Drinking water: ଡିସେମ୍ବର ସୁଦ୍ଧା ଜିଲ୍ଲାର ୧୫୯ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ: ଜିଲ୍ଲାପାଳ
ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ନିରାପଦ, ବିଶୁଦ୍ଧ ଓ ନିରନ୍ତର ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେଗା ପାଇପ୍ଡ୍ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ମଧୁମିତା ଚାନ୍ଦିଲି ପଣ୍ଡିକୋଟ ଗ୍ରାମ ପଞ୍ଚାୟତରେ ମେଗା ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କରିବା ସହ ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ।
ଏହି ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ନବରଙ୍ଗପୁର, ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକ୍ର ୪୦ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋଟ ୧୫୯ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆସନ୍ତା ଡିସେମ୍ବର ସୁଦ୍ଧା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ପରିଦର୍ଶନ ସମୟରେ ଜିଲ୍ଲାପାଳ ଜଳ ବିଶୋଧନାଗାରର କାର୍ଯ୍ୟକାରିତା, ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ନିର୍ମାଣାଧୀନ ଭିତ୍ତିଭୂମି, ପାଇପ୍ ବିଛାଇବା କାର୍ଯ୍ୟ, ଜଳ ସଂରକ୍ଷଣ ବ୍ୟବସ୍ଥା ଏବଂ ଅବଶିଷ୍ଟ କାର୍ଯ୍ୟଗୁଡ଼ିକର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କଠାରୁ ବିସ୍ତୃତ ତଥ୍ୟ ନେଇଥିଲେ। ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ମାଣର ଗୁଣାତ୍ମକ ମାନ, ବୈଷୟିକ ମାନଦଣ୍ଡ ଓ ନିର୍ଦ୍ଧାରିତ ସମୟସୀମା ପାଳନ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ବିଶେଷ କରି ପ୍ରକଳ୍ପ ଅନ୍ତର୍ଗତ ଗୋଟିଏ ଇଣ୍ଟରମିଡିଏଟ୍ ବୁଷ୍ଟର ପମ୍ପିଂ ଷ୍ଟେସନ୍ ଏବଂ ୫ଟି ଉଚ୍ଚସ୍ଥିତ ଜଳ ସଂରକ୍ଷଣ ଟାଙ୍କି ର ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ନଭେମ୍ବର ୨୦୨୬ ସୁଦ୍ଧା ଶେଷ କରିବାକୁ ସେ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ ସହିତ ଜିଲ୍ଲାପାଳ ପାପଡ଼ାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ପରିଦର୍ଶନ କରି ବିଡିଓ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ପାପାଡାହାଣ୍ଡି ବ୍ଲକ୍ ମୁଖ୍ୟାଳୟରେ ଏକ ଆଦର୍ଶ ହାଟ ପ୍ରତିଷ୍ଠାର ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସିଡିପିଓ କାର୍ଯ୍ୟାଳୟ ଭବନ ଓ ମିଶନ ଶକ୍ତି ଭବନର ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବା, ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର)ର ଭିତ୍ତିଭୂମି ଓ ସୁବିଧାସୁଯୋଗର ଉନ୍ନତିକରଣ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।
ପୁରୀ: ୧୪୭ ଗାଁକୁ ପାନୀୟ ଜଳଯୋଗାଣ ପାଇଁ ୧୮୩ କୋଟି ଟଙ୍କାର ବୃହତ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଜିଲ୍ଲାପାଳ ଟାଣ୍ଡାଗୁଡ଼ାସ୍ଥିତ ଟେରାକୋଟା କେନ୍ଦ୍ର ପରିଦର୍ଶନ କରି ସେଠାରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ଭିବି-ଗ୍ରାମଜି କାର୍ଯ୍ୟକ୍ରମ ଅନ୍ତର୍ଗତ ଆବଶ୍ୟକ କାର୍ଯ୍ୟଗୁଡ଼ିକରେ ସମନ୍ୱୟ ରଖି ଟେରାକୋଟା କେନ୍ଦ୍ରର ସୀମା ପ୍ରାଚୀର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟଣ୍ଡାଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରର କର୍ମୀ ଓ ସିଡିପିଓଙ୍କ ସହ ଆଲୋଚନା କରିଥିଲେ। ଟାଣ୍ଡାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିକଶିତ ଗ୍ରାମ ପଞ୍ଚାୟତ ଓଡ଼ିଶା ୨୦୨୫-୨୬ ଅଧୀନରେ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଥିଲେ। ଟାଣ୍ଡାଗୁଡ଼ାଠାରେ ନିର୍ମାଣାଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବନ ପରିଦର୍ଶନ କରି ଉପସ୍ଥିତ କର୍ମଚାରୀ ଓ ନିର୍ମାଣକାରୀ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା ସହ ତୁମ୍ବର୍ଲା ଛକ ନିକଟସ୍ଥ ନକ୍ତିଗୁଡ଼ାଠାରେ ଥିବା ସେତୁ ପରିଦର୍ଶନ କରି ଏହାର ସ୍ଥିତି ଓ ସମ୍ପୃକ୍ତ ସମସ୍ୟାଗୁଡ଼ିକ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ଗ୍ରାମ୍ୟ ଜଳଯୋଗାଣବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ପ୍ରତୀକ ରାଉତ, ଏନଏଚଏମ ନିର୍ବାହୀଯନ୍ତ୍ରୀ ବିଶ୍ବରଂଜନ ଷଡଙ୍ଗୀ, ବିଡିଓ କପିଳଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
