Bride Covered in Mud: ବିବାହ ଦିନରେ ବଡ଼ ଅଘଟଣ! କାଦୁଅ ବିଲକୁ ଓଲଟିଲା କାର୍, ବିଗିଡ଼ିଗଲା କନ୍ୟାଙ୍କ ବ୍ରାଇଡାଲ୍ ଲୁକ୍
ବିବାହ ଦିନକୁ ସ୍ମରଣୀୟ କରିବାକୁ ସମସ୍ତଙ୍କ ସ୍ୱପ୍ନ ଥାଏ।
ହେଲେ ଭିଏତନାମର ଜଣେ କନ୍ୟାଙ୍କ ପାଇଁ ଏହି ଦିନ ପାଲଟିଗଲା ଅଭୁଲା ଅନୁଭୂତି।
ବିବାହ ପୋଷାକରେ ସଜେଇ ହୋଇ ବର ସହ କାର୍ରେ ଯାଉଥିବା ବେଳେ ଘଟିଲା ବଡ଼ ଅଘଟଣ।
ହଠାତ୍ କାଦୁଅ ଭର୍ତ୍ତି ଧାନ ବିଲ ଭିତରକୁ ଓଲଟି ପଡ଼ିଲା ବରଯାତ୍ରୀ କାର୍।
ଆଉ ଏହି ଦୁର୍ଘଟଣାରେ କନିଆଙ୍କ ଦାମୀ ବ୍ରାଇଡାଲ୍ ଡ୍ରେସ୍ ଓ ସୁନ୍ଦର ମେକ୍ଅପ୍ର ଅବସ୍ଥା ପୂରା ବେହାଲ ହୋଇଗଲା।
ତେବେ ଆଶ୍ୱସ୍ତିର କଥା, କନିଆ ଗର୍ଭବତୀ ଥିବା ସତ୍ତ୍ୱେ ଉଭୟ ବର ଓ କନ୍ୟାଙ୍କ ସହ ଗର୍ଭସ୍ଥ ଶିଶୁ ସୁରକ୍ଷିତ ଅଛନ୍ତି।
Advertisment ପବନରେ ଉଡ଼ି ଆସିଲା କାର୍ର ଫୁଲ ସାଜସଜ୍ଜା, ଘଟିଲା ଦୁର୍ଘଟଣା ସୂଚନା ଅନୁସାରେ, ନଭେମ୍ବର ୧୦ ତାରିଖ ସକାଳ ପ୍ରାୟ ୧୦ଟାରେ ଭିଏତନାମର ତୁଏନ୍ କ୍ୱାଙ୍ଗ୍ ପ୍ରଦେଶରେ ଏହି ଘଟଣା ଘଟିଥିଲା।
୨୧ ବର୍ଷୀୟ ଲି ଭାନ୍ ଭିଏତ୍ ଓ ତାଙ୍କ ୧୯ ବର୍ଷୀୟ ପତ୍ନୀ ଡାମ୍ ଥି ଜୁଆନ୍ କନ୍ୟା ଘରୁ ବର ଘରକୁ ଯାଉଥିଲେ।
ବର ଘରଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ବେଳେ ହଠାତ୍ କାର୍ଟି ରାସ୍ତାରୁ ଖସି କାଦୁଅ ଭର୍ତ୍ତି ଧାନ ବିଲ ଭିତରକୁ ଓଲଟି ପଡ଼ିଥିଲା।
ବରଙ୍କ କହିବା ଅନୁଯାୟୀ, କାର୍ର ବନେଟ୍ରେ ଲାଗିଥିବା ଫୁଲ ସାଜସଜ୍ଜା ପ୍ରବଳ ପବନରେ ଉଡ଼ି ଆସି ସାମ୍ନା କାଚ ଉପରେ ପଡ଼ିଯାଇଥିଲା।
ଫଳରେ ଡ୍ରାଇଭରଙ୍କୁ ରାସ୍ତା ଦେଖାଯାଇନଥିଲା।
ଏହାପରେ କାର୍ଟି ନିୟନ୍ତ୍ରଣ ହରାଇ ଧାନ ବିଲକୁ ଓଲଟି ପଡ଼ିଥିଲା।
Advertisment କାଦୁଅରେ ବୁଡ଼ିଗଲା କନ୍ୟାଙ୍କ ସଜବାଜ!
ଦୁର୍ଘଟଣା ପରେ କାର୍ଟି ରାସ୍ତାଠାରୁ ପ୍ରାୟ ଏକ ମିଟର ତଳେ ଥିବା ବିଲରେ କଡ଼ ମାଡ଼ି ପଡ଼ିଥିଲା।
କାର୍ର ଝରକା ପଟ କାଦୁଅ ଆଡ଼କୁ ଥିବାରୁ କନିଆଙ୍କ ସମ୍ପୂର୍ଣ୍ଣ ପୋଷାକ ଓ କେଶ କାଦୁଅରେ ଭରିଯାଇଥିଲା।
ଏହା ଦେଖି ବିବାହ ଶୋଭାଯାତ୍ରାରେ ଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ।
ପ୍ରଥମେ କିଛି ଯୁବକ କାର୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସଫଳ ନହେବାରୁ ଗାଁର ଅନେକ ଲୋକ ଏକାଠି ହୋଇ କାର୍କୁ ଉଠାଇଥିଲେ।
ଶେଷରେ ବର ଓ କନିଆଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ମାଆ ଓ ଗର୍ଭସ୍ଥ ଶିଶୁ ସୁସ୍ଥ, ପୁଣି ଆରମ୍ଭ ହେଲା ବିବାହ ଉତ୍ସବ କନିଆ ଗର୍ଭବତୀ ଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା।
ତାଙ୍କୁ ବର ଘରକୁ ନିଆଯାଇଥିଲା।
ସେଠାରେ ସେ ଗାଧୋଇ ଅନ୍ୟ ପୋଷାକ ପିନ୍ଧିବା ପରେ ପୁଣି ଆରମ୍ଭ ହୋଇଥିଲା ବିବାହ ଉତ୍ସବ।
ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ଯାଞ୍ଚ ପରେ ଡାକ୍ତର ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ସୁସ୍ଥ ଥିବା ସ୍ପଷ୍ଟ କରିଥିଲେ।
ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ନବଦମ୍ପତିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ବିବାହ ଦିନରେ ବ୍ରାଇଡାଲ୍ ଲୁକ୍ ବିଗିଡ଼ିଗଲା ସତ, ହେଲେ ଜୀବନର ସବୁଠାରୁ ବଡ଼ ଖୁସି ଫେରିପାଇଲେ ଏହି ଦମ୍ପତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
