3 crores : ଫ୍ରାଞ୍ଚାଇଜ୍ ଦେବା ଆଳରେ ୩କୋଟି ଚଳୁ
"ଭୁବନେଶ୍ବର: ନିଜ ଷ୍ଟାର୍ଟଅପ୍ର ଫ୍ରାଞ୍ଚାଇଜ୍ ବଳରେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରାଇବାର ଲୋଭ ଦେଖାଇ ପ୍ରାୟ ୨୫୦ ଜଣଙ୍କଠାରୁ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଧୂର୍ତ୍ତ ସଚ୍ଚିଦାନନ୍ଦ ଭୋଇ(୫୧)କୁ ଇନ୍ଫୋସିଟି ଥାନା ପୁଲିସ ଗିରଫ କରିଛି।
ଜଣେ ସାଂସଦଙ୍କ ପୁଅର ପରିଚୟରେ ବରଗଡ଼ ଜିଲ୍ଲା କେନ୍ଦୁପାଲିର ଠକ ସଚ୍ଚିଦାନନ୍ଦ ଓଡ଼ିଶାରେ ଲୋକଙ୍କୁ ଚୂନ ଲଗାଇବା ପରେ ପଶ୍ଚିମବଙ୍ଗ ସିଲିଗୁଡ଼ି ଅଞ୍ଚଳରେ ନେପାଳ ସୀମାରେ ଲୁଚିଥିଲା।
ଗତକାଲି ତାକୁ ସେଠାରୁ ସ୍ଥାନୀୟ ପୁଲିସ ସହଯୋଗରେ ଗିରଫ କରାଯାଇଛି।
ଆଜି ସାମ୍ବାଦିକ ସମ୍ମିଳନୀରେ ଏସିପି ମାନସ ରଞ୍ଜନ ପ୍ରଧାନ ଓ ଆଇଆଇସି ମହେନ୍ଦ୍ର ସାହୁ ଧୂର୍ତ୍ତ ସଚ୍ଚିଦାନନ୍ଦର ଠକେଇ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ।
୨୦୧୭ ମସିହାରୁ ସେ ବିଭିନ୍ନ ସଂସ୍ଥାରେ ପୁଞ୍ଜିନିବେଶ କରାଇବା ଆଳରେ ଲୋକଙ୍କୁ ଠକୁଥିଲା ଏବଂ ୨୦୨୩ ମସିହାରେ କମିସନରେଟ୍ ପୁଲିସ ତାକୁ ଗିରଫ କରିଥିଲା।
୨୦୨୫ ମସିହାରେ ଜାମିନରେ ଆସି ସେ ପୁଣି ଇନ୍ଫୋସିଟି ଥାନା ଅଞ୍ଚଳରେ ଅଫିସ ଖୋଲି ଏହି ଠକେଇ କରିଛି।Advertisment Monsoon: ପୁଣି ଦୁର୍ବଳ ହେଲା ମୌସୁମୀ: ନିଅଣ୍ଟିଆ ବର୍ଷା ୪୫ ପ୍ରତିଶତକୁ ବୃଦ୍ଧି, ଚିନ୍ତା ବଢ଼ାଇଲା ମେଘହୀନ ଆକାଶ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ ଯୋଜନା(ପିଏମ୍ଇଜିପି)ରେ ସଚ୍ଚିଦାନନ୍ଦ ଏକ ଷ୍ଟାର୍ଟ ଅପ୍ କରିଥିଲା।
ଓଡ଼ିଶାରେ "ଗୋ ସ୍ପିଡ୍ ଗୋ" ନାଁରେ ଏହି ସଂସ୍ଥାକୁ ପଞ୍ଜୀକରଣ କରିଥିଲା।
ରାସ୍ତାରେ ଖରାପ ହେଉଥିବା ଗାଡ଼ିଗୁଡ଼ିକୁ ବୁଲିବୁଲି ଠିକ୍ କରିବା ଥିଲା ଏହି ଷ୍ଟାର୍ଟଅପ୍ର ଲକ୍ଷ୍ୟ।
ତା" ସଂସ୍ଥାରୁ ଫ୍ରାଞ୍ଚାଇଜ୍ ନେଲେ ଅତି କମ୍ରେ ମାସକୁ ସାଢ଼େ ୪ଲକ୍ଷ ଟଙ୍କା ଲାଭ କରିହେବ ବୋଲି ସେ ଲୋଭ ଦେଖାଉଥିଲା।
କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଫ୍ରାଞ୍ଚାଇଜ୍ଧାରୀମାନେ ପୁଞ୍ଜିନିବେଶର ୨୫% ସବ୍ସିଡ୍ ପାଇବେ ବୋଲି ସେ ବୁଝାଉଥିଲା।
ପ୍ରତି ଫ୍ରାଞ୍ଚାଇଜ୍ଧାରୀଙ୍କୁ ତା" ସଂସ୍ଥା ପକ୍ଷରୁ ଖରାପ ଗାଡ଼ି ଉଠାଇବାକୁ ଗୋଟିଏ ଯନ୍ତ୍ରପାତିଖଚିତ ଗାଡ଼ି ସାଙ୍ଗକୁ ଜଣେ ଚାଳକ ଓ ୩ଜଣ ଇଂଜିନିୟର ଯୋଗାଇଦିଆଯିବ ବୋଲି କହିଥିଲା।
ବଡ଼ବଡ଼ ମଲ୍ରେ ଅଫିସ୍ ଖୋଲିବା ଓ ତାରକା ହୋଟେଲ୍ରେ ମିଟିଂ କରି ସେ ନିବେଶକଙ୍କୁ ଭୁଆଁ ବୁଲାଉଥିଲା।
ଜଣେ ସାଂସଦଙ୍କ ପୁଅ ବୋଲି ତାକୁ ନିବେଶକମାନେ ବିଶ୍ବାସ କରି ଫ୍ରାଞ୍ଚାଇଜ୍ ନେବାକୁ ୩ ଲକ୍ଷ ଟଙ୍କା ଲେଖାଏଁ ଗଣି ଦେଇଥିଲେ।
ପ୍ରଥମେ ଧୂର୍ତ୍ତ ୪/୫ଜଣ ଫ୍ରାଞ୍ଚାଇଜ୍ଧାରୀଙ୍କୁ ଖରାପ ଗାଡ଼ି ଉଠାଇବା ପାଇଁ ଗାଡ଼ି ଦେଇଥିଲା।
କିନ୍ତୁ ସେମାନଙ୍କୁ ନା ମେକାନିକ୍ ନା ଚାଳକ ଦେଇଥିଲା।
ସେହିଭଳି ଦିଲ୍ଲୀ ଜୋହର ମୋଟର୍ସରେ ଖରାପ ଗାଡ଼ି ଉଠା ଗାଡ଼ି ବୁକ୍ ହୋଇଥିବାର ଜାଲ୍ କାଗଜପତ୍ର ଦେଖାଇ ଅନ୍ୟମାନଙ୍କୁ ଠକିଥିଲା।
୨୫୦ଜଣଙ୍କଠାରୁ ଟଙ୍କା ନେବା ପରେ ସେ ଅଫିସ୍ ବନ୍ଦ କରି ଉଭାନ ହୋଇଯାଇଥିଲା।
ଠକେଇର ଶିକାର ହୋଇଥିବା କଟକ ସିଡିଏର ବିମଳ ତ୍ରିପାଠୀ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ।
SIR controversy: "ଶଙ୍ଖାମେଦୀ"ରେ ଏସ୍ଆଇଆର୍ ବିବାଦ: ବିରୋଧ ଯୋଗୁ ଫେରିଆସିଲେ ବିଏଲ୍ଓ ପୂର୍ବରୁ ଏକାଧିକ ସଂସ୍ଥା ଖୋଲି ଠକିଛି ସଚ୍ଚିଦାନନ୍ଦ ବିଭିନ୍ନ ସ୍କିମ୍ରେ ଲୋକଙ୍କୁ ଚୂନ ଲଗାଉଥିଲା।
ଚାକିରିର ଲୋଭ ସାଙ୍ଗକୁ ପୁଞ୍ଜିନିବେଶ ନାଁରେ ଠକୁଥିଲା।
ଓଫୋସ୍, ଗୋ ସ୍ପିଡ୍ ଗୋ, ହାଇ ଫର୍କ ଟେକ୍ନୋଲୋଜି ଆଦି ଏକାଧିକ ସଂସ୍ଥା ଖୋଲି ସେ ଲୋକଙ୍କୁ ଭୁଆଁ ବୁଲାଉଥିବା ଜଣାପଡ଼ିଛି।
ଏଥିପାଇଁ ସେ ଡିଏଲ୍ଏଫ୍, ଡିଏନ୍ ଅକ୍ସି ପାର୍କ, ଏସ୍ପ୍ଲାନେଡ୍, ବିଗ୍ବଜାର ଭଳି ବଡ଼ ବଡ଼ ମଲ ଓ ପ୍ରତିଷ୍ଠିତ ବିଲ୍ଡିଂରେ ଅଫିସ ଖୋଲିଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତା ହାଇଫାଇ ଅଫିସ୍ରେ କାମ କରୁଥିବା କର୍ମଚାରୀମାନଙ୍କ ଦରମା ବାବଦ ପ୍ରାୟ ୬୫ ଲକ୍ଷ ଟଙ୍କା ବି ସେ ଚଳୁ କରିଦେଇଛି।
ଏନେଇ ସ୍ପେସାଲ କ୍ରାଇମ୍ ୟୁନିଟ୍ ଓ ଇଓଡବ୍ଲ୍ୟୁରେ ମଧ୍ୟ ମାମଲା ହୋଇଥିଲା।
ରାଜ୍ୟ ବାହାରକୁ ଲମ୍ବିଛି ଚେର ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଭଳି ରାଜ୍ୟର ଆଶାୟୀଙ୍କୁ ଶଠ ସଚ୍ଚିଦାନନ୍ଦ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଜଣାପଡ଼ିଛି।
ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ଦେବାକୁ କହି ଫସାଇଥିବା ଅଭିଯୋଗ ରହିଛି।
ସେ ବିଭିନ୍ନ ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଟିମ୍ ପଠାଇ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ଉପରେ ତାଲିମ ଓ ପରେ ନିଯୁକ୍ତି ଦେବାକୁ କହୁଥିଲା।
ତାଲିମ ପାଇଁ ସେମାନଙ୍କଠାରୁ ୩ ମାସକୁ ୨୫ ହଜାର ଟଙ୍କା ଆଦାୟ କରି ଠକିଥିଲା।"