TP project: ଟିପି ପ୍ରକଳ୍ପର ସମୀକ୍ଷା କଲେ ନୂଆ ଭିସି: ରିଂ ରୋଡ୍ କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ବିଡିଏର ନୂଆ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ ପରେ ଶୁଭମ୍ ସାକ୍ସେନା ଆଜି ଟିପି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟିପି ଯୋଜନାର ଅଗ୍ରଗତି ଦେଖିଛନ୍ତି ଓ ଯୋଜନା ଅନୁଯାୟୀ କାମ ଆଗଉଛନ୍ତି କି ନାହିଁ, ସମୀକ୍ଷା କରିଛନ୍ତି। ଟିପି ଯୋଜନାର ନକ୍ସା ଦେଖିବା ସହ ସଂପୃକ୍ତ ଅଧିକାରୀ, ଯନ୍ତ୍ରୀଙ୍କଠାରୁ ପ୍ରକଳ୍ପର ଅଗ୍ରଗତି, ପ୍ରତିବନ୍ଧକ ସଂପର୍କରେ ପଚାରି ବୁଝିଛନ୍ତି। ଟିପି ଯୋଜନାର ଭବିଷ୍ୟତ ସହ ଭୁବନେଶ୍ବର ସହର ଭିଡ଼ ପ୍ରଶମିତ କରିବାରେ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ଯାଉଥିବା ୨୦୦ ଫୁଟିଆ ରିଂ ରୋଡ୍ ଉପରେ ନିର୍ଭର କରୁଥିବାବେଳେ ପୂର୍ତ୍ତ ବିଭାଗ ଏଥିରେ ଅବହେଳା କରୁଥିବାରୁ ଶ୍ରୀ ସାକ୍ସେନା ଆଜି ସମସ୍ତ ଯନ୍ତ୍ରୀଙ୍କୁ ଡାକି ବୈଠକ କରିଛନ୍ତି। ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଠିକାସଂସ୍ଥା କାମରେ ବିଳମ୍ବ କରୁଛନ୍ତି, ସେମାନଙ୍କୁ କଳାତାଲିକାଭୁକ୍ତ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି।
ଶ୍ରୀ ସାକ୍ସେନା ଆଜି ପାଇକରାପୁର, ତମାଣ୍ଡୋ, ବିଜିପୁର, ସିଜିପୁଟ, ନରଗଡ଼, ନୂଆଗାଁ, ଅନ୍ଧାରୁଆ, ଦାସପୁର ଓ ଶ୍ୟାମପୁର ମୌଜାରେ ଚାଲିଥିବା ଟିପି ଯୋଜନା-୧, ୨, ୩, ୪ ଓ ୮ ବୁଲି ଦେଖିଥିଲେ। ରିଂ ରୋଡ୍ ସହ ବିଜୁଳି, ପାଣି, ଡ୍ରେନ୍ ଆଦିରେ ବିଳମ୍ବକୁ ନେଇ ଟିପିସିଓଡିଏଲ୍, ୱାଟ୍କୋ ଯନ୍ତ୍ରୀଙ୍କୁ ତାଗିଦ୍ କରିଥିବା ସହ ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସାରା ରାଜ୍ୟର ମଡେଲ୍ ହେବାକୁ ଯାଉଥିବା ବେଳେ ଏହାକୁ ଅଗ୍ରାଧିକାର ଭିତ୍ତିରେ ସାରିବାକୁ କହିଥିଲେ। ଏହି ଅବସରରେ ଇଂ. ସୁରେନ୍ଦ୍ର ନାୟକ, ବିଡିଏ ଡେପୁଟି କମିସନର(ଟିପି) ଭବତାରଣ ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଅମ୍ବିକା ମହାନ୍ତି, ଅଧୀକ୍ଷଣ ଯନ୍ତ୍ରୀ ରାକେଶ ସାହୁ, ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ ମହାପାତ୍ର, ଲ୍ୟାଣ୍ଡ ଅଫିସର ଲିପ୍ସା ରାୟ, ଆସିଷ୍ଟାଣ୍ଟ ଟାଉନ୍ ପ୍ଲାନର୍ ମାନସୀ ମହାନ୍ତିଙ୍କ ସମେତ ବିଡିଏର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
