23 OCTOBER 2026

Welcome!

Unlock your personalized experience.
Sign Up

A Window of Hope: ଆଶାର ଗବାକ୍ଷ: ଖୁଣ-ଖୋଜା ଗୁଣ

Oct 23, 2026 - 04:20
A Window of Hope: ଆଶାର ଗବାକ୍ଷ: ଖୁଣ-ଖୋଜା ଗୁଣ

ଗୌରଚନ୍ଦ୍ର ତ୍ରିପାଠୀ

ସଂସଦରେ ଏହା ବେଶ୍ ଚର୍ଚ୍ଚିତ ମୁହୂର୍ତ୍ତ ଥିଲା। ଭାରତର ସ୍ୱାଧୀନତା ସଂଗ୍ରାମର ୧୫୦ ବର୍ଷର ଇତିହାସ ବହନ କରୁଥିବା ‘ବନ୍ଦେ ମାତରମ୍’ ଜାତୀୟ ଗୀତକୁ ନେଇ ଆଲୋଚନା ଚାଲିଥିଲା। ସେଇଠି ବିତର୍କ ଆଗେଇବା ସହ ଅତୀତକୁ ପୁଣି ଥରେ ରୋମନ୍ଥନ କରାଗଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପ୍ରତି ବାରମ୍ବାର ହେଉଥିବା ସମାଲୋଚନାକୁ ଆକ୍ଷେପ କରି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ରୋଚକ ପରାମର୍ଶ ଦେଲେ- ସଂସଦରେ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଉ, ନେହରୁଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗର ତାଲିକା ପ୍ରସ୍ତୁତ କରି ଏକାସାଙ୍ଗରେ ବିତର୍କ ସାରି ଏହି ଅଧ୍ୟାୟକୁ ସମାପ୍ତ କରାଯାଉ, ଯାହାଦ୍ୱାରା ଗୃହ ବେକାରି ଓ ମୁଦ୍ରାସ୍ଫୀତି ଭଳି ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଧ୍ୟାନ ଦେଇପାରିବ।
ଏହି ଦୃଶ୍ୟରେ ବିଡ଼ମ୍ବନା ସ୍ପଷ୍ଟ ଥିଲା। ଭବିଷ୍ୟତକୁ ଗଢ଼ିବା ପାଇଁ ଉଦ୍ଦିଷ୍ଟ ସଂସଦ ଦୋଷ ଦେବା ପାଇଁ ଅତୀତର କାନ୍‌ଭାସକୁ ବାରମ୍ବାର ବିଦାରୁଥିଲା। ଅନ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନିଜର ଦୋଷତ୍ରୁଟିକୁ ଘଣ୍ଟ ଘୋଡ଼ାଇବାର ଚେଷ୍ଟା ଚାଲିଥିଲା। ଏହି ଖୁଣ ଖୋଜିବା ଗୁଣ କେବଳ ଏକ ରାଜନୈତିକ ପ୍ରବୃତ୍ତି ନୁହେଁ, ଏହା ମାନବ ପ୍ରକୃତିର ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ଏହି ଦୃଶ୍ୟ ଆମ ଘର ପରିବାର ଯାଏଁ ମଧ୍ୟ ପରିବ୍ୟାପ୍ତ। ପ୍ରାୟତଃ ଯେତେବେଳେ କୌଣସି ଯୋଜନା ବିଫଳ ହୁଏ, ସମ୍ପର୍କ ଭାଙ୍ଗିଯାଏ କିମ୍ବା ଅନୁଷ୍ଠାନ ଦୁର୍ବଳ ହୋଇପଡ଼େ, ଆମେ ଦୋଷ କାହା ଉପରେ ଲଦାଯିବ ଖୋଜିବାକୁ ଚେଷ୍ଟା କରିଥାଉ। ଏହିପରି ଭାବରେ ଆରମ୍ଭ ହୁଏ ସେହି ଜଣାଶୁଣା ଖେଳ- ଅନ୍ୟର ଦୋଷ ଦେଖିବା ଓ ନିଜ ଭୁଲ୍‌କୁ ଆଖି ବୁଜି ଦେବା। 
ମନୋବିଜ୍ଞାନ ଖୁଣ ଖୋଜା ସ୍ୱଭାବର ଚାରିଟି ରୂପ ଚିହ୍ନଟ କରିଛି- ପୁରୁଣା ଅଭିଯୋଗର ହିସାବ ରଖୁଥିବା ‘ସ୍କୋରକିପର’, ନିଜକୁ ସବୁବେଳେ ଠିକ୍ ଭାବୁଥିବା ଚିର ଧର୍ମନିଷ୍ଠ, ଅସହମତିକୁ କଠୋର ଶବ୍ଦରେ ପ୍ରକାଶ କରୁଥିବା ଆକ୍ରମଣାତ୍ମକ ସମାଲୋଚକ ଏବଂ ବ୍ୟଙ୍ଗ-କଟାକ୍ଷରେ ଆଘାତ ଦେଉଥିବା କଟୁଭାଷୀ। ଏମାନଙ୍କ ମୂଳ ଉଦ୍ଦେଶ୍ୟ ସୁଧାର ଆଣିବା ନୁହେଁ, ନିଜର ଶ୍ରେଷ୍ଠତା ଜାହିର କରିବା।
ଭାରତୀୟ ସଂସ୍କୃତିରେ ଭର୍ତ୍ତୃହରି ତାଙ୍କ ‘ନୀତି ଶତକ’ରେ କହିଛନ୍ତି-‘ଦୋଷ ଖୋଜୁଥିବା ମନ କୋମଳତାକୁ ଦୁର୍ବଳତା, ବୀରତ୍ବକୁ କ୍ରୂରତା, ସତ୍ୟନିଷ୍ଠାକୁ କପଟତା ଓ ବାଗ୍ମିତାକୁ ବାଚାଳତା ଭାବେ ଦେଖେ।’ ଯେତେବେଳେ ମନ ଖୁଣ ଖୋଜିବାକୁ ଜିଦ୍ ଧରେ, ସେତେବେଳେ ସଦ୍‌ଗୁଣଗୁଡ଼ିକ ବି ଦୋଷ ଭାବରେ ପ୍ରତୀୟମାନ ହୁଏ। ଏହି ଲକ୍ଷଣ ପଛରେ ଥାଏ ଅସୁରକ୍ଷିତ ଭାବନା, ଈର୍ଷା, ଆତ୍ମବିଶ୍ୱାସର ଅଭାବ କିମ୍ବା ଅନ୍ୟକୁ ନିୟନ୍ତ୍ରଣ କରିବାର ଇଚ୍ଛା। ତେବେ ଚିନ୍ତାର ବିଷୟ ହେଉଛି ଆମର ଉଦ୍ଦେଶ୍ୟ ସ୍ଥିତି ସୁଧାରିବା ନା କେବଳ ଅନ୍ୟକୁ ଭୁଲ୍ ପ୍ରମାଣିତ କରିବା? ମାର୍କସ୍ ଅରେଲିୟସ୍ ତାଙ୍କ ‘ମେଡିଟେସନ୍‌ସ’ ବହିରେ ସଚେତନ କରାଇଛନ୍ତି- ଅନ୍ୟର ତ୍ରୁଟି ଦେଖି ବିଚଳିତ ନ ହୋଇ, ସେହି ପରିସ୍ଥିତିରେ ମନକୁ ଶୃଙ୍ଖଳିତ ରଖିବା ହିଁ ବିଜ୍ଞତାର ପରିଚୟ।
ପୌରାଣିକ ଓ ଐତିହାସିକ ଗାଥାରେ ବି ଏହି ବିନାଶକାରୀ ପ୍ରବୃତ୍ତିର ଦୃଷ୍ଟାନ୍ତ ରହିଛି। ଦେବତାମାନଙ୍କ ସୃଷ୍ଟିରେ ଖୁଣ ଖୋଜୁଥିବା ମୋମସ୍ ଶେଷରେ ଦେବଲୋକରୁ ବିତାଡ଼ିତ ହୋଇଥିବା କଥା ଗ୍ରୀକ୍‌ ପୁରାଣରେ ଦେଖିବାକୁ ମିଳେ। ମହାଭାରତରେ ଦୁର୍ଯ୍ୟୋଧନଙ୍କ ଈର୍ଷା ତାକୁ ପାଣ୍ଡବଙ୍କ ଭଲ ଗୁଣ ଦେଖିବାରୁ ବଞ୍ଚିତ କରିଥିଲା, ଯାହା କୌରବ ବଂଶର ବିନାଶର କାରଣ ସାଜିଥିଲା। ଫରାସୀ ବିପ୍ଳବ ସମୟରେ ରୋବସପିୟରଙ୍କ ଏହି ଗୁଣ ସନ୍ଦେହକୁ ସନ୍ତ୍ରାସର ଅସ୍ତ୍ରରେ ପରିଣତ କରିଥିଲା। ଆମେରିକାର ‘ଏଫ୍‌ବିଆଇ’ର ଦୀର୍ଘକାଳୀନ ନିର୍ଦ୍ଦେଶକ ଜେ. ଏଡଗାର ହୁଭର ନାଗରିକଙ୍କ ଦୋଷଦୁର୍ଗୁଣ ତଥ୍ୟର ଦୁରୁପଯୋଗ କରି ବ୍ୟକ୍ତି ଓ ଆନ୍ଦୋଳନକୁ ବଦନାମ କରୁଥିଲେ। ଏପରି ସ୍ଥିତିରେ ଖୁଣ ବାଛିବା ସୁଧାର ଆଣିବାର ଅବସର ସୃଷ୍ଟି କରେ ନାହିଁ, କ୍ଷମତାର ଅସ୍ତ୍ର ପାଲଟିଯାଏ।
ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ଅତ୍ୟନ୍ତ କ୍ଷତିକାରକ। ପାରିବାରିକ ସମ୍ପର୍କରେ ତିକ୍ତତା ଓ ଦୂରତା ସୃଷ୍ଟି କରିବାର ଏହା ଏକ ପ୍ରମୁଖ କାରଣ। ଛୋଟ ଛୋଟ କଥାରେ ପରସ୍ପର ପ୍ରତି ଦୋଷାରୋପ ଓ କଟାକ୍ଷ ଘରର ପରିବେଶକୁ ବିଷାକ୍ତ କରିଦିଏ। ବିଶେଷକରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଖୁଣ ବଛାବଛି ଅନ୍ୟକୁ ନୀଚା ଦେଖାଇବା ପାଇଁ ନୁହେଁ, ଚରିତ୍ର ଗଠନ ପାଇଁ ବ୍ୟବହାର ହେବା ଉଚିତ। କାର୍ଯ୍ୟକ୍ଷେତ୍ରରେ ଏହି ପ୍ରବୃତ୍ତି ନୂଆ ଚିନ୍ତା ଓ ଦକ୍ଷତାକୁ ଦମନ କରେ; ଲୋକଙ୍କୁ ଭୁଲ୍ ସୁଧାରିବା ବଦଳରେ ଲୁଚାଇବାକୁ ବାଧ୍ୟ କରେ। ଅତ୍ୟଧିକ ଆକ୍ରମଣାତ୍ମକ ସମାଲୋଚନା ସୁଧାର ଆଣିବା ବଦଳରେ ପ୍ରତିରୋଧ ଓ ଆତ୍ମରକ୍ଷାର ମନୋଭାବ ସୃଷ୍ଟି କରେ। ତେଣୁ ଦୋଷ-ଦୁର୍ଗୁଣ ବାଛିବା ପୂର୍ବରୁ ଆମେ ନିଜକୁ ପଚାରିବା ଉଚିତ- ଏହା ଆଘାତ ଦେବ ନା ସ୍ବଭାବ ପରିବର୍ତ୍ତନରେ ସାହାଯ୍ୟ କରିବ?
ଏହି ଦୁର୍ଗୁଣରୁ ମୁକ୍ତି ପାଇଁ ଆଧ୍ୟାତ୍ମିକ ପରମ୍ପରା ଆମକୁ ମାର୍ଗ ଦେଖାଏ। ଶ୍ରୀମଦଭଗବଦ୍‌ଗୀତାରେ ‘ଅପୈଶୁନମ୍’ ଅର୍ଥାତ୍ ପରନିନ୍ଦା ଓ ଅନ୍ୟର ଦୋଷ ପ୍ରଚାରରୁ ବିରତ ରହିବାକୁ ଦୈବୀଗୁଣ ବୋଲି କୁହାଯାଇଛି। ଖ୍ରୀଷ୍ଟ ଧର୍ମ ଶିକ୍ଷା ଦିଏ, “ବିଚାର କର ନାହିଁ, ନଚେତ ତୁମର ମଧ୍ୟ ବିଚାର କରାଯିବ।” ଏହି ପ୍ରସଙ୍ଗରେ ସନ୍ଥ କବୀରଙ୍କ ବାଣୀ ଅତ୍ୟନ୍ତ ପ୍ରାସଙ୍ଗିକ- ବୁରା ଜୋ ଦେଖନ ମୈଁ ଚଲା, ବୁରା ନ ମିଲିୟା କୋୟ। ଜୋ ଦିଲ ଖୋଜା ଆପନା, ମୁଝସେ ବୁରା ନ କୋୟ॥ 
ଯେତେବେଳେ ସମାଲୋଚନା ସତ୍ୟ ଦ୍ୱାରା ପରିଚାଳିତ, କରୁଣା ଦ୍ୱାରା ସନ୍ତୁଳିତ ଏବଂ ସୁଧାର ଆଡ଼କୁ ନିର୍ଦ୍ଦେଶିତ ହୁଏ, ସେତେବେଳେ ଖୁଣ ଖୋଜିବା ବି ସଦ୍‌ଗୁଣ ହୋଇଯାଏ। ତେଣୁ ଚାଲନ୍ତୁ- ଖୁଣ ନୁହେଁ, ଗୁଣ ଖୋଜିବା; ଆକ୍ଷେପ ନୁହେଁ, ସମାଧାନ ଖୋଜିବା। ନିଜର ଓ ପରର ତ୍ରୁଟିକୁ ସ୍ୱୀକାର କରି, ସୁଧାରି, ସେଠାରୁ ଊର୍ଦ୍ଧ୍ୱକୁ ଉଠିବାର ମାନବୀୟ ସଂକଳ୍ପ ନେବା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)