Bolbom Bazaar: ବୋଲ୍ବମ୍ ବଜାର
"ଧର୍ମ ଓ ଆଧ୍ୟାତ୍ମିକତାକୁ ବାଦ୍ଦେଇ ଆମ ଦେଶର ପରିକଳ୍ପନା ଅସମ୍ଭବ।
ଆମର ପ୍ରତ୍ୟେକ କ୍ରିୟାକଳାପ, ଉତ୍ସବ, ସଙ୍ଗଠନ ବା ସାମାଜିକ ଅନୁଷ୍ଠାନରେ ଧର୍ମର କିଛି ନା କିଛି ଝଲକ ଦେଖିବାକୁ ମିଳେ, ସେହିପରି କେତେକ କ୍ଷେତ୍ରରେ ଧର୍ମ ହିଁ ପ୍ରମୁଖ ଭୂମିକା ନିର୍ବାହ କରିଥାଏ।
ସୋମବାର ହେଉ ବା ଗୁରୁବାର, ଆଷାଢ଼ ହେଉ ବା କାର୍ତ୍ତିକ, ପ୍ରତି ବାର ଓ ମାସ ଆମ ପାଇଁ କୌଣସି ନା କୌଣସି ଗୁରୁତ୍ବ ବହନ କରେ।
ଏହି ବିଶ୍ବାସରେ ଶ୍ରାବଣ କହିଲେ ଆମେ ଭଗବାନ ଶିବଙ୍କ ମାସକୁ ବୁଝୁ, ଶିବାଳୟ ହୁଏ ଚଳଚଞ୍ଚଳ ଆଉ ଆକର୍ଷଣ ସାଜନ୍ତି ଶିବଭକ୍ତ କାଉଡ଼ିଆ।
ଦୂର ଦୂରାନ୍ତରୁ ପାଦରେ ଚାଲି ଚାଲି ଆସି ମହାଦେବଙ୍କୁ ଜଳଲାଗି କରିବାର ଏହି ପରମ୍ପରା ଓଡ଼ିଶାରେ ସମୃଦ୍ଧ ହେଉଥିବା ବେଳେ ଏହାକୁ ନେଇ ଏକ ବିଶାଳ ବଜାର ସୃଷ୍ଟି ହୋଇଛି।
ଏହାର ଅର୍ଥନୀତିକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...Advertisment ଧର୍ମ ଓ ଆଧ୍ୟାତ୍ମିକତାକୁ ନେଇ ଆମ ଲୋକଜୀବନ ଓ ଲୋକସଂସ୍କୃତି।
ଏହାକୁ ଆଧାର କରି ବି ଗଡ଼ି ଚାଲିଛି ପରମ୍ପରା।
ସପ୍ତାହର ପ୍ରତି ବାର ବା ଦିନର ଯେପରି ମହତ୍ତ୍ବ, ସେହିପରି ପ୍ରତି ମାସର ମହତ୍ତ୍ବ।
ଏହି କ୍ରମରେ ଶ୍ରାବଣ ମାସ ସବୁବେଳେ ସ୍ବତନ୍ତ୍ର।
ଏହି ମାସ ଭଗବାନ ଶିବଙ୍କର ମାସ ଭାବେ ଜଣାଶୁଣା।
ଜଗତର ସଂହାର କର୍ତ୍ତା ଭାବେ ପରିଚିତ ମହାଦେବଙ୍କୁ ଏହି ମାସରେ ଜଳାଭିଷେକ ବା ଜଳଲାଗି କଲେ ଅଶେଷ ପୁଣ୍ୟ ହୁଏ ବୋଲି ଆମ ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି।
ଏହାର ଅନୁସରଣ କରି ବର୍ଷାଋତୁର ଏହି ଦ୍ବିତୀୟ ମାସରେ ଶିବ ଆରାଧନା ଲାଗି ଶିବାଳୟ ହୋଇଉଠେ ଲୋକାରଣ୍ୟ।
ପ୍ରଭୁଙ୍କର ଜଳଲାଗି ପାଇଁ କେବଳ ଶିବାଳୟ ନୁହେଁ, ସହରଠାରୁ ଗାଁ, ରାସ୍ତାଘାଟ ମଧ୍ୟ ହୋଇଉଠେ ଗେରୁଆମୟ।
ମାସର ଶନିବାର ବା ରବିବାର ଦିନ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ସଂଗ୍ରହ କରି ଚାଲି ଚାଲି ଯାଇ ଶିବଲିଙ୍ଗରେ ପାଣି ଢାଳିବାର ଏହି ଯାତ୍ରା କାଉଡ଼ି ଯାତ୍ରା ବା ବୋଲ୍ବମ୍ ଯାତ୍ରା ଭାବେ ପରିଚିତ, ଯେଉଁଠି ଶ୍ରଦ୍ଧାଳୁମାନେ କାଉଡ଼ିଆ ବା ବୋଲ୍ବମ୍ ଭକ୍ତ ଭାବେ ପରିଚିତ।
ପୂରା ଶ୍ରାବଣ ମାସ ଏହିପରି ଆଧ୍ୟାତ୍ମିକ ଯାତ୍ରାର ମାସ ପାଲଟିଯାଏ।
ମାନସିକଧାରୀ କାଉଡ଼ିଆଙ୍କ ଏହି ଯାତ୍ରା ଓ ଶୈବପୀଠରେ ଜଳଲାଗିର ରହିଛି ଏକ ନିଆରା ସଶ୍ରଦ୍ଧ ଆଧ୍ୟାତ୍ମିକ ଦିଗଟିଏ, ତାକୁ କେନ୍ଦ୍ର କରି ସାମୟିକ ହେଲେ ମଧ୍ୟ ଅର୍ଥନୈତିକ ଦିଗଟିଏ ରହିଛି।
ଆଲୋଚକମାନେ କହନ୍ତି, ଜଗତୀକରଣ ଓ ଉଦାରୀକରଣର ଏହି ଯୁଗରେ ଧର୍ମ ବି ମହଙ୍ଗା ହେଲାଣି, ତା" ସହିତ ତା"ର ଆକାର ଓ ପ୍ରକାର ଲୋକଦେଖାଣିଆ ପାଲଟିବାରେ ଲାଗିଲାଣି।
ଏଥିରୁ କାଉଡ଼ି ଯାତ୍ରା ବା ବୋଲ୍ବମ୍ ଯାତ୍ରା ବାଦ୍ ପଡ଼ିନାହିଁ।
କାରଣ ଏ ସମୟରେ ସବୁକିଛିକୁ ବଜାର ହିଁ ନିର୍ଦ୍ଧାରଣ କରୁଛି।
Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ ଓଡ଼ିଶାରେ ବୋଲ୍ବମ୍ର ପରମ୍ପରାଦେଖିବାକୁ ଗଲେ କାଉଡ଼ିଅା ଯାତ୍ରା ବା ବୋଲ୍ବମ୍ ଯାତ୍ରା ଓଡ଼ିଶାର ନିଜସ୍ବ ପରମ୍ପରା ନୁହେଁ ବୋଲି ଆଲୋଚକମାନେ କହନ୍ତି।
ଏହା ଆମର ପଡ଼ୋଶୀ ରାଜ୍ୟର ଧର୍ମୀୟ ପରମ୍ପରା ଏବଂ କ୍ରମେ ଓଡ଼ିଶାରେ ଲୋକପ୍ରିୟ ହୋଇଛି।
ପୌରାଣିକ କାହାଣୀ ଅନୁସାରେ, ଭଗବାନ ଶ୍ରୀରାମ ହେଉଛନ୍ତି ପ୍ରଥମ କୱାଡ଼ି ଯାତ୍ରୀ।
ମତ ଅନୁସାରେ, ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଝାଡ଼ଖଣ୍ଡର ସୁଲ୍ତନ୍ଗଞ୍ଜରୁ କାନ୍ଧରେ ପାଣି ଭାର ନେଇ ବୈଦ୍ୟନାଥସ୍ଥିତ ଜ୍ୟୋତିର୍ଲିଙ୍ଗଙ୍କୁ ଜଳାଭିଷେକ କରିଥିଲେ।
ସେବେଠାରୁ ବୋଲ୍ବମ୍ ଯାତ୍ରା ଆରମ୍ଭ ହୋଇଛି।
କେବଳ ଝାଡ଼ଖଣ୍ଡ ନୁହେଁ, ସମଗ୍ର ଉତ୍ତର ଭାରତରେ ଏହି ଜଳାଭିଷେକ ଯାତ୍ରା ଅତ୍ୟନ୍ତ ଲୋକପ୍ରିୟ।
ସେଠାକାର ବହୁ ସଂଖ୍ୟକ ବାସିନ୍ଦା ଓଡ଼ିଶାରେ ସ୍ଥାୟୀ ଭାବେ ବସବାସ କରିବା ପରେ ଏହି ପରମ୍ପରାର ମୂଳଦୁଆ ପକାଇଥିଲେ।
ଲେଖକ ତଥା ଶ୍ରୀଲିଙ୍ଗରାଜଙ୍କ ସେବକ ଭାଗୀରଥି ମହାସୁଆର କହନ୍ତି, ""୧୯୮୦ ଦଶକ ପୂର୍ବରୁ ପ୍ରାୟତଃ କାଉଡ଼ିଆ ଯାତ୍ରା ଓଡ଼ିଶାରେ ନଥିଲା।
ଆମ ଏଠାରେ ରହୁଥିବା ଉତ୍ତର ଭାରତୀୟମାନେ ଏହି ଧାରା ଆରମ୍ଭ କରିଥିଲେ।
କ୍ରମେ ଓଡ଼ିଆ ଲୋକେ ଏହାକୁ ଗ୍ରହଣ କରିନେଲେ।
ଏବେ ଲକ୍ଷ ଲକ୍ଷ ସଂଖ୍ୟାରେ କାଉଡ଼ିଆ ଏକାମ୍ରକ୍ଷେତ୍ର ଓ ଅନ୍ୟ ପ୍ରସିଦ୍ଧ ଶୈବକ୍ଷେତ୍ରରେ ଜଳଲାଗି କରୁଛନ୍ତି।"" ପୁରାତନ ସମୟରୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ନଦୀରୁ ପାଣି ସଂଗ୍ରହ କରି ପୂଜାର୍ଚ୍ଚନା ତଥା ମହାଦେବଙ୍କ ଜଳଲାଗି କରୁଥିଲେ।
ବିଂଶ ଶତାବ୍ଦୀର ୧୯୬୦ ଦଶକ ପର୍ଯ୍ୟନ୍ତ ଓଡ଼ିଶାରେ ଏହା କେବଳ ସନ୍ନ୍ୟାସୀ, ମଠର ସାଧୁସନ୍ଥ କିମ୍ବା ଉତ୍ତର ଭାରତରୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ସୀମିତ ଥିଲା।
ସେତେବେଳେ ଆଜି ଭଳି ଏହି ଯାତ୍ରା ଏତେ ଆଡ଼ମ୍ବରପୂର୍ଣ୍ଣ ନଥିଲା।
ତେବେ ୧୯୮୦ ଓ ୯୦ ଦଶକ ପରେ କାଉଡ଼ି ଯାତ୍ରା ଅଧିକରୁ ଅଧିକ ଲୋକପ୍ରିୟ ହେବାକୁ ଲାଗିଲା।
ପ୍ରଥମେ ପ୍ରଥମେ ସହରାଞ୍ଚଳର ଯୁବକମାନେ ଗେରୁଆ ବସ୍ତ୍ର ପିନ୍ଧି ସାମୂହିକ ଭାବେ ବୋଲ୍ବମ୍ ଯାତ୍ରା କରିବା ଆରମ୍ଭ କଲେ।
ପରବର୍ତ୍ତୀ ସମୟରେ ଏହି ଯାତ୍ରାରେ ମହିଳା ଓ କିଶୋର-କିଶୋରୀମାନେ ମଧ୍ୟ ସାମିଲ ହେଲେ।
ପ୍ରଥମେ ଶୈବକ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିରରୁ ବିଶେଷ ଭାବେ ଏହି ଧାରା ଆରମ୍ଭ ହେଲା।
ତା"ପରେ ଧୀରେ ଧୀରେ ଅନ୍ୟଆଡ଼କୁ ବ୍ୟାପିଗଲା।
ଏବେ କଟକ ଜିଲ୍ଲାର ଧବଳେଶ୍ୱର, ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା ଓ କୋରାପୁଟର ଗୁପ୍ତେଶ୍ବର ପୀଠ ଏବଂ ରାଜ୍ୟର ଅନ୍ୟ ଛୋଟବଡ଼ ଶୈବପୀଠରେ ମଧ୍ୟ ଶ୍ରାବଣ ମାସର ପ୍ରତି ସୋମବାର କାଉଡ଼ିଆମାନେ ଜଳଲାଗି କରୁଛନ୍ତି।
ଆଜିର ସମୟରେ ସାରା ଓଡ଼ିଶାରେ ଲକ୍ଷାଧିକ ପୁରୁଷ ଓ ମହିଳା ଜଳାଶୟରୁ ଜଳ ସଂଗ୍ରହ କରି ତାକୁ ବାହୁଙ୍ଗିରେ ବୋହି ଚାଲି ଚାଲି ନିଜର ଈପ୍ସିତ ପୀଠରେ ପହଞ୍ଚୁଛନ୍ତି।
ନିଜର ସାମର୍ଥ୍ୟ ଓ ମାନସିକ ଅନୁସାରେ କେହି ୫ କିଲୋମିଟର ପଦଯାତ୍ରା କରୁଥିବା ବେଳେ କେହି କେହି ୫୦ କିଲୋମିଟର ବା ତଦୂର୍ଦ୍ଧ୍ବ ଦୂରତ୍ବ ଅତିକ୍ରମ କରି ଜଳଲାଗି କରୁଛନ୍ତି।
ଏକ ବେସରକାରୀ ହିସାବ ଅନୁଯାୟୀ, ଓଡ଼ିଶାରେ ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷ ଲୋକ କାଉଡ଼ିଆ ଯାତ୍ରାରେ ସାମିଲ ହୋଇଥାଆନ୍ତି।
ବୋଲ୍ବମ୍ ଯାତ୍ରାର ବିଶାଳ ବଜାରଏହି ଲୋକପ୍ରିୟ ପରମ୍ପରା ଏକ ବଡ଼ ବଜାରକୁ ଜନ୍ମ ଦେଇଛି।
ଦୀର୍ଘ ଏକମାସ ଧରି ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାତ୍ରାରେ ଅଂଶଗ୍ରହଣ କରିବା ହେତୁ ସେମାନଙ୍କର ଆବଶ୍ୟକତା ପୂରଣ ଲାଗି ସ୍ବତନ୍ତ୍ର ସାମଗ୍ରୀ ପ୍ରସ୍ତୁତ ହେଉଛି।
ଏଥିସହ ସେମାନଙ୍କର ରହିବା, ଖାଇବା ଓ ଯିବାଆସିବା ଆବଶ୍ୟକତା େହାଟେଲ୍, ଖାଦ୍ୟ ଓ ପରିବହନ ଶିଳ୍ପକୁ ରୋଜଗାର ଦେଉଛି।
ଓଡ଼ିଶା କଥାକୁ ବିଚାର କଲେ ପୂର୍ବରୁ ବୋଲ୍ବମ୍ ବଜାର ବୋଲି କିଛି ନଥିଲା।
କାରଣ ଆରମ୍ଭରେ ଏହି ଯାତ୍ରା ଏତେ ଚାକଚକ୍ୟପୂର୍ଣ୍ଣ ନ ଥିଲା।
କିଛି ସାଙ୍ଗସାଥୀ ବା ଶ୍ରଦ୍ଧାଳୁ ଏକାଠି ହୋଇ ପାଣିଢ଼ଳା ଯାତ୍ରାରେ ବାହାରୁଥିଲେ।
ତେଣୁ ସେମାନେ ବିଭିନ୍ନ ସ୍ଥାନରୁ ସରଞ୍ଜାମ ଯୋଗାଡ଼ କରୁଥିଲେ କିମ୍ବା ନିଜ ନିଜ ସ୍ତରରେ ସେଗୁଡ଼ିକ ତିଆରି କରିନେଉଥିଲେ।
ଏଥିରେ ସ୍ଥାନୀୟ ଲୋକଙ୍କର ମଧ୍ୟ ସହଯୋଗ ରହୁଥିଲା।
ତେବେ ଟେଲିଭିଜନ୍େର ପ୍ରଚାର ପ୍ରସାର ବ୍ୟାପକ ହେବାପରେ ଉତ୍ତରପ୍ରଦେଶ ଓ ବିହାର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ହେଉଥିବା ଭବ୍ୟ କାଉଡ଼ି ଯାତ୍ରା ଦ୍ବାରା ଯୁବାବର୍ଗ ପ୍ରଭାବିତ ହେଲେ।
ଧୀରେ ଧୀରେ କାଉଡ଼ି ଯାତ୍ରା ପାଇଁ ଆବଶ୍ୟକ ସାମଗ୍ରୀକୁ ନେଇ ସୃଷ୍ଟି ହେଲା ସ୍ବତନ୍ତ୍ର ବଜାର।
କାଉଡ଼ିଆ ଯାତ୍ରାର ନିୟମାବଳୀ ହିଁ ସାମଗ୍ରୀ ଯୋଗାଣକୁ ପ୍ରୋତ୍ସାହନ ଦେଲା।
ଏହି ଯାତ୍ରାରେ ବାହାରିବା ପୂର୍ବରୁ ନଦୀ ବା ପୁଷ୍କରିଣୀରୁ କଳସରେ ଜଳ ସଂଗ୍ରହ କରିବାକୁ ପଡ଼େ।
କାଉଡ଼ିଆମାନେ ଏକ ସ୍ୱତନ୍ତ୍ର ବାଉଁଶ ବା ଦଣ୍ଡା (କାଉଡ଼ି)ର ଦୁଇ ପାଖରେ ପାଣିଭର୍ତ୍ତି କଳସ ଝୁଲାଇ ପାଦରେ ଚାଲି ଚାଲି ମନ୍ଦିର ପର୍ଯ୍ୟନ୍ତ ଯାଇଥାନ୍ତି।
ସାଧାରଣତଃ ଯାତ୍ରାକାଳରେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଥାଆନ୍ତି।
ଏହି ସମୟରେ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଭୋଜନ କରିବାକୁ ପଡ଼େ।
କାଉଡ଼ିଆଙ୍କ କହିବା ଅନୁସାରେ, ସେମାନେ ଶ୍ରାବଣ ମାସ ଆରମ୍ଭରୁ ଆମିଷ, ପିଆଜ ଓ ରସୁଣ ବର୍ଜନ କରିବା ସହ ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତି ଓ ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି।
ଶିବ ମନ୍ଦିର ପର୍ଯ୍ୟନ୍ତ ସମଗ୍ର ରାସ୍ତା ଖାଲି ପାଦରେ ଯିବାକୁ ହୋଇଥାଏ।
ଏହି ପରମ୍ପରା ହିଁ ବଜାର ସୃଷ୍ଟି କରିଛି।
ଶ୍ରାବଣ ଆସିଲେ ଭଳିକି ଭଳି ଚିତ୍ରିତ ବାହୁଙ୍ଗୀ, ମାଟି, ତମ୍ବା ବା ପ୍ଲାଷ୍ଟିକ୍ ପାତ୍ର, ଜଳପାତ୍ରକୁ କାଉଡ଼ିର ଦୁଇ ପାଖରେ ବାନ୍ଧିବା ପାଇଁ ରଙ୍ଗିନ ଶିକା, ଗେରୁଆ ବସ୍ତ୍ର, ରୁଦ୍ରାକ୍ଷ ମାଳା, କାଉଡ଼ିରେ ବାନ୍ଧିବା ପାଇଁ କିମ୍ବା ହାତରେ ଧରିବା ପାଇଁ ଛୋଟ ଛୋଟ ଘଣ୍ଟି ଓ ବିଭିନ୍ନ ପୂଜା ସାମଗ୍ରୀ ଦୋକାନରେ ଭର୍ତ୍ତି ହୋଇଯାଏ।
ତା" ସହିତ ରାତିରେ ପଦଯାତ୍ରା ପାଇଁ ଟର୍ଚ ଓ ପ୍ରାଥମିକ ଚିକିତ୍ସା ବାକ୍ସ ବି।
କେବଳ ଏତିକି ନୁହେଁ, ବୋଲ୍ବମ୍ ଯାତ୍ରାକୁ ସୁଖକର କରିବା ଲାଗି ଆହୁରି ଅନେକ ଉପକରଣ ଏବେ ବଜାରରେ ଉପଲବ୍ଧ ହେଉଛି।
ଶ୍ରାବଣ ଆସିଲେ ଗ୍ରାମାଞ୍ଚଳରେ ମଧ୍ୟ ସ୍ବତନ୍ତ୍ର ବୋଲ୍ବମ୍ ବଜାର ବସୁଛି।
ଅର୍ଥନୈତିକ ଇଞ୍ଜିନ୍ବର୍ତ୍ତମାନ ସମୟରେ ରାଜ୍ୟ ବା ଜାତୀୟ ଅର୍ଥନୀତିକୁ ବୃହତ୍ ଅର୍ଥନୀତି ଦିଗ ନିର୍ଦ୍ଦେଶ କରୁନାହିଁ।
ଛୋଟ ଛୋଟ ଆଞ୍ଚଳିକ ଅର୍ଥନୀତି ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି।
ସେଥିପାଇଁ ଲୋକାଲ୍ ହିଁ ଗ୍ଲୋବାଲ୍ କଥା କୁହାହେଉଛି।
ସବୁବେଳେ ବୃହତ୍ ଅର୍ଥନୀତି ଉପରେ ନିବେଶକ ଓ ବ୍ୟବସାୟୀ ନଜର ନଦେଇ ଆଞ୍ଚଳିକ ଓ ସ୍ଥାନୀୟ ଅର୍ଥନୀତି ଉପରେ ମଧ୍ୟ ଦୃଷ୍ଟି କେନ୍ଦ୍ରିତ କରୁଛନ୍ତି।
ସବୁକ୍ଷେତ୍ରର ଯେ ଏକ ଅର୍ଥନୀତି ରହିଛି, ତାହା ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି ଓ ଏଥିରୁ ଧାର୍ମିକ କ୍ଷେତ୍ର ବାଦ୍ ପଡ଼ିନାହିଁ।
ଏହି ପରିପ୍ରେକ୍ଷୀରେ ଏବେ କାଉଡ଼ିଆ ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବର୍ତ୍ତମାନର ଭାରତୀୟ ଗ୍ରାମୀଣ ଓ ଆଞ୍ଚଳିକ ଅର୍ଥନୀତି ପାଇଁ ଏକ ବୃହତ୍ ଅର୍ଥନୈତିକ ଇଞ୍ଜିନ୍।
କାରଣ ଶ୍ରାବଣ ମାସବ୍ୟାପୀ କୋଟି କୋଟି ଭକ୍ତଙ୍କ କାଉଡ଼ି ଯାତ୍ରା ଫଳରେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ହେଉଛି।
ଏହା ମଧ୍ୟ ସାମୟିକ ଭାବେ ଇ-କମର୍ସକୁ ପ୍ରୋତ୍ସାହିତ କରୁଛି।
ଦେଶର ଏହି ପରିଦୃଶ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଲାଣି।
ପୂର୍ବରୁ ଓଡ଼ିଶାରେ ଏହି ଯାତ୍ରା ଏତେଟା ଲୋକପ୍ରିୟ ନଥିଲା।
ତେବେ ସମୟ ବଦଳିବା ସହ ବୋଲ୍ବମ୍ ବଜାରର ଅର୍ଥନୈତିକ ଇଞ୍ଜିନ୍ରେ ଓଡ଼ିଶା ମଧ୍ୟ ଯୋଡ଼ିହେଲାଣି।
ଗତ କିଛିବର୍ଷ ହେଲା, ଶ୍ରାବଣ ସୋମବାରର ପ୍ରତି ପାଳିରେ ଓଡ଼ିଆ ବୋଲ୍ବମ୍ ଭକ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ଓ ସେହି ଅନୁପାତରେ ବୋଲ୍ବମ୍ ବଜାର ଏକପ୍ରକାର ବ୍ୟବସ୍ଥିତ ହୋଇଗଲାଣି।
କେଉଁ ବ୍ୟବସାୟ, କେତେ କାରବାରପୋଷାକପତ୍ର କଥା ଦେଖିଲେ, ଶ୍ରାବଣ ମାସର ଓଡ଼ିଶା ବଜାରରେ ଗେରୁଆ ରଙ୍ଗର ହାଫ୍ପ୍ୟାଣ୍ଟ୍, ଟି-ସାର୍ଟ, ଚଷମା, ଗାମୁଛା, ଶାଢ଼ି, ସଲ୍ୱାର୍ ଓ ସର୍ଟସ୍ର ବ୍ୟବସାୟ ଶୀର୍ଷରେ ରହିଥାଏ।
ଚାଟାର୍ଡ ଆକାଉଣ୍ଟାଣ୍ଟ୍ ବବିତା ଦାଶଙ୍କ ଆକଳନ ଅନୁସାରେ, କେବଳ ପୋଷାକ ବଜାରରେ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୧୦ କୋଟି ଟଙ୍କାର କାରବାର ହେଉଛି।
ଗେରୁଆ ପ୍ୟାଣ୍ଟ୍ ଓ ଗଞ୍ଜିର ଦର ପ୍ରାୟତଃ ୧୫୦ ଟଙ୍କାରୁ ଆରମ୍ଭ ହୋଇଥାଏ।
ସେହିପରି ମହିଳାଙ୍କ ଲାଗି ଗେରୁଆ ଶାଢ଼ି ଓ ସଲ୍ୱାର୍ର ଦର ୩୦୦ ଟଙ୍କାରୁ ଆରମ୍ଭ।
ସ୍ଥାନୀୟ ରୋଜଗାର ସୃଷ୍ଟିରେ ଏହାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି।
ଏଥିପାଇଁ ବାଉଁଶ କାରିଗରମାନେ ବୋଲ୍ବମ୍ ଯାତ୍ରାର ୨-୩ ମାସ ପୂର୍ବରୁ କାଉଡ଼ି ତିଆରି କାମ ଆରମ୍ଭ କରନ୍ତି। େତବେ ଏଥିରେ ଲାଗୁଥିବା ଭଳିକି ଭଳି ରଙ୍ଗିନ କପଡ଼ା, ପ୍ଲାଷ୍ଟିକ୍ ଫୁଲ, ପ୍ଲାଷ୍ଟିକ୍ ନାଗ ଓ ଘଣ୍ଟି ପ୍ରାୟତଃ କୋଲ୍କାତାରୁ ଆସେ ଏବଂ କଟକରେ ଏହାର ହୋଲ୍ସେଲିଂ ରହିଛି।
ଭୁବନେଶ୍ବରର କ୍ୟାପିଟାଲ୍ ହାଟର ବ୍ୟବସାୟୀ ଚିନ୍ମୟ ସାହୁ କହନ୍ତି, ""ଉତ୍ତରପ୍ରଦେଶର ହରିଦ୍ୱାର ଓ ବାରାଣସୀ ବୋଲ୍ବମ୍ ଯାତ୍ରା ସାମଗ୍ରୀର ସବୁଠାରୁ ବଡ଼ ଉତ୍ପାଦନ କେନ୍ଦ୍ର।
ସେସବୁ ସ୍ଥାନ ଦୂର ହୋଇଥିବାରୁ ଆମେ କୋଲ୍କାତାରୁ ମାଲ୍ ଆଣିଥାଉ।
କଟକର ଚୌଧୁରୀବଜାର, ବକ୍ସିବଜାର, ପିଠାପୁର, ହରିପୁର ଏବଂ ଭୁବନେଶ୍ୱରର ୟୁନିଟ୍-୧ ଓ ୟୁନିଟ୍-୨ ମାର୍କେଟ୍ ବିଲଡିଂ, ପୁରୁଣା ଭୁବନେଶ୍ବର ଅଞ୍ଚଳ ପୂଜା ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀର ପେଣ୍ଠ।
ସେହିପରି ପୁରୀର ସିଂହଦ୍ବାର ନିକଟବର୍ତ୍ତୀ ଅଞ୍ଚଳ ଏଥିପାଇଁ ଜଣାଶୁଣା।"" Narendra Modi: ଆଜି ନଶା ମୁକ୍ତ ଯୁବ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ସାଧାରଣ କାଉଡ଼ି ତିଆରି କରିବାକୁ ୩୦ରୁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଜାରରେ ଏହା ୧୫୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ।
ପରିବହନ ବ୍ୟବସାୟ ପାଇଁ ବି ଏହି ଯାତ୍ରା ବେପାରର ସମୟ।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜଳ ଆଣିବା ପାଇଁ ଜଳାଶୟକୁ ଆସିବା ଲାଗି ଅଟୋ, ପିକ୍ଅପ୍ ଭ୍ୟାନ୍ ଓ ମିନିବସ୍ ବ୍ୟବହାର କରିଥାଆନ୍ତି।
ଆଜିକାଲି ଯେଉଁମାନେ ଦଳବଦ୍ଧ ହୋଇ ବୋଲ୍ବମ୍ ଯାତ୍ରାରେ ବାହାରୁଛନ୍ତି, ସେମାନେ ସାଙ୍ଗରେ ଗୋଟାଏ ପିକ୍ଅପ୍ ଭ୍ୟାନ୍ ରିଜର୍ଭ କରି ରଖୁଛନ୍ତି।
ଉକ୍ତ ଭ୍ୟାନ୍ଟି ସେମାନଙ୍କ ଆଗେ ଆଗେ ଚାଲୁଛି।
ସେଥିରେ ମାଇକ୍ରୁ ଗୀତ ବଜାଯାଉଛି।
ଶ୍ରାବଣ ଶନିବାର ଓ ରବିବାର ଗାଡ଼ି ମାଲିକ ଓ ଟ୍ରାଭେଲ୍ ଏଜେନ୍ସିଗୁଡ଼ିକର ବ୍ୟବସାୟ ପ୍ରାୟ ୩୦ରୁ ୪୦ ପ୍ରତିଶତ ବଢ଼ିଥାଏ ବୋଲି କହନ୍ତି ରଜନୀ ଟ୍ରାଭେଲ୍ସର ସ୍ବତ୍ବାଧିକାରୀ ବିଶ୍ବମୋହନ ପଣ୍ଡା।
କେବଳ ଏତିକି ନୁହେଁ, ଯେଉଁ ରାସ୍ତା ଦେଇ କାଉଡ଼ିଆମାନେ ଆତଯାତ କରନ୍ତି, ସେ ଅଞ୍ଚଳର ହୋଟେଲ୍ଗୁଡ଼ିକରେ ବ୍ୟବସାୟ ବଢ଼ିଥାଏ।
କାଉଡ଼ିଆମାନେ କେବଳ ବିନା ପିଆଜ-ରସୁଣର ସାତ୍ତ୍ୱିକ ଖାଦ୍ୟ ଖାଇଥାନ୍ତି।
ଏଥିପାଇଁ କାଉଡ଼ିଆ ଚାଲି ଚାଲି ଯାଉଥିବା ଜାତୀୟ ରାଜପଥ ବା ଅନ୍ୟ ରାସ୍ତାଗୁଡ଼ିକର କଡ଼ରେ ଥିବା ଢାବା ଓ ହୋଟେଲ୍ଗୁଡ଼ିକ ଏହି ସମୟରେ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି।
ସେହିପରି ଫଳ ଓ ପାନୀୟ ଜଳ, ପଇଡ଼, କଦଳୀ, ସେଓ ଆଦି ଫଳର ବିକ୍ରି ବି ବହୁ ପରିମାଣରେ ବଢ଼ିଯାଏ।
ପୁଣି ଅନେକ ସ୍ବେଚ୍ଛାସେବୀ ସଂଗଠନ, କ୍ଲବ୍ ଓ ଅନୁଷ୍ଠାନ କାଉଡ଼ିଆଙ୍କ ଲାଗି ବିଶ୍ରାମସ୍ଥଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଫଳରେ ଟେଣ୍ଟ୍ ହାଉସ୍ ଓ କ୍ୟାଟରିଂ ସଂସ୍ଥାଗୁଡ଼ିକ ମଧ୍ୟ କାମ ପାଉଛନ୍ତି।
ସେତିକି ନୁହେଁ, ବହୁ ସ୍ଥାନରେ େବାଲ୍ବମ୍ ଯାତ୍ରା କାଳରେ ରାତିରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହେଉଛି।
ଏହା କଳାକାରମାନଙ୍କୁ ରୋଜଗାର ଯୋଗାଉଛି।
ଏସବୁ କାର୍ଯ୍ୟକ୍ରମ ଲାଗି ଲାଇଟ୍ ଓ ସାଉଣ୍ଡ୍ ସିଷ୍ଟମ୍ ଲୋଡ଼ା ହୋଇଥାଏ।
ତେଣୁ ମାଇକ୍ ଓ ଲାଇଟ୍ ଭଡ଼ାରେ ଦେଉଥିବା ସଂସ୍ଥାଙ୍କୁ ଭଲ ବେପାର ମିଳିଥାଏ।
ଏଥିସହ ଅସ୍ଥାୟୀ ରୋଜଗାର ସୃଷ୍ଟି ଦିଗରେ ବି ଏହାର ଅବଦାନ କମ୍ ନୁହେଁ।
ଏସବୁ ଆୟୋଜନରେ ବୋଲହାକ ଓ ଅନ୍ୟ କାମ କରିବା ଲାଗି ବହୁ ସଂଖ୍ୟକ ମଜୁରିଆ ଓ ହେଲ୍ପର୍ ବି କାମ ପାଇଥାଆନ୍ତି।
ଏହି ସମୟରେ ସ୍ଥାନୀୟ ପ୍ରଶାସନ ରାସ୍ତା, ପରିମଳ, ସ୍ୱଚ୍ଛତା ଓ ସୁରକ୍ଷା ପାଇଁ ଅନେକ ଅର୍ଥ ବ୍ୟୟ କରିଥାନ୍ତି, ଯାହା ଫଳରେ ଆଞ୍ଚଳିକ ଅର୍ଥନୀତିର ବିକାଶ ଘଟିଥାଏ।
ଯଦି ଏ ସମସ୍ତ କାରବାରକୁ ଆମେ ଆକଳନ କରିବା ତେବେ ଓଡ଼ିଶାରେ ବୋଲ୍ବମ୍ ବ୍ୟବସାୟର ଆକାର ଅତି କମ୍ରେ ୨୫ରୁ ୩୦ କୋଟି ଭଳି ହେବ ବୋଲି ଚାଟାର୍ଡ ଆକାଉଣ୍ଟାଣ୍ଟ ବବିତା ଦାଶ ଅନୁମାନ କରନ୍ତି।
କାଉଡ଼ିଆ ଯାତ୍ରାରେ କେଉଁ ବ୍ୟବସାୟ ଅଧିକ ହୁଏ ବୋଲି ପ୍ରଶ୍ନରେ ସେ କହନ୍ତି, ହୋଟେଲ୍, ଧର୍ମଶାଳା, ଢାବା, ରେସ୍ତୋରଁା, ଫଳ-ପନିପରିବା ବିକ୍ରେତା, କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ, ପୂଜା ସାମଗ୍ରୀ, ଟେଣ୍ଟ୍ ହାଉସ୍, ପରିବହନ, ମେଡିକାଲ୍ ଷ୍ଟୋର୍, ମୋବାଇଲ୍ ଚାର୍ଜିଂ ଓ ରିପେୟାରିଂ ଏବଂ କପଡ଼ା ଦୋକାନର ବ୍ୟବସାୟକୁ କାଉଡ଼ିଆ ଯାତ୍ରା ଭଲ ରୋଜଗାର ଦେଇଥାଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।