03 NOVEMBER 2026

Welcome!

Unlock your personalized experience.
Sign Up

Battle for Prestige: ପତିଆରା ଲଢ଼େଇ: ଓଏଫ୍‌ଡିସି ଅଧ୍ୟକ୍ଷ ଓ ଏମ୍‌ଡିଙ୍କ ମଧ୍ୟରେ ଶୀତଳଯୁଦ୍ଧ

Nov 03, 2026 - 03:16
Battle for Prestige: ପତିଆରା ଲଢ଼େଇ: ଓଏଫ୍‌ଡିସି ଅଧ୍ୟକ୍ଷ ଓ ଏମ୍‌ଡିଙ୍କ ମଧ୍ୟରେ ଶୀତଳଯୁଦ୍ଧ
ଭୁବନେଶ୍ବର: ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ରେ ପ୍ରଶାସନିକ ଅଚଳାବସ୍ଥା ଦେଖିବାକୁ ମିଳିଛି। ଗୋଟିଏ ପଟେ ଓଏଫ୍‌ଡିସି ଅଧ୍ୟକ୍ଷ ତଥା ୧୯୯୫ ବ୍ୟାଚ୍‌ ଆଇଏଏସ୍ ବିଷ୍ଣୁପଦ ସେଠୀ ଓ ଅନ୍ୟପଟେ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ୧୯୯୩ ବ୍ୟାଚ୍ ଆଇଏଫଏସ୍ ପ୍ରେମ କୁମାର ଝାଙ୍କ ମଧ୍ୟରେ କିଛିଦିନ ଧରି ଚାଲିଥିବା ଛକାପଞ୍ଝା ଏବେ ଉଗ୍ରରୂପ ନେଇଛି। କର୍ମଚାରୀଙ୍କ ବଦଳିକୁ ନେଇ ନିଗମର ଅଧ୍ୟକ୍ଷ ଓ ଏମ୍‌ଡିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଏବେ ପ୍ରଶାସନିକ ସଙ୍କଟ ସୃଷ୍ଟି କରିବା ସହ କର୍ମଚାରୀଙ୍କୁ ଅତିଷ୍ଠ କରିଛି। ଏମ୍‌ଡି ଶ୍ରୀ ଝା’ଙ୍କ ଦ୍ୱାରା କର୍ମଚାରୀଙ୍କ ବଦଳି ଆଦେଶକୁ ବେଆଇନ କହି ଅଧ୍ୟକ୍ଷ ଶ୍ରୀ ସେଠୀ ରଦ୍ଦ କରୁଥିବାବେଳେ ଅନ୍ୟପଟେ ଅଧ୍ୟକ୍ଷଙ୍କ ରଦ୍ଦ ଆଦେଶକୁ ଏମ୍‌ଡି ‘ଡେଫର’ କରି ଖାରଜ କରିଦେଉଛନ୍ତି। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଗମରେ ଦୁଇ ଅଧିକାରୀଙ୍କ ମଧ୍ୟରେ ଏଭଳି ମୁହାଁମୁହିଁ ଏବେ ରାଜ୍ୟ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର କାରଣ ପାଲଟିଛି। ରାଜ୍ୟ ସରକାର ଏଭଳି ସ୍ଥିତି ସମ୍ପର୍କରେ ଅବଗତ ଥିଲେ ମଧ୍ୟ  ସବୁ ଜାଣି ନିରବଦ୍ରଷ୍ଟା ସାଜିଥିବା କର୍ମଚାରୀମାନେ କହିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ ଡେପୁଟେସନରେ ଆସି ଓଏଫ୍‌ଡିସିରେ କାର୍ଯ୍ୟରତ କନିଷ୍ଠ ପ୍ରଶାସନିକ ଅଧିକାରୀ(ଜେଏଓ) ତଥା ଓଆର୍‌ଏସ୍‌ ଅଫିସର ସୁଧୀର କୁମାର ମଲ୍ଲିକଙ୍କ ରିଲିଭ୍‌ ପ୍ରସଙ୍ଗକୁ ନେଇ ଉଭୟ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବର ୨୯ରେ ଏମ୍‌ଡି ଶ୍ରୀ ଝା ବିଜ୍ଞପ୍ତି ଜାରି କରି ଶ୍ରୀ ମଲ୍ଲିକଙ୍କୁ ତୁରନ୍ତ ଦାୟିତ୍ୱରୁ ମୁକ୍ତ କରି ତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହାର ୨୪ ଘଣ୍ଟା ନପୂରୁଣୁ ଅକ୍ଟୋବର ୩୦ରେ ନିଗମ ଅଧ୍ୟକ୍ଷ ଶ୍ରୀ ସେଠୀ ଅଫିସ୍‌ ଅର୍ଡର ଜାରି କରି ଏମ୍‌ଡିଙ୍କ ଆଦେଶକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ତଥା ରଦ୍ଦ କରିଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ସେଠୀ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ଯେ, ଶ୍ରୀ ମଲ୍ଲିକ ରାଜସ୍ୱ ବିଭାଗର ଜଣେ ଓଆରଏସ୍‌ ଅଧିକାରୀ। ତାଙ୍କ ମୂଳ ବିଭାଗ କିମ୍ବା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ କୌଣସି ଅନୁମୋଦନ ବିନା ଏମ୍‌ଡିଙ୍କ ଦ୍ୱାରା ଦିଆଯାଇଥିବା ଏହି ଆଦେଶ ସମ୍ପୂର୍ଣ୍ଣ ମନମୁଖୀ, ଅନଧିକୃତ ଓ କ୍ଷମତାର ଅପବ୍ୟବହାର। ତେଣୁ ଶ୍ରୀ ମଲ୍ଲିକ ନିଜ ପଦବିରେ କାର୍ଯ୍ୟ ଜାରି ରଖିବେ।
ପରିଚାଳନାରେ ସମସ୍ୟା, କର୍ମଚାରୀ ଅତିଷ୍ଠ
ଏମ୍‌ଡି ଶ୍ରୀ ଝା ମଧ୍ୟ ସେହି ଅକ୍ଟୋବର ୩୦ରେ ପାଲଟା ଅଫିସ ଅର୍ଡର ଜାରି କରି ଅଧ୍ୟକ୍ଷ ଶ୍ରୀ ସେଠୀଙ୍କ ରଦ୍ଦ ଆଦେଶକୁ ସ୍ଥଗିତ(ଡେଫର) କରିଦେଇଥିଲେ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଶ୍ରୀ ମଲ୍ଲିକଙ୍କ କାର୍ଯ୍ୟଦକ୍ଷତା ନୈରାଶ୍ୟଜନକ। ସେ ପୂର୍ବରୁ ହିଁ କାର୍ଯ୍ୟରୁ ରିଲିଭ୍ ହୋଇସାରିଥିବାରୁ ଅଧ୍ୟକ୍ଷଙ୍କ ଆଦେଶ ଲାଗୁ ହୋଇପାରିବ ନାହିଁ ଏବଂ ରିଲିଭ୍ ଆଦେଶ ବଳବତ୍ତର ରହିବ। କେବଳ ସେତିକି ନୁହେଁ, ସେହିଦିନ ମେମୋ ନଂ-୧୮୯୮୮ ମାଧ୍ୟମରେ ଶ୍ରୀ ମଲ୍ଲିକଙ୍କ ଇ-ଅଫିସ, ଏଚ୍‌ଆର୍‌ଏମ୍‌ଏସ୍‌ କିମ୍ବା ଏମ୍‌ଆଇଏସ୍‌ ଆଇଡି ଯେପରି ସକ୍ରିୟ ନହୁଏ  ଏବଂ ତାଙ୍କ ପାଖକୁ ଯେଭଳି କୌଣସି ସରକାରୀ ଫାଇଲ୍ ନଯାଏ ତାହା ସୁନିଶ୍ଚିତ କରିବାକୁ ଏଚ୍‌ଆର୍‌ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ଜୁନ୍ ମାସରେ ମଧ୍ୟ ଏକକାଳୀନ ୧୧ଜଣ ଡିଭିଜିନାଲ ମ୍ୟାନେଜରଙ୍କ ବଦଳି ଆଦେଶକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ। ଜୁନ୍ ୨୪ରେ ଏମ୍‌ଡି ଶ୍ରୀ ଝା ୧୧ଜଣ ମ୍ୟାନେଜରଙ୍କ ବଦଳି ଆଦେଶ ଜାରି କରିଥିଲେ। ମାତ୍ର ପରଦିନ ଅର୍ଥାତ୍ ଜୁନ୍‌ ୨୫ରେ ଅଧ୍ୟକ୍ଷ ଶ୍ରୀ ସେଠୀ ବଦଳି ଆଦେଶକୁ ଅଣଅଧିକୃତ ଦର୍ଶାଇ ରଦ୍ଦ କରିଥିଲେ। ପାଖାପାଖି ୮ ମାସ ହେଲା ନିଗମର ଦୁଇ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ଯୋଗୁଁ ପ୍ରଶାସନିକ ପରିଚାଳନା ଏକପ୍ରକାର ସ୍ଥାଣୁ ପାଲଟିଛି। କର୍ମଚାରୀମାନେ କାହା ନିର୍ଦ୍ଦେଶକୁ ପାଳନ କରିବେ ତାହା ଜାଣିପାରୁନାହାନ୍ତି। ସମସ୍ୟା ନେଇ କର୍ମଚାରୀମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ମଧ୍ୟ କେହି ହସ୍ତକ୍ଷେପ କରୁ ନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)