Aishwarya at 53: ୫୩ ବର୍ଷରେ ଐଶ୍ବର୍ଯ୍ୟା
ରୂପ, ଅଭିନୟ ଓ ବ୍ୟକ୍ତିତ୍ୱର ଯାଦୁରେ ଦୀର୍ଘ ତିନି ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଆସିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନଭେମ୍ବର ୧ରେ ୫୩ ବର୍ଷ ପୂରିଛି। ତାଙ୍କ ଅଭିନୟ କ୍ୟାରିଅର୍ ଯେତିକି ଚର୍ଚ୍ଚିତ, ତାଙ୍କ ସମ୍ପତ୍ତି ଓ ଆର୍ଥିକ ସାମ୍ରାଜ୍ୟ ମଧ୍ୟ ସେତିକି ଆକର୍ଷଣୀୟ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କର ଆନୁମାନିକ ସମ୍ପତ୍ତି ୮୫୦ରୁ ୯୦୦ କୋଟି ଟଙ୍କା ହେବ।
ମଡେଲିଂରୁ ଐଶ୍ୱର୍ଯ୍ୟାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ୧୯୯୪ରେ ମିସ୍ ୱାର୍ଲଡ୍ ମୁକୁଟ ଜିତିବା ପରେ ସେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇଥିଲେ। ତାଙ୍କର ପ୍ରଥମ ବିଜ୍ଞାପନ କାମ ପାଇଁ ତାଙ୍କୁ ମାତ୍ର ୫ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା ବୋଲି କୁହାଯାଏ। ୧୯୯୭ରେ ମଣିରତ୍ନମଙ୍କ ତାମିଲ ଫିଲ୍ମ ‘ଇରୁଭର୍’ରୁ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ‘ହମ୍ ଦିଲ୍ ଦେ ଚୁକେ ସନମ୍’, ‘ତାଲ୍’, ‘ଦେବଦାସ’, ‘ଧୁମ୍-୨’, ‘ଗୁରୁ’, ‘ଯୋଧା ଅକବର’ ଓ ‘ଏ ଦିଲ୍ ହୈ ମୁସ୍କିଲ୍’ ଭଳି ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହଲିଉଡ୍ରେ ମଧ୍ୟ ସେ କାମ କରିଛନ୍ତି।
ଅଭିନୟ ବ୍ୟତୀତ ବିଜ୍ଞାପନ ଜଗତରେ ମଧ୍ୟ ସେ ବେଶ୍ ସକ୍ରିୟ। ଲୋରିଆଲ୍ ପ୍ୟାରିସ୍ ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ୍ ସହ ଦୀର୍ଘଦିନର ସମ୍ପର୍କ ତାଙ୍କ ଆୟର ଏକ ପ୍ରମୁଖ ଉତ୍ସ। ଏହାବ୍ୟତୀତ ସ୍ୱିସ୍ ଘଣ୍ଟା ନିର୍ମାତା ଲଙ୍ଗିନ୍ସ ସହ ମଧ୍ୟ ସେ ଜଡ଼ିତ ରହିଛନ୍ତି। ଐଶ୍ବର୍ଯ୍ୟାଙ୍କର ମୁମ୍ବାଇରେ ଏକାଧିକ ଆପାର୍ଟମେଣ୍ଟ ଏବଂ ଦୁବାଇର ସାନ୍ଚୁରି ଫଲ୍ସରେ ଏକ ବିଳାସପୂର୍ଣ୍ଣ ଭିଲ୍ଲା ଥିବା କେତେକ ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିବା ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ଅଛନ୍ତି। ଶେଷ ଥର ୨୦୨୩ରେ ମୁକ୍ତିଲାଭ କରିଥିବା ‘ପୋନ୍ନିୟିନ୍ ସେଲଭନ୍-୨’ରେ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା। ନିୟମିତ ଚଳଚ୍ଚିତ୍ରରେ ନଜର ନ ଆସିଲେ ମଧ୍ୟ କାନ୍ ମହୋତ୍ସବରେ ତାଙ୍କ ଉପସ୍ଥିତି ଓ ବିଶ୍ୱସ୍ତରୀୟ ପରିଚୟ ତାଙ୍କୁ ଏବେ ବି ଚର୍ଚ୍ଚାରେ ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
