Bull Statue: ରାୟଗଡ଼ା ଗୁଣପୁରରେ ୧୦୦ ବର୍ଷ ପୁରୁଣା ବୃଷଭ ମୂର୍ତ୍ତିରୁ ମିଳିଲା ଓଡ଼ିଆ ଅଭିଲେଖ
ରାୟଗଡ଼ା(ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଳା ଗୁଣପୁର ସହରରୁ ଶତାବ୍ଦୀ ପୂର୍ବ ବିରଳ ଧାତୁ ବୃଷଭ ମୂର୍ତ୍ତି ରେ ଓଡ଼ିଆ ଅଭିଲେଖ ଠାବ ହୋଇଛି ଗୁଣୁପୁର ସହର ରାମ ଲିଙ୍ଗେଶ୍ୱର ଦେଉଳ (ବାଘୁଆ ଦେଉଳ)ରୁ।
ଓଡ଼ିଶାରୁ ଏ ଯାବତ୍ ମିଳିଥିବା ବୃଷଭ ବାହାନ ଅଭିଲେଖରେ ଏହା ଦ୍ୱିତୀୟ।
ପୂର୍ବରୁ ଏହିଭଳି ଉତ୍ସବ ବିଗ୍ରହ ମୂର୍ତ୍ତିରେ ଓଡ଼ିଆ ଅଭିଲେଖ ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସହର ନିକଟ ରାମସାଗର ମନ୍ଦିରରୁ ପ୍ରାପ୍ତ ହୋଇଥିଲା ବେଳେ ଏହା ଦ୍ୱିତୀୟ ବୋଲି ଗବେଷକ ମତ ଦେଇଛନ୍ତି।
ରାୟଗଡ଼ାର ପ୍ରତ୍ନତାତ୍ୱିକ ଅବଶେଷ ସନ୍ଧାନ ବେଳେ ଡ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅକ୍ଷୟ ଦାସ, ଓ ଅଶୋକ ରଥ ଏହି ଦୁର୍ଲଭ ବୃଷଭ ବାହନ ଠାବ କରିଥିଲେ।ଏହି ଅଭିଲେଖର ପାଠ ଉଦ୍ଧାର କରିଛନ୍ତି ଲିପିତତ୍ଵ ଗବେଷକ ବିଷ୍ଣୁ ମୋହନ ଅଧିକାରୀ।
ଅଧିକାରୀଙ୍କ ମତରେ ଏହା ଅକ୍ଷୟ ନାମ ସମ୍ବତ୍ସର ଭାଦ୍ରବ ଶୁକ୍ଳ ଦଶମୀ ଶୁକ୍ରବାର ଅର୍ଥାତ୍ ୧୭.୯.୧୯୨୬ ମସିହାରେ ଗୁଣୁପୁର ତାଲୁକା ପ୍ରଜାମାନଙ୍କ ଦ୍ୱାରା ସମର୍ପଣ ହୋଇଥିଲା।
ଯାହା ସତ୍ୟବାଦୀ ସାହୁଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା।
୧୦୦ ବର୍ଷ ପୁରୁଣା ଏଭଳି ବୃଷଭ ବାହାନ ଓଡ଼ିଶାରେ ବିରଳ ଜାଣି ଗୁଣପୁର ଅଞ୍ଚଳରେ ପୂର୍ବରୁ ଏୖତିହ ସମ୍ପନ୍ନ ଅଞ୍ଚଳର ହୋଇଥିବା ସ୍ପଷ୍ଟ ହୋଇଛି ।
Advertisment ମନ୍ଦିର ସାମ୍ନାରେ ରହିଥିବା ସିଂହ କଳିଙ୍ଗ ଶିଳ୍ପ କଳାରେ ଅଷ୍ଟମ ରୁ ଦଶମ ଶତାବ୍ଦୀ ମଧ୍ୟରେ ଦେଖିବାକୁ ମିଳିଥାଏ।
ଏଣୁ ଏହି ମନ୍ଦିର ମଧ୍ୟ ସେହି ସମୟରେ ନିର୍ମାଣ ହୋଇଥିବା ଇତିହାସକାରମାନେ ଅନୁମାନ କରୁଛନ୍ତି ।
ଏହିଠାରେ ପୂର୍ବ ଗଙ୍ଗ ମାନଙ୍କ ସମୟର ସପ୍ତ ମାତୃକା ମୂର୍ତ୍ତିର ଭଗ୍ନ ଅବଶେଷ , ଗର୍ଭ ଗୃହରେ ଥିବା ଦୁର୍ଗା ଓ ଗଣେଶ ମୂର୍ତ୍ତି ସ୍ପଷ୍ଟ ଭାବେ କଳିଙ୍ଗ ନଗରର ସୋମେଶ୍ୱର ମନ୍ଦିର, ମଧୁକେଶ୍ୱର ଗଣେଶ ଓ ଅନ୍ୟାନ୍ୟ ମୂଳ ଗଙ୍ଗ ରାଜୁତି ସମୟର ମନ୍ଦିର ମୂର୍ତ୍ତି ସହ ସାମଞ୍ଜସ୍ୟ ରହୁଥିବା କୁହାଯାଇଛି ।
ମନ୍ଦିରରେ ଥିବା ଲିଙ୍ଗ ଓ ଯୋନି ପୀଠ ନିକଟ ଦୁର୍ଗା ମୂର୍ତ୍ତିରୁ ଏହା ସ୍ପଷ୍ଟ ଯେ ଏହା ପ୍ରାଚୀନ ଗଙ୍ଗ ଯୁଗୀୟ କୀର୍ତ୍ତି।
୧୪୭ ବର୍ଷ ପୁରୁଣା ବିରଳ ଓଡ଼ିଆ ତାମ୍ରଫଳକ ଠାବ ହୋଇଥିଲା ପୂର୍ବରୁ ଏହି ଗୁଣପୁର ଅଞ୍ଚଳରୁ ଅନେକ ଗଙ୍ଗବଂଶୀୟ ଅଭିଲେଖ ପ୍ରାପ୍ତ ମଧ୍ୟ ହୋଇଛି।
ପ୍ରାଚୀନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମନ୍ଦିରର ଅବଶେଷଗୁଡ଼ିକ ମନ୍ଦିର କେତେ ପ୍ରସିଦ୍ଧ ତାହା ଦର୍ଶାଉଛି ।
ଅଳ୍ପ ଦିନ ତଳେ ଗୁଣପୁର ସହର ଅଞ୍ଚଳର ବ୍ରାହ୍ମଣ ସାହିରୁ ପ୍ରାୟ ୧୪୭ ବର୍ଷ ପୁରୁଣା ବିରଳ ଓଡ଼ିଆ ତାମ୍ରଫଳକ ଠାବ ହୋଇଥିଲା ।
ଏହି ଐତିହାସିକ ତାମ୍ରଫଳକଟି ସ୍ଥାନୀୟ ରାଜପୁରୋହିତ ଭାବେ ପରିଚିତ ଅଶୋକ ରଥ ଓ ହୃଷିକେଶ ରଥଙ୍କ ଘରୁ ଠାବ ହୋଇଥିଲା ।
ଗୁଣପୁର ଏକ ଐତିହାସିକସମ୍ପନ୍ନ ଅଞ୍ଚଳ ଏବଂ ଏହି ଅଞ୍ଚଳର ଆହୁରି ଲୁକ୍କାୟିତ କୀର୍ତ୍ତିରାଜ ଥିବା କଥାକୁ ଏଡାଇଦିଆଯାଇନପାରେ ବୋଲି ଲିପିତତ୍ଵ ଗବେଷକ ବିଷ୍ଣୁ ମୋହନ ଅଧିକାରୀ ସୂଚନା ଦେଇଛନ୍ତି।
Excise Raids: ଜଗତସିଂହପୁରରେ ଅବକାରୀ ଚଢ଼ାଉ: ନକଲି ଓ ଚୋରା ମଦ ଜବତ, ୨ ଗିରଫ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
