Baleswar robbery plan ଡକାୟତି ପାଇଁ କରୁଥିଲେ ଯୋଜନା, ମାଡ଼ିବସିଲା ପୁଲିସ
"ବାଲେଶ୍ବର (ରିତେନ୍ଦ୍ର ଛାଟୋଇ): ବାଲେଶ୍ୱର ରେଳଷ୍ଟେସନ ପଛପଟ ମାଲଗୋଦାମ ରେଳପଥ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ପୁଲିସ ଟିମ୍ ଚଢ଼ାଉ କରି ଜଣେ ନାବାଳକଙ୍କ ସମେତ ୬ଜଣଙ୍କୁ ଧରିଛି।
ସେମାନଙ୍କ ନିକଟରୁ ପିସ୍ତଲ, ଅଫୁଟାଗୁଳି, ଖଣ୍ଡା, ବୋମା ଆଦି ମାରଣାସ୍ତ୍ର ଜବତ କରିଛି।
Advertisment ଆଜି (ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସହଦେବଖୁଣ୍ଟା ପୁଲିସ ଧରପଗଡ଼ ସମ୍ପର୍କରେ ସୂଚନା ଦେଇଛି।
ଅତିରିକ୍ତ ଏସ୍ ପି ଦେବଜ୍ୟୋତି ଦାସଙ୍କ ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ସହଦେବଖୁଣ୍ଟା ଥାନା ପୁଲିସ ପକ୍ଷରୁ ନାଇଟ୍ ପେଟ୍ରୋଲିଂ ଚାଲିଥିଲା।
ରାତି ପ୍ରାୟ ୧ଟା ୫୫ ମିନିଟ ସମୟରେ ହରିପୁର ଛକ ନିକଟରେ ପୁଲିସକୁ ଏକ ବିଶ୍ୱସନୀୟ ସୂଚନା ମିଳିଥିଲା।
ବାଲେଶ୍ୱର ରେଳଷ୍ଟେସନ ପଛପଟ ମାଲଗୋଦାମ ରେଳପଥ ନିକଟ ଓଭରବ୍ରିଜ ତଳେ ୫ରୁ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଏକତ୍ରିତ ହୋଇଥିବା ଜଣାଯାଇଥିଲା।
ଏହି ସୂଚନା ପାଇବା ପରେ ପୁଲିସ ତୁରନ୍ତ ଡିଏସପି ସିଟି, ବାଲେଶ୍ୱରଙ୍କୁ ଅବଗତ କରିଥିଲା।
ପରେ ରାତି ପ୍ରାୟ ୨ଟା ୫ ମିନିଟରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚୁପଚାପ ଆଗକୁ ବଢ଼ିଥିଲା।
ସେଠାରେ ଦୁର୍ବୃତ୍ତମାନଙ୍କ କଥାବାର୍ତ୍ତା ଶୁଣାଯାଉଥିବା ବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଟର୍ଚ୍ଚ ଲାଇଟ ମାରିଥିଲା।
ପୁଲିସକୁ ଦେଖି ସମସ୍ତେ ବିଭିନ୍ନ ଦିଗକୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ।
ହେଲେ ପୁଲିସ ଟିମ୍ ସେମାନଙ୍କୁ ଘେରାଉ କରି ୬ ଜଣଙ୍କୁ କାବୁ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ସୁରଜ କୁମାର ମହାନ୍ତି , (୨୯), ପ୍ରତୀକ ନାୟକ (୨୩), କୁଢିଆ, ଦିବ୍ୟରଞ୍ଜନ ସ୍ୱାଇଁ (୨୪), ଚମ୍ପୁ, ଦୀପେଶ କୁମାର ଜେନା (୩୯), ଗୋପାଳଗାଁ, ଏସ୍.କେ.
କୁରବାନ (୩୭), ଧରାପଡିଥିବା ଜଣେ ନାବାଳକଙ୍କୁ ସୁଧାର ଗୃହ କୁ ପଠାଇ ଦିଆଯାଇଛି।
ପଚରାଉଚରାରେ ସେମାନେ ରାତିରେ ଟ୍ରେନ ଓ ବସରେ ଆସୁଥିବା ଯାତ୍ରୀଙ୍କୁ ଲୁଟ କରିବା ପାଇଁ ଯୋଜନା କରୁଥିବା ସ୍ବୀକାର କରିଛନ୍ତି।
ପୁଲିସ ସେମାନଙ୍କ ନିକଟରୁ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ଏକ ଓପୋ ମୋବାଇଲ, ଏକ ରେଡମି ମୋବାଇଲ, ଏକ କଳା ରଙ୍ଗର ହୋଣ୍ଡା ସିବି ସାଇନ୍ ମୋଟରସାଇକେଲ, ଖଣ୍ଡା, ୨ଟି ଦେଶୀ ବୋମା, ଏକ ସୁଜୁକି ଆକ୍ସେସ ସ୍କୁଟି ଓ ଏକ ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲ ଜବତ କରିଛି।
ଏନେଇ ସହଦେବଖୁଣ୍ଟା ଥାନାରେ କେସ ନମ୍ବର ୨୮୪, ତାରିଖ ୨୪.୦୬.୨୦୨୬ରେ ବିଏନଏସ ଧାରା ୩୧୦(୪)/୩୧୦(୫), ଅସ୍ତ୍ର ଆଇନ ଓ ବିସ୍ଫୋରକ ପଦାର୍ଥ ଆଇନରେ ମାମଲା ରୁଜୁ କରାଯାଇଛି।
"