Cyber safety awareness: ମୋବାଇଲ୍‌ ବ୍ୟବହାର ସତର୍କତା, ବ୍ୟକ୍ତିଗତ ତଥ୍ୟ ଓ ଫଟୋ ସୁରକ୍ଷିତ ରଖିବାକୁ ପରାମର୍ଶ

Aug 11, 2026 - 15:52
Cyber safety awareness: ମୋବାଇଲ୍‌ ବ୍ୟବହାର ସତର୍କତା, ବ୍ୟକ୍ତିଗତ ତଥ୍ୟ ଓ ଫଟୋ ସୁରକ୍ଷିତ ରଖିବାକୁ ପରାମର୍ଶ

"ଜମନକିରା: ଡିଜିଟାଲ ଯୁଗରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ର ବ୍ୟବହାର ଯେତିକି ବଢ଼ୁଛି, ସାଇବର ଅପରାଧର ଆଶଙ୍କା ମଧ୍ୟ ସେତିକି ବୃଦ୍ଧି ପାଉଛି।

ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା ଏବଂ ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଟିକିଲିପଡ଼ା ସରକାରୀ ହାଇସ୍କୁଲରେ ସାଇବର ସେଫ୍ଟି କ୍ୟାମ୍ପେନ୍‌ ଅନୁଷ୍ଠିତ ହୋଇଯାଇଛି।Advertisment ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜମନକିରା ଥାନା ଆଇଆଇସି ରଂଜନ ନାଗ ଯୋଗଦେଇ ଛାତ୍ରୀମାନଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ଓ ଏହାର କୁପରିଣାମ ସମ୍ପର୍କରେ ବୁଝାଇଥିଲେ।

ବର୍ତ୍ତମାନ ଛାତ୍ରୀମାନେ ପାଠପଢ଼ା ପାଇଁ ମୋବାଇଲ୍‌ ଓ ଇଣ୍ଟରନେଟ୍‌ର ବ୍ୟବହାର କରୁଥିବାରୁ ଏହାର ସୁବିଧାକୁ ଜ୍ଞାନ ଆହରଣରେ ବ୍ୟବହାର କରିବା ସହ ଅଜଣା ଓ ଅସୁରକ୍ଷିତ ଡିଜିଟାଲ ଲିଙ୍କ୍‌, ବାର୍ତ୍ତା ଓ ୱେବସାଇଟ୍‌ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ।

ସୋସିଆଲ ମିଡିଆ ବ୍ୟବହାର ସମୟରେ ନିଜ ପ୍ରୋଫାଇଲ୍‌କୁ ସୁରକ୍ଷିତ ରଖିବା, ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା ଏବଂ ପାସୱାର୍ଡ କାହା ସହିତ ମଧ୍ୟ ସେୟାର ନକରିବାକୁ ଆଇଆଇସି ଶ୍ରୀ ନାଗ ପରାମର୍ଶ ଦେଇଥିଲେ।

ୱାଟସ୍ ଆପ, ଇନଷ୍ଟାଗ୍ରାମ, ଫେସ୍ ବୁକ୍ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ଫଟୋ ଓ ତଥ୍ୟ ଅଜଣା ବ୍ୟକ୍ତିଙ୍କ ସହ ସେୟାର ନ କରିବାକୁ ସେ ସତର୍କ କରାଇଥିଲେ।

ବିଭିନ୍ନ ସମୟରେ ବ୍ୟାଙ୍କ, ମେଡିକାଲ ସେବା, ପରିବହନ ବିଭାଗ କିମ୍ବା ଅନ୍ୟ ସରକାରୀ ସଂସ୍ଥା ନାମରେ ନକଲି ବାର୍ତ୍ତା ଓ ଲିଙ୍କ୍‌ ଆସିପାରେ।

ଏଭଳି ଅଜଣା ବାର୍ତ୍ତା କିମ୍ବା ଲିଙ୍କ୍‌କୁ ଖୋଲିବା ପୂର୍ବରୁ ସତର୍କ ରହିବା ଏବଂ ସନ୍ଦେହଜନକ ଲିଙ୍କ୍‌କୁ ଖୋଲିବା ପରିବର୍ତ୍ତେ ତୁରନ୍ତ ଡିଲିଟ୍‌ କରିଦେବାକୁ ସେ କହିଥିଲେ।

ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ଅଭିଭାବକ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ଏହା ସହିତ ଛାତ୍ରୀମାନଙ୍କ ଭବିଷ୍ୟତ ଓ କ୍ୟାରିଅର ଗଠନ ଉପରେ ମଧ୍ୟ ଆଇଆଇସି ଗୁରୁତ୍ୱାରୋପ କରିଥିଲେ।

ଏବେଠାରୁ ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରି ଆଗାମୀ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ କ୍ୟାରିଅର ଗଠନ ପାଇଁ ନିଷ୍ଠାର ସହ ପାଠପଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।

ଜମନକିରା ଥାନା ଅଞ୍ଚଳରେ କମ୍‌ ବୟସର ପୁଅଝିଅମାନେ ଭାବନାରେ ପଡ଼ି ଘର ଛାଡ଼ିବା ଭଳି ଘଟଣା ଘଟୁଥିବା ନେଇ ସେ ସତର୍କ କରାଇଥିଲେ।

ଏଭଳି ଅପରିପକ୍ୱ ନିଷ୍ପତ୍ତି ଭବିଷ୍ୟତ ଶିକ୍ଷା ଓ କ୍ୟାରିଅରକୁ ପ୍ରଭାବିତ କରିପାରେ ବୋଲି କହି ଛାତ୍ରୀମାନଙ୍କୁ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବାକୁ ପରାମର୍ଶ ଦେଇଥିଲେ।

ଆଗାମୀ ନୂଆଁଖାଇ ଛୁଟିରେ ଛାତ୍ରୀମାନେ ଘରକୁ ଯିବା ସମୟରେ ମୋବାଇଲ୍‌ର ସଠିକ୍‌ ଓ ସୀମିତ ବ୍ୟବହାର କରିବା ସହ ପାଠପଢ଼ାକୁ ପ୍ରାଥମିକତା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳ କହିଥିଲେ।

ଜୀବନର ଲକ୍ଷ୍ୟ ହାସଲ ପାଇଁ ଶିକ୍ଷା ହିଁ ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ସେ ଛାତ୍ରୀମାନଙ୍କୁ ବୁଝାଇଥିଲେ।

Cyber ​​fraud: ଆୟକର ରିଟର୍ଣ୍ଣରେ ବି ସାଇବର୍ ଠକେଇ: ଜାଲ୍ ୱେବ୍‌ସାଇଟ୍ ଲିଙ୍କ୍‌ରେ ଲୁଟି ନେଉଛନ୍ତି ଟଙ୍କା କାର୍ଯ୍ୟକ୍ରମ ଆରମ୍ଭରେ ସହକାରୀ ଶିକ୍ଷକ ନିରଞ୍ଜନ ସିଠ୍‌ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସାଇବର ଅପରାଧ ସଚେତନତାର ଆବଶ୍ୟକତା ସମ୍ପର୍କରେ ଅଭିଭାଷଣ ରଖିଥିଲେ।

ଶେଷରେ ଆଇଆଇସି ରଂଜନ ନାଗଙ୍କ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ସହକାରୀ ଶିକ୍ଷକ ନିରଞ୍ଜନ ସିଠ୍‌ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିବଶଙ୍କର ଦାସ, ମୋହନ ଆହାଦର୍‌, ଅବିନାଶ ବାଘ, ଦେବାଶିଷ ପଟେଲ୍‌, ପ୍ରିୟରଂଜନ ସାଥୁଆ, ଶିକ୍ଷୟିତ୍ରୀ ମଧୁସ୍ମିତା ଦାସ, ଦୀପା ଗୁରୁ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media