି ।
ଚାଷୀ ଏବଂ ସାଧାରଣ ଜନତା ବେଶ୍ ଦୁଃଖରେ ଅଛନ୍ତି ।
ସେମାନଙ୍କ କଥା ସରକାର ବୁଝିନାହାଁନ୍ତି ।
ମୁଁ ସରକାରଙ୍କ ନିକଟରେ ସେମାନଙ୍କ ଦୁଃଖ ଜଣାଇବି ଏବଂ ସେମାନଙ୍କର ଦାବି ପୂରଣ ପାଇଁ ଚେଷ୍ଟା କରିବି ।
ସରକାର ସେମାନଙ୍କ ଦୁଃଖ ଶୁଣିବା ଦରକାର ଏବଂ ସେମାନଙ୍କ ନିକଟରେ ତୁରନ୍ତ ପହଞ୍ଚିବା ଆବଶ୍ୟକ ।' ବାତ୍ୟା ସମୟରେ ପବନ ଅପେକ୍ଷା ଗଞ୍ଜାମରେ ବର୍ଷା ଅଧିକ ହୋଇଥିଲା ।
ବିଭିନ୍ନ ନଦୀରୁ ଜଳ ଉଚ୍ଛୁଳି ସହର ଓ ଗ୍ରାମରେ ପଶିଲା ।
ପାହାଡ଼ ଧସି ସାଧାରଣ ଜନତା କ୍ଷତିଗ୍ରସ୍ତ ହେଲେ ।
କିଛି ଲୋକ ମୃତାହତ ହେଲେ ।
ନବୀନଙ୍କ ସମୟରେ ଗଞ୍ଜାମରେ ଜଳ ପରିଚାଳନା ନେଇ ଅନେକ ପ୍ରସ୍ତାବ ଆସିଥିଲା ।
ହେଲେ ସେ ସବୁର ସଫଳ ରୂପାୟନ ହୋଇନପାରିବାରୁ ଉଦ୍ବୃତ ଜଳ ଜନବସତିରେ ପ୍ରବେଶ କରି ଧ୍ୱସଂଲୀଳା ସୃଷ୍ଟି କଲା ।
ଏବେ ଗଞ୍ଜାମ ଲୋକମାନଙ୍କର ଦୁର୍ଦ୍ଦଶା ଅକଳ୍ପନୀୟ ।
ଦୁଇ ଦୁଇଟି ବାତ୍ୟାରେ ସେମାନଙ୍କର ଚାଷ ଉଜୁଡ଼ି ଯାଇଛି ।
ବ୍ୟବସାୟୀମାନଙ୍କ ଅଣ୍ଟା ଏକ ପ୍ରକାର ଭାଙ୍ଗିଯାଇଛି ।
ବିଦ୍ୟାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଆଦି କ୍ଷତିଗ୍ରସ୍ତ ହୋଇଛି ।
ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳର ନେତାମାନେ ସଙ୍କୀର୍ଣ୍ଣ ରାଜନୈତିକ ବିଚାରଧାରାରୁ ଉଠି ଲୋକମାନଙ୍କ ମଧ୍ୟରେ କିପରି ଆବଶ୍ୟକ ସେବା ଯୋଗାଇଦେଇ ହେବ, ସେ ନେଇ ଚେଷ୍ଟା କରିବା ଦରକାର ।
ହେଲେ ଏବେ ଯାହା ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ବିପରୀତ ।
୧୯୯୯ ମହାବାତ୍ୟା ପରେ ନବୀନ ଓଡ଼ିଶା ରାଜନୀତିରେ ବେଶ୍ ସକ୍ରିୟ ହୋଇପଡ଼ିଥିଲେ।
ସେତେବେଳେ ସେ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଥିଲେ ।
ପ୍ରତିଦିନ ସେ ବାତ୍ୟାଞ୍ଚଳ ଗସ୍ତ କରି ଜନସାଧାରଣଙ୍କ ସହିତ ମିଶିବା ସହିତ ତତ୍କାଳୀନ କଂଗ୍ରେସ୍ ସରକାରକୁ ସମାଲୋଚନାର କାଠଗଡ଼ାରେ ବସାଇଥିଲେ ।
ତାଙ୍କର ଏହି ରାଜନୈତିକ ଚାତୁରୀ ସେତେବେଳେ ବିଜେଡ଼ିକୁ ବେଶ୍ ଫାଇଦା ଦେଇଥିଲା ଏବଂ ଦଳ ସେତେବେଳେ ବେଶ୍ ଉତ୍କର୍ଷତା ପ୍ରଦର୍ଶନ କରି ୨୦୦୦ ମସିହାରେ କ୍ଷମତାକୁ ଆସିଲା ।
ବିଜେଡ଼ିର ଏବେ ହିସାବ ୧୯୯୯ ମସିହା ପରି ।
ଦଳ ଅଙ୍କ କଷୁଛି ଗଞ୍ଜାମ ଦୁର୍ବିପାକକୁ ଆଧାର କରି ନିଜର ପତୋନୋମ୍ମୁଖୀ ସ୍ଥିତିକୁ ସମ୍ଭାଳି ଆଗକୁ ଆସିବା ଲାଗି ।
ନବୀନ ଭଲଭାବରେ ଜାଣନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ରାଜନୀତି କରିହେବ ।
ତେଣୁ ସେ ତାଙ୍କ ରାଜନୈତିକ ହିସାବକିତାବ କରୁଛନ୍ତି ।
ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ଦଳର କିଛି ନେତା ଶଙ୍ଖଭବନରେ ରହି ଚୂଡାନ୍ତ କରିଥିଲେ ।
ଏହପାରେ କିଛି ନେତା ଯାଇ ଏହି କାର୍ଯ୍ୟକ୍ରମର ନକ୍ସାକୁ ସଫଳ ରୂପାୟନରେ ଲାଗିପଡ଼ିଥିଲେ ।
ଦଳର ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡେଲ୍ଗୁଡ଼ିକ ମଧ୍ୟ ବେଶ୍ ସକ୍ରିୟତାର ସହିତ ତାଙ୍କର କାର୍ଯ୍ୟକ୍ରମର ପ୍ରତ୍ୟେକ ମୁହୂର୍ତ୍ତକୁ ବେଶ୍ ପ୍ରଚାର ପ୍ରସାର କରିଛନ୍ତି ।
ନୂଆପଡ଼ା ବିଧାନସଭା ନିର୍ବାଚନ ପରେ ନବୀନଙ୍କ ଏହି ବୃହତ୍ ଜନମିଳନ କାର୍ଯକ୍ରମ ବେଶ୍ ଚର୍ଚ୍ଚାରେ ରହିଛି ।
ଅପରପକ୍ଷରେ ଶାସକ ଭାରତୀୟ ଜନତା ପାର୍ଟି ଏହି ସମୟରେ ଯଦି ଗଞ୍ଜାମରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଫଳ ରୂପାୟନରେ କିଛି ଦୁର୍ବଳତା ପ୍ରକାଶ କରେ, ତେବେ ନବୀନଙ୍କ ଭଳି ବିଚକ୍ଷଣ ରାଜନେତା ଏହାକୁ ସହଜରେ ନିଜ ସପକ୍ଷକୁ ନେବାରେ ସେମିତି କିଛି ଅସୁବିଧାର ସମ୍ମୁଖୀନ ନହୋଇପାରନ୍ତି ।
ପ୍ରାକୃତିକ ଦୁର୍ବିପାକ ପରବର୍ତ୍ତୀ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଗଞ୍ଜାମରେ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଯେଉଁ ସମ୍ମନ୍ୱୟ ରହିବା, ସେଥିରେ କିଛିଟା କମି ରହିଯାଇଛି ।
ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ସମ୍ମନ୍ୱୟ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ।
ଏହାର କିପରି ପୁନାରାବୃତ୍ତି ନହେବ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧ୍ୟାନ ଦେବାକୁ ପଡ଼ିବ ।
ନଚେତ୍ ନବୀନ ଏହିଭଳି ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ରାଜନୈତିକ ଫାଇଦା ସାଉଁଟିବାରୁ କେହି ତାଙ୍କୁ ରୋକି ପାରିବେ ନାହିଁ ।
ବାତ୍ୟା ଆସେ, ଅନେକ କ୍ଷତି କରେ ଏବଂ ପୁଣି ଚାଲିଯାଏ ।
ଲୋକମାନେ ଏଥିରେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୁଅନ୍ତି ।
ସେହିପରି ଭୂମିକମ୍ପ ଆସେ, - ଆସେ ମରୁଡ଼ି ।
କିନ୍ତୁ ଏହିଭଳି ଦୁର୍ବିପାକ ସମୟରେ ରାଜନୈତିକ ଦଳମାନେ ବେଶ୍ ଫାଇଦା ଉଠାନ୍ତି ।
ଏହା ତାଙ୍କ ପାଇଁ ଏକ ବସନ୍ତୁ ଋତୁ ।
ମାନବିକ ସମ୍ବେଦନଶୀଳତା ଅପେକ୍ଷା ରାଜନୈତିକ ସ୍ୱାର୍ଥ ସେମାନଙ୍କ ପାଇଁ ବଡ଼ ହୋଇଥାଏ ।
ଏବେ ଦେଖିବାର କଥା ଗଞ୍ଜାମ ପରିସ୍ଥିତିକୁ ବିଜେଡ଼ି କିମ୍ବା ବିଜେପି କିପରି ସାମ୍ନା କରୁଛନ୍ତି ।
୧୯୯୯ ମହାବାତ୍ୟା ରାଜନୀତିରୁ ନବୀନଙ୍କ ରାଜନୈତିକ କ୍ୟାରିୟର ଉର୍ଦ୍ଧ୍ୱମୁଖୀ ହୋଇଥିଲା l ଏବେ ତାଙ୍କର ପତୋନୋମୁଖୀ କ୍ୟାରିୟରକୁ ସେ କିପରି ସଜାଡୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର l ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
