03 NOVEMBER 2026

Welcome!

Unlock your personalized experience.
Sign Up

Cyclone in Andhra: ଆନ୍ଧ୍ରରେ ଘାଣ୍ଟିଲା ‘ମୁରାସୁ’: ଘଣ୍ଟାପ୍ରତି ପବନର ବେଗ ୧୦୦ କିମି ଟପିଲା, ଓଡ଼ିଶା ଉପରୁ ବିପଦ ଟଳିଲା

Nov 03, 2026 - 03:16
Cyclone in Andhra: ଆନ୍ଧ୍ରରେ ଘାଣ୍ଟିଲା ‘ମୁରାସୁ’: ଘଣ୍ଟାପ୍ରତି ପବନର ବେଗ ୧୦୦ କିମି ଟପିଲା, ଓଡ଼ିଶା ଉପରୁ ବିପଦ ଟଳିଲା
ଭୁବନେଶ୍ବର: ଭୀଷଣ ବାତ୍ୟା ‘ମୁରାସୁ’ ସୋମବାର ମଧ୍ୟରାତିରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି। ନେଲ୍ଲୋର ଓ ନରସ୍‌ପୁର ମଧ୍ୟରେ ଓଙ୍ଗୋଲର ଦକ୍ଷିଣ ଦିଗରେ ଏହା ସ୍ଥଳଭାଗରେ ପ୍ରବେଶ କରି ଆଗକୁ ବଢ଼ୁଛି। ରିପୋର୍ଟ ଲେଖାଯିବା ବେଳକୁ ‘ମୁରାସୁ’ର ବାହ୍ୟ ବଳୟ ସ୍ଥଳଭାଗରେ ପ୍ର‌ବେଶ କରିସାରିଛି। ପ୍ରଭାବରେ ଓଙ୍ଗୋଲ ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ହେଉଛି। ଝଟକା ପବନର ବେଗ ୧୨୦ କିମି ଛୁଉଁଛି। ମଧ୍ୟରାତିରେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ମଙ୍ଗଳବାର ଭୋର ପର୍ଯ୍ୟନ୍ତ ଜାରି ରହିବ। ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି।
‘ମୁରାସୁ’ ସମ୍ପୂର୍ଣ୍ଣ ଭା‌ବେ ଆନ୍ଧ୍ର ଉପକୂଳ ମୁହାଁ ହେବା ପରେ ଓଡ଼ିଶା ଉପରୁ ପ୍ରଭାବ କମିବା‌ ନେଇ ଆଇଏମ୍‌ଡି ସୂଚନା ଦେଇଛି। ଦୁଇ ଦିନ ହେଲା ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେଉଥିବା ବେଳେ ଆଜି ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ହୋଇପାରେ। ଏହି ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ ଏବଂ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୫୦ କିମି ବେଗରେ ପବନ ହୋଇପାରେ। ୪ ତାରିଖ ବେଳକୁ ପାଗରେ ସୁଧାର ଆସିବ। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୫ ତାରିଖଠାରୁ ପାଗ ଶୁଖିଲା ରହିବା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିଛି। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୪ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ଆଜି ସକାଳୁ ଭୀଷଣ ରୂପ ଧାରଣ କରିବା ସହ ଘଣ୍ଟାପ୍ରତି ୨୫ କିମି ବେଗରେ ଉପକୂଳମୁହାଁ ହୋଇଥିଲା। ଅପରାହ୍ଣ ବେଳକୁ ବେଗ ଘଣ୍ଟାପ୍ରତି ୧୪ କିମି ଓ ସନ୍ଧ୍ୟାରେ ୧୨ କିମି ବେଗରେ ଗତି କରିଥିଲା। ସ୍ଥଳଭାଗ ଛୁଇଁବା ପରେ ‘ମୁରାସୁ’ର ବେଗ ହ୍ରାସ ପାଇଥିବା ଆଇଏମ୍‌ଡି ସୂଚନା ଦେଇଛି। 
ଅନ୍ୟପକ୍ଷରେ ‘ମୁରାସୁ’ ପ୍ରଭାବ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ପୁରୀ ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ପଡ଼ିବାର ସମ୍ଭାବନା ରହିଛି। ତେଣୁ ଭୟଭୀତ ନ ହୋଇ ସଚେତନ ରହିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲାରେ ୧୮ଟି ପଞ୍ଚାୟତରୁ ୧୪୬ ଗର୍ଭବତୀ ମହିଳାଙ୍କ ସମେତ ମୋଟ ୨,୩୯୪ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୩୫ଟି ପକ୍କା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ସହ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍ ଓ ଔଷଧ ବ୍ୟବସ୍ଥା ହୋଇଛି। ଜିଲ୍ଲାରେ ୨ଟି ଏନ୍‌ଡିଆରଏଫ୍‌, ଗୋଟିଏ ଓଡିଆର୍‌ଏଏଫ୍‌ ଓ ୯ଟି ଅଗ୍ନିଶମ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ରାସ୍ତା ସଫା ପାଇଁ ୩୭ଟି ‌ଜେସିବି ଓ ୧୨ଟି ବ୍ଲକ୍‌ରେ ଜେନେରେଟର ଓ ପାଣି ଟ୍ୟାଙ୍କର ମହଜୁଦ ରହିଛି। ଗଞ୍ଜାମରେ ୧,୫୧,୪୩୪ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୧,୧୩୯ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ସହ ସେଠାରେ ୩,୪୧,୭୦୦ ଜଣଙ୍କ ରହିବା ବ୍ୟବସ୍ଥା ହୋଇଛି। ୧୧୦ଟି ସ୍ଥାୟୀ ଓ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି। ୪ଟି ବ୍ଲକ୍‌ରେ ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ ସହ ପ୍ରତି ଗ୍ରାମରେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ୫୦୦ ଜଣଙ୍କୁ ସୁରକ୍ଷିତ ପକ୍କା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ୫୦୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ଓ ୩ଟି କାର୍ଯ୍ୟକ୍ଷମ ହୋଇଛି। ୯୪ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର, ୧୪ଟି ବ୍ଲକ୍‌ରେ ୧୪ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି। ୬୨ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୨୦ଟି ବିପଦପ୍ରବଣ ଗ୍ରାମ ଓ ଜନବସତିରେ ସ୍ଥାନାନ୍ତରଣ ଓ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଛି। ଗଜପତି ଜିଲ୍ଲାରେ ୫୧୨ଟି ବିକଳ୍ପ ସୁରକ୍ଷିତ ଆଶ୍ରୟସ୍ଥଳୀ ଚିହ୍ନଟ, ୬ଟି ସ୍ଥାୟୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଛି, ଯେଉଁଠାରେ ୩୫,୦୦୦ ଲୋକ ରହିପାରିବେ।
ଓଡ଼ିଶାର ୮ଜିଲ୍ଲାରେ ପ୍ରଭାବ ପଡ଼ିପାରେ
ଭୁବନେଶ୍ବର: ଆନ୍ଧ୍ର ଉପକୂଳ ଛୁଇଁବାକୁ ଥିବା ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା, ପବନ ହେବାର ସମ୍ଭାବନା ଅଛି। ଏହାକୁ ନଜରରେ ରଖି ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଗାମୀ ବାତ୍ୟା ନେଇ ନିଆଯାଇଥିବା ଜିଲ୍ଲାସ୍ତରୀୟ ପଦକ୍ଷେପ, ବନ୍ୟା ପ୍ରଭାବିତ ଅଞ୍ଚଳର ଉଦ୍ଧାର କାର୍ଯ୍ୟ, ରିଲିଫ ଯୋଗାଣ ନେଇ ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଏହାପରେ  ମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି,  ଭୟଭୀତ ନ ହୋଇ ସଚେତନ ରୁହନ୍ତୁ।
ବୈଠକରୁ ଜଣାପଡ଼ିଛି ଯେ ବାତ୍ୟା ମୁରାସୁ ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ପୁରୀ ଭଳି ଉପକୂଳ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ବାତ୍ୟା ଅର୍ଣ୍ଣବ ଓ ବନ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ମୋଟ ୪୧ଟି ବ୍ଲକର ୪୮୮ଟି ପଞ୍ଚାୟତ ଏବଂ ୨,୧୩୭ଟି ଗ୍ରାମ, ୨୩ଟି ସହରାଞ୍ଚଳର ୩୦୭ଟି ୱାର୍ଡର ଲୋକମାନେ ପ୍ରଭାବିତ ହୋଇଛନ୍ତି। ମୋଟ୍ ୨,୧୦,୯୨୦ଜଣ ଲୋକ ବର୍ତ୍ତମାନ ସୁଦ୍ଧା ଏଥିରେ ପ୍ରଭାବିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧,୪୧,୭୯୭ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। 

ଏବେ ଯୁଦ୍ଧକାଳୀନ ଭିତ୍ତିରେ  ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନରୁଦ୍ଧାର କାର୍ଯ୍ୟ ଚଲିଛି। ରାସ୍ତାଘାଟଗୁଡ଼ିକୁ ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ କରିବାକୁ ଆବଶ୍ୟକ କର୍ମଚାରୀ, ସାମଗ୍ରୀ ଓ ଯନ୍ତ୍ରପାତି ନିୟୋଜିତ କରାଯାଇଛି।  ଗଞ୍ଜାମ ଜିଲ୍ଲାରେ କୁକୁଡ଼ାଖଣ୍ଡି ଓ ପାତ୍ରପୁର ବ୍ଲକର ୧୩ଟି ସ୍ଥାନରେ ଭୂସ୍ଖଳନ  ଯୋଗୁଁ ଜମିଥିବା ମାଟି ଓ ଆବର୍ଜନା ସଫା କରାଯାଇଛି, ଅନ୍ୟ ୮ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି। ଭଞ୍ଜନଗରରେ ରାସ୍ତା ଉପରେ ଭୂସ୍ଖଳନଜନିତ ଯେଉଁ  ଗୋଟିଏ ସ୍ଥାନରେ ବାଧା ଉପୁଜିଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଛି।  ୧୪ଟି ବ୍ଲକରେ ମୋଟ ୧୨୪ଟି ରାସ୍ତା ଫାଟ ବନ୍ଦ କରାଯାଇଥିବାବେଳେ ୪୨ଟି ସ୍ଥାନରେ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ୧୪ଟି ବ୍ଲକର ୧୮୬ଟି କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି। ଗଜପତି ଜିଲ୍ଲାର ୬ଟି ବ୍ଲକର ୧୯ଟି ରାସ୍ତାର ଭୂସ୍ଖଳନ ଆବର୍ଜନା ସଫା କରାଯାଇଛି। ପାଣି ମାଡ଼ିଥିବା ୫ଟି ରାସ୍ତାରେ ଯାନବାହନ  ଚଳାଚଳ ସ୍ୱାଭାବିକ  ହୋଇଛି।  ୩ଟି ବ୍ଲକରେ ୧୧ଟି କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯାଇଛି। କନ୍ଧମାଳ ଜିଲ୍ଲାରେ ୩ଟି ବ୍ଲକର ୩୧ଟି ରାସ୍ତାର ଫାଟ ମଧ୍ୟରୁ ୧୫ଟି ବନ୍ଦ ହୋଇସାରିଛି। ୩ଟି ବ୍ଲକର ୭ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଥିବାବେଳେ ୩୧ଟିର କାମ ଚାଲିଛି।  ରାୟଗଡ଼ା ଜିଲ୍ଲାର ଗୁଣପୁରରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ୧୫ଟି ସ୍ଥାନରେ ଜମିଥିବା  ଆବର୍ଜନା ଓ ମାଟି ସଫା କରାଯାଇଛି।
ଏହାସହ ବର୍ତ୍ତମାନ ସୁଦ୍ଧା ୯୯.୦୫% ବିଦ୍ୟୁତ୍‌ ସେବା ପୁନଃସ୍ଥାପିତ ହୋଇଛି। ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ। ସେହିପରି କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ, ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)