Welcome!

Unlock your personalized experience.
Sign Up

Arrest: ଭାଲୁକୁ ମାରିଥିବା ୫ ଅଭିଯୁକ୍ତ ଗିରଫ

Jun 20, 2026 - 18:44
Arrest: ଭାଲୁକୁ ମାରିଥିବା ୫ ଅଭିଯୁକ୍ତ ଗିରଫ

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାର ମାଥିଲି ବନାଞ୍ଚଳ ଅଧୀନସ୍ଥ ଦଇଗୁଡା ଗ୍ରାମ ନିକଟ କାଲିଆଗୁଡା ରାସ୍ତା ଉପରେ ଏକ ଭାଲୁ ଆହତ ଅବସ୍ଥାରେ ଥିବା ସମ୍ବନ୍ଧରେ ଖବର ପାଇ ମାଲକାନଗିରି ରାପିଡ୍ ରେସପନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲା। 

ପରବର୍ତ୍ତୀ ସମୟରେ ଭାଲୁଟିକୁ ଚିକିତ୍ସା ନିମନ୍ତେ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମାଥିଲିର ପଶୁ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ତାହାକୁ ନିରୀକ୍ଷଣରେ ରଖାଯାଇଥିଲା। ତେବେ ଭାଲୁଟି ଅତ୍ୟନ୍ତ ଗୁରୁତର ଭାବେ ଆହତ ହୋଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ମୃତ୍ୟୁବରଣ କରିଥିଲା। 

ସୂଚନା ଅନୁସାରେ ଭାଲୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କିଛି ବ୍ୟକ୍ତି ତାହାକୁ ଲାଠି,ଶାବଳ ଓ ପଥର ଦ୍ବାରା ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲେ। ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ଏକ ଗୁରୁତର ଅପରାଧ।

ଘଟଣା ସମ୍ପର୍କିତ ବିଭିନ୍ନ ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ମାଲକାନଗିରି ପୁଲିସ ବିଭାଗର ସହଯୋଗରେ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ଧାରା ୯, ୧୧ ଏବଂ ୫୨ ର ବ୍ୟବସ୍ଥା ଉଲଂଘନ କରିଛି ଏବଂ ଏହି ଆଇନର ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Bear : ଚିକିତ୍ସାଧିନ ଅବସ୍ଥାରେ ଉଦ୍ଧାର ଭାଲୁର ମୃତ୍ୟୁ

ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ଆବଶ୍ୟକ ରିମାଣ୍ଡ ପାଇଁ କୋର୍ଟକୁ ପଠାଯାଇଥିବା ବନ ବିଭାଗର ଖଣ୍ଡୀୟ ବନଖଣ୍ଡ ଅଧିକାରୀ ସାଇ କିରଣ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଦଳପତିଗୁଡାର ଗୋବିନ୍ଦ ଗଉଡ(୨୨), ସିରାଗୁଡା ଗ୍ରାମର ମଣ୍ଟୁଟୁ ନାୟକ(୧୯), ଦଳପତିଗୁଡା ଗ୍ରାମର ଧନୁର୍ଜୟ ଗଉଡ(୩୨, ଦଳପତିଗୁଡାର ବସନ୍ତ କୁମାର ଖୋଲା(୧୮), ଡାଇଗୁଡା ଗ୍ରାମର ବିଷ୍ଣୁ ମାଝୀ(୨୨)। ମାଲକାନଗିରି ବନ ବିଭାଗ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛି ଯେ, ବନ୍ୟଜନ୍ତୁ ଦେଖୁଲେ ସେମାନଙ୍କୁ ବିରକ୍ତ କିମ୍ବା ଆକ୍ରମଣ ନକରି ତୁରନ୍ତ ବନ ବିଭାଗ କିମ୍ବା ନିକଟସ୍ଥ ପୁଲିସକୁ ସୂଚନା ଦିଅନ୍ତୁ। ବନ୍ୟଜନ୍ତୁ ସଂରକ୍ଷଣ ଓ ମାନବ-ବନ୍ୟଜନ୍ତୁ ସହାବସ୍ଥାନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ।