Chief Minister: ଜୀବନଶୈଳୀର ପ୍ରମୁଖ ଅଂଶ ସାଧୁତା ଓ ନିଷ୍ଠା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସରକାରୀ କର୍ମଚାରୀମାନେ ସାଧୁତା ଓ ନିଷ୍ଠାକୁ ନିଜ ଜୀବନଶୈଳୀର ପ୍ରମୁଖ ଅଂଶ ବୋଲି ଗ୍ରହଣ କରିବା ଉଚିତ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ-୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବାର୍ତ୍ତା ଦେଇଛନ୍ତି। ଚଳିତ ବର୍ଷର ପ୍ରସଙ୍ଗ ‘ସାଧୁତାରୁ ସମୃଦ୍ଧି’ ଉପରେ ଆଲୋକପାତ କରି ନୈତିକତା, ସ୍ବଚ୍ଛତା ଓ ସାଧୁତା ଦୁର୍ନୀତି ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଜାରି ରହିଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଦୋଷୀ ସାବ୍ୟସ୍ତ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ ବନ୍ଦ କରାଯାଇଛି। ଓଡ଼ିଶା ଭିଜିଲାନ୍ସର ଦଣ୍ଡବିଧାନ ହାର ୨୦୨୫ରେ ୫୦ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହା ୬୫ ପ୍ରତିଶତରେ ପହଞ୍ଚିଛି। କାରଣ ସରକାର ଏବେ ଲୋକଙ୍କ ପାଖକୁ ଯାଉଛନ୍ତି ଓ ସେମାନଙ୍କ ଅଭିଯୋଗ ଶୁଣୁଛନ୍ତି। ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତି ରୋକିବାରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ହୋଇଛି। ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନିକଟରେ ସିଧାସଳଖ ଦୁର୍ନୀତି ସମ୍ପର୍କିତ ଅଭିଯୋଗ କରୁଛନ୍ତି। ଲୋକଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଜଣେ ଆଇଏଏସ୍ ଅଧିକାରୀ, ୮ ଜଣ ମୁଖ୍ୟଯନ୍ତ୍ରୀ ପାହ୍ୟା ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଓ ରାଜ୍ୟ ପରିବହନ ପ୍ରାଧିକରଣର ଯୁଗ୍ମ କମିସନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର ଏବଂ ୪ ଜଣ ବିଡିଓଙ୍କ ସମେତ ଅନେକ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ କଡ଼ା ପଦକ୍ଷେପ ନେଇଛି। ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡ଼ିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦୁର୍ନୀତି ପାଇଁ ୪୧ ବହିଷ୍କୃତ, ୯୧ଙ୍କର ପେନ୍ସନ ବନ୍ଦ
୬୫%କୁ ବଢ଼ିଛି ଦଣ୍ଡବିଧାନ ହାର
କୋରାପୁଟ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ, ଅନୁଗୋଳ ଶ୍ରେଷ୍ଠ ୟୁନିଟ୍
କୋରାପୁଟ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ, ଅନୁଗୋଳ ଶ୍ରେଷ୍ଠ ୟୁନିଟ୍
ସେହିପରି ରାଜ୍ୟ ସରକାର ଓଡ଼ିଶା ଆଇଟି ନୀତିକୁ ଅନୁମୋଦନ କରିଛନ୍ତି। ଭିଜିଲାନ୍ସରେ ଏକ ‘ପ୍ରିଭେଣ୍ଟିଭ୍ ଭିଜିଲାନ୍ସ ରିସର୍ଚ୍ଚ ୱିଙ୍ଗ’ ଗଠନ କରାଯାଉଛି। ଏହାଦ୍ବାରା ଦୁର୍ନୀତିପ୍ରବଣ ସ୍ଥାନ ଓ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଶାସନ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ପାରଦର୍ଶୀ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।
ଏହି ଅବସରରେ ୨୦୨୫ ବର୍ଷ ପାଇଁ କୋରାପୁଟକୁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଏବଂ ଅନୁଗୋଳକୁ ଶ୍ରେଷ୍ଠ ଭିଜିଲାନ୍ସ ୟୁନିଟ୍ ଭାବେ ପୁରସ୍କୃତ କରାଯାଇଥିଲା। ମାଲକାନଗିରି ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଣିଙ୍କୁ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ, ଭୁବନେଶ୍ବର ଡିଭିଜନର ବୈଭବମାଳା ସ୍ବାଇଁଙ୍କୁ ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଧିକାରୀ ଏବଂ ଭୁବନେଶ୍ବର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତର ସଲିଳ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ସରକାରୀ ଓକିଲ ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ ଲୋକଙ୍କ କଷ୍ଟଲବ୍ଧ ଅର୍ଥରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନାର ସୁଫଳ ସମାଜର ଶେଷଧାଡ଼ିରେ ଥିବା ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତେଣୁ ସାଧୁତାର ସହ କାର୍ଯ୍ୟ କରିବା ଆବଶ୍ୟକ। ଏଥିପାଇଁ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସରକାରୀ ସେବା ପ୍ରଦାନରେ ସ୍ବଚ୍ଛତା ଅଣାଯାଉଛି। ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ବିଭାଗର ସଫଳତା ଉପସ୍ଥାପନ କରି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁସାରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା କହିଥିଲେ। କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ଭିଜିଲାନ୍ସ ଅତିରିକ୍ତ ନିର୍ଦ୍ଦେଶକ ଅସିତ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
