Accident: ସିରିଜ୍ ଦୁର୍ଘଟଣାରେ ସବୁ ଛାରଖାର: ଜୁଇରେ ଜଳିଗଲା ଗୀତାଞ୍ଜଳିଙ୍କ ସ୍ବପ୍ନ, ଉଜୁଡ଼ିଗଲା ଝୁନାଙ୍କ ପରିବାର
ଭୁବନେଶ୍ବର: ରବିବାର ସକାଳେ ନୂଆପଲ୍ଲୀ କ୍ରିଷ୍ଣା ଟାଵାର୍ ସମ୍ମୁଖରେ ଘଟିଥିବା ଲୋମଟାଙ୍କୁରା ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀ ଓ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କେବଳ ୨ଜଣଙ୍କର ମୃତ୍ୟୁ ଘଟିନାହିଁ, ସେହି ଦୁଇ ପରିବାର ପୂରା ଛାରଖାର ହୋଇଯାଇଛି। ମଶାଣି ଭୂଇଁରେ ଜୁଇରେ ଜଳିଯାଇଛି ବରଗଡ଼ର ମେଧାବୀ ଛାତ୍ରୀ ଗୀତାଞ୍ଜଳିଙ୍କ ସ୍ବପ୍ନ। ସେହିଭଳି ଉଜୁଡ଼ିଯାଇଛି ନୟାଗଡ଼ର ଗରିବ ଝୁନା ମଣ୍ଡଳଙ୍କ ପରିବାର। ସକାଳୁ ସକାଳୁ ଦୁଇ ପରିବାର ଉପରେ ଅଚାନକ ଅଜାଡ଼ି ହୋଇପଡ଼ିଛି ଅବର୍ଣ୍ଣନୀୟ ଦୁଃଖ ଓ ଘୋଟିଯାଇଛି ଅକାଳ ଅନ୍ଧାର।
ବରଗଡ଼ଜିଲ୍ଲା ମ୍ଳେଛମୁଣ୍ଡା ଥାନା ଅନ୍ତର୍ଗତ ଖୋଲାବାହାଲ ଗାଁର କ୍ଷୁଦ୍ର ଚାଷୀ ସୀତାରାମ ରଣାଙ୍କ ଝିଅ ଗୀତାଞ୍ଜଳି(୨୪)ଙ୍କ ଅକାଳ ମୃତ୍ୟୁ ତାଙ୍କ ପରିବାରକୁ ଭସାଇ ଦେଇଛି। ବାପା ସୀତାରାମଙ୍କ ସୂଚନା ମୁତାବକ ତାଙ୍କ ବଡ଼ଝିଅ ଗୀତାଞ୍ଜଳି ଜଣେ ମେଧାବୀ ଛାତ୍ରୀ ଥିଲେ। ଯୁକ୍ତ ୩ ପାସ୍ କରିବା ପରେ ସେ ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଭୁବନେଶ୍ବର ଆସିଥିଲେ। ଏକ କୋଚିଂ ସେଣ୍ଟରରେ ଆଡ୍ମିସନ କରି ଜୋର୍ଦାର ପ୍ରସ୍ତୁତି ଚଳାଇଥିଲେ। ଏହା ଭିତରେ ସେ ବିଇଡି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଓଏସ୍ଏସ୍ଟିଇଟି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ। କେବଳ ସେତିକି ନୁହେଁ, ରେଳବାଇ ଚାକିରି ପାଇଁ ହୋଇଥିବା ଏକ ପରୀକ୍ଷାରେ ସେ ୨ଟି ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଥିଲେ। ତେଣୁ ଗୀତାଞ୍ଜଳିଙ୍କ ହାତପାଆନ୍ତାରେ ଏକ ସୁନ୍ଦର ଭବିଷ୍ୟତ ଥିଲା। ଯେଉଁ ସ୍ବପ୍ନ ନେଇ ଗୀତାଞ୍ଜଳି ଭୁବନେଶ୍ବର ଆସିଥିଲେ, ତାହା ଆଉ ଦିନ କେଇଟା ପରେ ଫଳବତୀ ହେବାର ଥିଲା। ମାତ୍ର ଦଇଦ ସହିଲା ନାହିଁ ବୋଲି ବାପା ସୀତାରାମ କୋହ କୋହ କଣ୍ଠରେ କହିଛନ୍ତି। ବଡ଼ଝିଅ ହିସାବରେ ଗୀତାଞ୍ଜଳିଙ୍କର ତାଙ୍କ ପରିବାର ପ୍ରତି ଥିଲା ବଡ଼ ମୋହ। ବାପାଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଗୀତାଞ୍ଜଳି ନିଜ ପରୀକ୍ଷା ପ୍ରସ୍ତୁତି ଖର୍ଚ୍ଚ ଉଠାଇବାକୁ ଟ୍ୟୁସନ୍ କରୁଥିଲେ। ସେହି ପଇସାରୁ ସେ ଘରକୁ କିଛି ଅର୍ଥ ଦେଉଥିଲେ। ସାନ ଭାଇ ଓ ଭଉଣୀଙ୍କ ପାଠପଢ଼ା ପାଇଁ ସେ ଟଙ୍କା ପଠାଉଥିଲେ। ଆଜି ତାଙ୍କର ମୃତ୍ୟୁ ପରେ ପରିବାର ଉପରେ ଆକାଶ ଛିଡ଼ିପଡ଼ିଛି ବୋଲି ସୀତାରାମ କାନ୍ଦିକାନ୍ଦି କହିଛନ୍ତି।
ଯାଞ୍ଚ ହେଉନି, ବଢ଼ୁଛି ଦୁର୍ଘଟଣା
କିଛି ଦିନ ହେବ ରାଜଧାନୀରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଲିସ ନିୟମିତ ବ୍ଲକିଂ ଚେକିଂ କରୁନଥିବାରୁ ଦୁର୍ଘଟଣା ବଢ଼ୁଥିବା ନେଇ ଅଭିଯୋଗ ହୋଇଛି। ଗତ ୭ଦିନରେ ରାଜଧାନୀରେ ୧୦ରୁ ଅଧିକ ଦୁର୍ଘଟଣା ଘଟିଛି ଏବଂ ଅକାଳରେ ୫ରୁ ଅଧିକ ଜୀବନ ଗଲାଣି। ଏହା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି। ଆଜିର ଦୁର୍ଘଟଣା ପରେ ପରିବହନ ବିଭାଗ ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀଙ୍କୁ ସ୍ପଟ୍ ମ୍ୟାପିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ଦାଖଲ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ଏବଂ ରାସ୍ତାରେ ତ୍ରୁଟି ଥିବା ପରିଲକ୍ଷିତ ହେଲେ ସୁଧାରିବୁ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସେହିଭଳି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଝୁନା ମଣ୍ଡଳଙ୍କ ପରିବାର ବି ଉଜୁଡ଼ିଗଲା ବୋଲି ସ୍ବାମୀ ଯୁଧିଷ୍ଠିର କହିଛନ୍ତି। ଗାଁରେ କିଛି ବି ସମ୍ପତ୍ତି ନଥିବାରୁ ଯୁଧିଷ୍ଠିର ଓ ଝୁନା ପିଲାଛୁଆ ଧରି ଭୁବନେଶ୍ବର ଧାଇଁଆସିଥିଲେ। ବସ୍ତିରେ ଭଡ଼ାଘରେ ରହୁଥିଲେ। ଯୁଧିଷ୍ଠିର ଦିନ ମଜୁରିଆ ଭାବେ କାମ କରନ୍ତି ଓ ଝୁନା ପର ଘରେ ପାଇଟି କରୁଥିଲେ। ସ୍ବାମୀଙ୍କୁ ସହଯୋଗ କରିବାକୁ ଯାଇ ଝୁନା ସକାଳୁ ସଂଜ ପର୍ଯ୍ୟନ୍ତ ଘରୋଇ ସହାୟିକା ଭାବେ ଖଟୁଥିଲେ। ଦୁଇ ପୁଅଙ୍କୁ ମଣିଷ କରିବା ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ଦିନରାତି ଏକ କରି ଦେଉଥିଲେ। କିନ୍ତୁ ଆଜିର ଦୁର୍ଘଟଣା ପରେ ସବୁ କିଛି ଓଲଟପାଲଟ କରିଦେଲା। ତାଙ୍କ ପରିବାର ଉଜୁଡ଼ିଗଲା ବୋଲି ଯୁଧିଷ୍ଠିର କହିଛନ୍ତି। ପୁଅର ପାଠପଢ଼ା ଖର୍ଚ୍ଚ, ବସ୍ତିରେ ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ସବୁ ସେ କିଭଳି ଏକାକୀ ଯୋଗାଡ଼ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଆଜି ସକାଳେ କୋଲକାତାରୁ ଆସୁଥିବା ନାଇଟ୍ କୋଚ୍ ବସ୍ ଡଲଫିନ୍ ନୂଆପଲ୍ଲୀ କ୍ରିଷ୍ଣା ଟାୱାର ନିକଟରେ ସିରିଜ୍ ଦୁର୍ଘଟଣା ଘଟାଇଥିଲା। ପ୍ରଥମେ ରାସ୍ତା ପାର ହେଉଥିବା ଝୁନାଙ୍କ ଉପରେ ମାଡ଼ିଯିବା ପରେ ବସ୍ଟି ମର୍ଣ୍ଣିଂୱାକ୍ କରୁଥିବା ୨ ଯୁବତୀ ଗୀତାଞ୍ଜଳି ଓ ସୁନୀତାଙ୍କୁ ପିଟିଥିଲା। ସେତିକିରେ ବସ୍ଟି ଅଟକି ନଥିଲା। ପରେପରେ ରାସ୍ତା କଡ଼ରେ ଥିବା ଏକ ଚା’ ଦୋକାନକୁ ପିଟିବା ସହ ଗୋଟିଏ କାର୍ ଓ ଗୋଟିଏ ଟାଟା ଏସିଇକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଚା ଦୋକାନଟି ଚୂର୍ମାର ହୋଇଯାଇଥିବା ବେଳେ ଦୋକାନୀ ପ୍ରଦୀପ ଜେନା ବି ଗୁରୁତର ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
