03 NOVEMBER 2026

Welcome!

Unlock your personalized experience.
Sign Up

Editorial: ମୁଖା-ମୁକ୍ତ ବାବୁ

Nov 03, 2026 - 03:16
Editorial: ମୁଖା-ମୁକ୍ତ ବାବୁ

ଜଣେ ଫାଇଲ ଚପାଳି କେବଳ ଖଣ୍ଡେ କାଗଜକୁ ଚପାଇ ଦେଇ ନଥାନ୍ତି; ସେ ଏକ ନିଷ୍ପତ୍ତିକୁ ଚପାଇ ଦେଇଥାନ୍ତି ଯାହା ଉପରେ ହୁଏତ ଏକ ବ୍ୟାବସାୟିକ ପୁଞ୍ଜି ନିବେଶ କିମ୍ବା କେଉଁଠି ଏକ ଡାକ୍ତରଖାନା ସ୍ଥାପନ ନିର୍ଭର କରୁଥାଏ। ସେମିତି ନିଜ କ୍ଷମତା ପରିସରଭୁକ୍ତ ନିଷ୍ପତ୍ତି ନ ନେଇ ମନ୍ତ୍ରୀଙ୍କ ପାଖକୁ ଫାଇଲ ଠେଲୁଥିବା ବାବୁଙ୍କ ଯୋଗୁଁ ଅଯଥା କାଳକ୍ଷେପଣ ଘଟି ତାହା ପ୍ରଶାସନର ଫଳପ୍ରଦତା ହ୍ରାସ କରିଥାଏ।

ବ୍ରିଟେନରେ ୧୮୩୭ରୁ ୧୯୦୧ ପର୍ଯ୍ୟନ୍ତ ରାଣୀ ଭିକ୍ଟୋରିଆଙ୍କର ଦୀର୍ଘ ଛ’ ଦଶନ୍ଧିରୁ ଅଧିକ କାଳବ୍ୟାପୀ ଶାସନ କାଳର ମଧ୍ୟବର୍ତ୍ତୀ ୧୮୫୦-୭୦ ଦଶନ୍ଧି ଦ୍ବୟକୁ ଐତିହାସିକମାନେ ବ୍ରିଟେନର ‘ସୁବର୍ଣ୍ଣ ଯୁଗ’ ରୂପେ ଅଭିହିତ କରିଥାନ୍ତି। ଏଇ ସମୟରେ ବ୍ରିଟିସ ସାମ୍ରାଜ୍ୟର ବିଶ୍ବବ୍ୟାପୀ ବିସ୍ତାର ଘଟିବା ସହିତ ସେ ଦେଶ ଯେ କେବଳ ଅଭୂତପୂର୍ବ ଅର୍ଥନୈତିକ ସମୃଦ୍ଧି ହାସଲ କରିଥିଲା, ତାହା ନୁହେଁ, ସେଇ କାଳଖଣ୍ଡରେ ଅନେକ ଦୂରଦୃଷ୍ଟିସଂପନ୍ନ ପ୍ରଗତିଶୀଳ ରାଜନୈତକ, ସାମାଜିକ ଓ ପ୍ରଶାସନିକ ସଂସ୍କାରମାନ ମଧ୍ୟ କାର୍ଯ୍ୟକାରୀ ହୋଇଥିଲା। ଏଥିପୂର୍ବରୁ ଦେଶର ପ୍ରଶାସନର ସମସ୍ତ ଉଚ୍ଚ ପଦପଦବିରେ କେବଳ ସଂଭ୍ରାନ୍ତ ବଂଶଜମାନେ ଅଧିଷ୍ଠିତ ହେବାର ପରମ୍ପରା ଚଳି ଆସିଥିଲା। ଏଇ ସମୟରେ ଏକ ନୂତନ ଚିନ୍ତାଧାରାର ଆବିର୍ଭାବ ଘଟିଲା ଯେ ବିଶୁଦ୍ଧ ମେଧାବୀମାନଙ୍କ ହସ୍ତରେ ବ୍ରିଟିସ ସାମ୍ରାଜ୍ୟର ପରିଚାଳନା ଦାୟିତ୍ବ ନ୍ୟସ୍ତ କରାଯିବା ଉଚିତ ହେବ। ତା’ ପରଠାରୁ ଜଣେ ବ୍ୟକ୍ତି ତା’ର ଜୀବନରେ ହାସଲ କରୁଥିବା ସଫଳତା ତା’ର ବଂଶଲତା ଉପରେ ନିର୍ଭର କରିବା ପରିବର୍ତ୍ତେ, ତା’ର ମେଧା ଉପରେ ନିର୍ଭର କରିବାକୁ ଆରମ୍ଭ କଲା।
ଏବଂ ଏଇ ମେଧା ଚିହ୍ନଟ ପାଇଁ ଯେଉଁ ପ୍ରତିଯୋଗିତାମୂଳକ ପରୀକ୍ଷାର ପରିକଳ୍ପନା କରାଗଲା, ସେଥିମଧ୍ୟରୁ ଦୁଇଟି ପରୀକ୍ଷାକୁ ଇତିହାସରେ ପୃଥିବୀର କଠିନତମ ପରୀକ୍ଷା ରୂପେ ବିବେଚନା କରାଯାଇଥାଏ। ଗୋଟିଏ ହେଉଛି ଅକ୍ସଫୋର୍ଡର ‘ଅଲ୍ ସୋଲ୍‌ସ କଲେଜ’ର ପ୍ରବେଶିକା ପରୀକ୍ଷା। ଅନ୍ୟଟି ହେଲା- ‘ଇଣ୍ଡିଆନ ସିଭିଲ ସର୍ଭିସ’ ପାଇଁ ପ୍ରବେଶିକା ପରୀକ୍ଷା। ବ୍ରିଟିସ ଶାସନର ଅବସାନ ପରେ ଭାରତରେ ସେଇ ପରୀକ୍ଷାର ନାମରେ ପରିବର୍ତ୍ତନ ଘଟି ତାହା ‘ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ’ ନାମ ବହନ କରିବା ପରେ ଏବଂ ତାହାର ଗଠନରେ କେତେକାଂଶରେ ପରିବର୍ତ୍ତନ ଘଟିବା ପରେ ମଧ୍ୟ ଏଇ ସର୍ବଭାରତୀୟ ପରୀକ୍ଷା ଏବେ ସୁଦ୍ଧା ପୃଥିବୀର କଠିନତମ ବଛାବଛି ପରୀକ୍ଷା ରୂପେ ନିଜର ସେଇ ପାରମ୍ପରିକ ମର୍ଯ୍ୟାଦାକୁ ଅତୁଟ ରଖିଆସିଛି। କହିବା ବାହୁଲ୍ୟ, ସୁଦୂର ଅତୀତରେ ବ୍ରିଟେନରେ ଏହାର ଜନ୍ମ ସମୟରେ ଏଇ ପରୀକ୍ଷା ଯେଉଁଭଳି ଏକ ସ୍ତରୀକୃତ ସମାଜର ବିଭିନ୍ନ ତଥା ଏକାଧିକ ପ୍ରାଚୀରମାନଙ୍କୁ ଭେଦ କରି ଶୀର୍ଷ ସ୍ତରରେ ପହଞ୍ଚିବା ପାଇଁ ଯୁବପିଢ଼ି ସମ୍ମୁଖରେ ଏକ ସିଧାସଳଖ ରାସ୍ତା ରୂପେ ଆବିର୍ଭୂତ ହୋଇଥିଲା, ଭାରତରେ ବର୍ତ୍ତମାନ ମଧ୍ୟ ତାହାର ସେଇ ଚରିତ୍ର ଅକ୍ଷୁଣ୍ଣ ରହିଛି।
ଅମଲାତନ୍ତ୍ରର ଜନକ ରୂପେ ପରିଚିତ ଜର୍ମାନ୍‌ ବିଦ୍ବାନ୍‌ ସମାଜତତ୍ତ୍ବବିତ୍ ମାକ୍ସ ୱେବର ଏକ ବୃହତ୍ ସମାଜର ସୁପରିଚାଳନା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଏକ ଅମଲାତନ୍ତ୍ରର ଗଠନ ବୋଲି ଯେଉଁ ପରିକଳ୍ପନା କରିଥିଲେ, ଏଇ ଭାରତୀୟ ଅମଲାତନ୍ତ୍ର ହେଉଛି ତା’ର ବାସ୍ତବ ରୂପାୟନ ଦିଗରେ ଏକ ପ୍ରମୁଖ ଉଦ୍ୟମ ବୋଲି ବିଚାର କରାଯାଇଥାଏ। ଅନେକ ସମୟରେ ୱେବରଙ୍କର ଏଇ ଆଭିମୁଖ୍ୟ ଯୋଗୁଁ ତାଙ୍କୁ ନାଲିଫିତାବାଦର ସମର୍ଥକ ରୂପେ ସମାଲୋଚନା କରାଯାଇଥାଏ। କିନ୍ତୁ ଏକ ଆଧୁନିକ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ଜଟିଳ ବ୍ୟାପାର ସବୁର କିପରି ଅମଲାତନ୍ତ୍ର ମାଧ୍ୟମରେ ଦକ୍ଷ, ପ୍ରତ୍ୟାଶିତ, ଫଳପ୍ରଦ ପରିଚାଳନା ସମ୍ଭବ ହୋଇପାରିବ, ୱେବର ତାଙ୍କର ତତ୍ତ୍ବରେ ତାହାହିଁ ଦର୍ଶାଇବାକୁ ଚେଷ୍ଟା କରିଥିଲେ।
ୱେବରଙ୍କ ଆଦର୍ଶ ଅମଲାତନ୍ତ୍ର ଯେଉଁ ଚରିତ୍ରର ଅଧିକାରୀ ହୋଇଥାଏ, ତାହା ହେଲା: ଏକ ସ୍ପଷ୍ଟ ପଦାନୁକ୍ରମ (ହାଇଅରାର୍କି), ନିର୍ଦ୍ଧାରିତ ଦାୟିତ୍ବ, ଲିଖିତ ନିୟମାବଳୀ, ପେସାଦାର ଦକ୍ଷତା, ମେଧାଭିତ୍ତିକ ନିଯୁକ୍ତି, ଶୃଙ୍ଖଳିତ ଆଚରଣ ଓ ଅବୈକ୍ତିକ ବା ନିରପେକ୍ଷ ନିଷ୍ପତ୍ତି ଗ୍ରହଣ। ଭାରତୀୟ ଅମଲାତନ୍ତ୍ର ଯେ ଉପରୋକ୍ତ କଠୋର ପରୀକ୍ଷା ମାଧ୍ୟମରେ ଏଥିମଧ୍ୟରୁ ମେଧାଭିତ୍ତିକ ନିଯୁକ୍ତି ଆଦର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରିଆସିଛି, ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ତାହା ଯେ ‘ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ’ (‘ଆଇଏଏସ’)କୁ ଏକ ୱେବରକଳ୍ପିତ ଆଦର୍ଶ ଅମଲାତନ୍ତ୍ରରେ ପରିଣତ କରିଛି, ଏନେଇ ସନ୍ଦେହର ଯଥେଷ୍ଟ ଅବକାଶ ରହିଛି।
ତେବେ ଏଥିସହିତ ଏହା ମଧ୍ୟ ସ୍ବୀକାର କରିବାକୁ ହେବ, ଏଇ ଐତିହ୍ୟସଂପନ୍ନ ସେବାର ମେଧାବୀ ସଦସ୍ୟମାନେ ସମୟେ ସମୟେ ଆତ୍ମସମୀକ୍ଷାରେ ପ୍ରବୃତ୍ତ ହୋଇ ନିଜ ସଂପ୍ରଦାୟର ଦୋଷଦୁର୍ବଳତା ସର୍ବସମକ୍ଷରେ ପ୍ରକାଶ କରିଦେବାକୁ ପଛଘୁଞ୍ଚା ଦେଇନାହାନ୍ତି। ଯେମିତି ୨୮ ଅକ୍‌ଟୋବରରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏବେ କରିଛନ୍ତି ଦେଶର ସର୍ବୋଚ୍ଚ ଅମଲା କ୍ୟାବିନେଟ ସେକ୍ରେଟାରି ଟି ଭି ସୋମନାଥନ। ଏହା ଅନୁସାରେ ସମଗ୍ର ଜୀବଜଗତର ଶ୍ରେଣୀ ବିଭାଜନ କରିଥିବା ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ସ୍ବିଡିସ୍ ଜୈବବିଜ୍ଞାନୀ ଲିନିଅସଙ୍କୁ ଅନୁସରଣ କଲାଭଳି ସୋମନାଥନ ୨୭ ଅକ୍‌ଟୋବରରେ ଅନୁଷ୍ଠିତ କେନ୍ଦ୍ର ସରକାରଙ୍କର ସଚିବମାନଙ୍କର କାର୍ଯ୍ୟ ସମୀକ୍ଷା ନିମିତ୍ତ ଆହୂତ ବୈଠକରେ ନିଜର ଏକ ଉପସ୍ଥାପନାରେ ବରିଷ୍ଠ ଅମଲାମାନଙ୍କୁ ଏକ ବ୍ୟଙ୍ଗାତ୍ମକ ଶୈଳୀ ଅବଲମ୍ବନ କରି ବାରଟି କିସମର ଶ୍ରେଣୀରେ ବିଭକ୍ତ କରିବା ଦେଖାଯାଇଥିଲା। ଏଥିରେ ଅନ୍ତର୍ଭୁକ୍ତ ଶ୍ରେଣୀମାନଙ୍କରେ ଥିଲେ: ଫାଇଲ ଚପାଳି, ଫାଇଲ ଫିଙ୍ଗାଳି, ସଦା ବିଳମ୍ବିତ ଅଫିସ ଆଗମାନକାରୀ, ନିଷ୍ପତ୍ତି ଗ୍ରହଣ ଦାୟିତ୍ବ ଖସାଳି, କାର୍ଯ୍ୟ ବାହାନାରେ ଅଧସ୍ତନ ସହକର୍ମିଣୀଙ୍କ ଅନ୍ତରଙ୍ଗ ସାନ୍ନିଧ୍ୟ ସନ୍ଧାନୀ ଆଦି। ସୋମନାଥନ ତାଙ୍କର ଉପସ୍ଥାପନାକୁ ପ୍ରଭାବଶାଳୀ ତଥା ରୋଚକ କରିବା ଉଦ୍ଦେଶ୍ୟରେ ତା’ର ଅଂଶସ୍ବରୂପ ପ୍ରତ୍ୟେକ ଶ୍ରେଣୀର ବାବୁଙ୍କୁ ବିଷୟବସ୍ତୁ ରୂପେ ବ୍ୟବହାର କରି ଅତୀତରେ ବିଭିନ୍ନ ସମୟରେ ପ୍ରଖ୍ୟାତ କାର୍ଟୁନିଷ୍ଟ ସ୍ବର୍ଗୀୟ ଆର୍‌ କେ ଲକ୍ଷ୍ମଣ ଅଙ୍କନ କରିଥିବା କାର୍ଟୁନମାନ ମଧ୍ୟ ପ୍ରଦର୍ଶିତ କରିଥିଲେ।
କ୍ୟାବିନେଟ ସେକ୍ରେଟାରିଙ୍କର ଏଇ ଉପସ୍ଥାପନା ଚାଲିଥିବାବେଳେ ସେଠାରେ ଉପସ୍ଥିତ ଉଚ୍ଚ ପଦାଧିକାରୀ ବାବୁମାନଙ୍କଠାରେ କିଭଳି ପ୍ରତିକ୍ରିୟାର ଆବିର୍ଭାବ ଘଟିଥିବ, ତାହା ଅନୁମାନ କରାଯାଇପାରେ। କେହି କେହି କୌଣସି ଏକ ଶ୍ରେଣୀକୁ ନିଭୃତରେ ନିଜଠାରେ ଆବିଷ୍କାର କରିଥାଇ ପାରିଥାନ୍ତି କିମ୍ବା ନିଜକୁ ଆଶ୍ବସ୍ତ କରିବା ପାଇଁ ଏହା ନିଜର ପଡ଼ିଶାରେ ଉପବେଶନ କରିଥିବା ଅନ୍ୟ ଜଣେ ସହକର୍ମୀଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି ନିଜକୁ ବହଲାଇ ପାରିଥାନ୍ତି। କିନ୍ତୁ ଶାସନର ସର୍ବୋଚ୍ଚ ସ୍ତର ଅଧିକାର କରିଥିବା ଏକ ସାମଗ୍ରିକ ଗୋଷ୍ଠୀ ଭାବରେ ସେମାନେ ସୋମନାଥନଙ୍କର ଉପସ୍ଥାପନା ଉନ୍ମୋଚନ କରିଥିବା ସେମାନଙ୍କର ଦୋଷଦୁର୍ବଳତାକୁ ଅସ୍ବୀକାର କରିବା ସମ୍ଭବ ନୁହେଁ ବୋଲି ନିଶ୍ଚିତ ରୂପେ ହୃଦୟଙ୍ଗମ କରିଥିବେ। ଆଉ ତାହାର ଗୁରୁତ୍ବ ମଧ୍ୟ। ଯେମିତି, ଜଣେ ଫାଇଲ ଚପାଳି କେବଳ ଖଣ୍ଡେ କାଗଜକୁ ଚପାଇ ଦେଇ ନଥାନ୍ତି; ସେ ଏକ ନିଷ୍ପତ୍ତିକୁ ଚପାଇ ଦେଇଥାନ୍ତି ଯାହା ଉପରେ ହୁଏତ ଏକ ବ୍ୟାବସାୟିକ ପୁଞ୍ଜି ନିବେଶ କିମ୍ବା କେଉଁଠି ଏକ ଡାକ୍ତରଖାନା ସ୍ଥାପନ ନିର୍ଭର କରୁଥାଏ। ସେମିତି ନିଜ କ୍ଷମତା ପରିସରଭୁକ୍ତ ନିଷ୍ପତ୍ତି ନ ନେଇ ମନ୍ତ୍ରୀଙ୍କ ପାଖକୁ ଫାଇଲ ଠେଲୁଥିବା ବାବୁଙ୍କ ଯୋଗୁଁ ଅଯଥା କାଳକ୍ଷେପଣ ଘଟି ତାହା ପ୍ରଶାସନର ଫଳପ୍ରଦତା ହ୍ରାସ କରିଥାଏ।
ସୋମନାଥନ ଏଇ ପଦକ୍ଷେପ ନେବାରେ ତାଙ୍କର ପ୍ରଖ୍ୟାତ ପୂର୍ବସୂରି ୧୯୬୪ ବ୍ୟାଚ୍‌ର ଅଫିସର ମହାରାଜ କ୍ରିଷନ କାଓଙ୍କ ପଦାଙ୍କ ଅନୁସରଣ କରିଥିବା ଭଳି ମନେ ହୋଇଥାଏ, ଯିଏ ୧୯୯୩ରେ ପ୍ରକାଶିତ ତାଙ୍କର ଚହଳ ସୃଷ୍ଟିକାରୀ ପୁସ୍ତକ ‘ବ୍ୟୁରୋକ୍ରେଜି’ ଓ ପରବର୍ତ୍ତୀ ସମୟରେ ପ୍ରକାଶିତ ‘ବ୍ୟୁରୋକ୍ରେଜି ଗେଟ୍‌ସ କ୍ରେଜିଅର’ରେ ‘ଆଇଏଏସ’ର ‘‘ମୁଖା ଖୋଲି ଦେଇଥିଲେ’’ ବୋଲି ଦାବି କରିଥିଲେ। କିନ୍ତୁ ୧୯୬୫ରେ ଜନ୍ମିତ ସୋମନାଥନଙ୍କୁ ପୁଣି ଥରେ ୨୦୨୬ରେ ସେଇ ମୁଖା ଖୋଲିବାକୁ ପଡୁଛି ଅର୍ଥ କାଓଙ୍କ ଅତୀତର ସେଇ ଉଦ୍ୟମରୁ କୌଣସି ସୁଫଳ ମିଳିନାହିଁ। ସୋମନାଥନଙ୍କର ଏଇ ନୂତନ ଉଦ୍ୟମ ଏଥର ଅଧିକ ଫଳବତୀ ହେବ ବୋଲି ଆଶା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)