Ann Dunham: ଆନ୍ ଡନ୍ହମ୍: ଓବାମାଙ୍କୁ ଗଢ଼ିଥିବା ମାଆ
"ଇତିହାସ ପୃଷ୍ଠାରୁ ଆଜିର ସମୟଖଣ୍ଡ ପର୍ଯ୍ୟନ୍ତ ଆମ ଆଖପାଖରେ ଏମିତି ଅନେକ ନାରୀ ଅଛନ୍ତି ବା ଥିଲେ, ଯେଉଁମାନଙ୍କର ତ୍ୟାଗ, ତପସ୍ୟା, ବଳିଦାନ, ବୀରତ୍ୱ, ଯଶକୀର୍ତ୍ତି ଯୋଗୁଁ ସମାଜ ଲାଭବାନ ହୋଇଛି।
ନିଜନିଜ କ୍ଷେତ୍ରରେ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଏମିତି ଅନାଲୋଚିତ ନାରୀମାନଙ୍କୁ ମନେ ପକାଇବା ପାଇଁ ଆମର ଏହି ଶ୍ରଦ୍ଧା ନିବେଦନ- ଅତୁଳନୀୟା ସେ...।
ଏହି କ୍ରମରେ ଆଜି ଉପସ୍ଥାପନ କରୁଛୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ମାଆ ଷ୍ଟାନ୍ଲି ଆନ୍ ଡନ୍ହମ୍ଙ୍କ କାହାଣୀ।Advertisment ଉପସ୍ଥାପନା: ପ୍ରଦୀପ କୁମାର ରାୟ ହୁଏତ କେହି ତାଙ୍କୁ ଜାଣନ୍ତି ନାହିଁ।
କିନ୍ତୁ ଯେଉଁ ପୁଅକୁ ସେ ଲାଳନପାଳନ କରିଥିଲେ, ସେହି ପୁଅ ଦିନେ ବିଶ୍ବରେ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମା ନାମରେ ପ୍ରସିଦ୍ଧି ଅର୍ଜନ କରିଥିଲେ ଏବଂ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ନିଜର ନାମ ଲିପିବଦ୍ଧ କରାଇବାକୁ ସମର୍ଥ ହୋଇଥିଲେ।
ସେ ୧୯୪୨ ମସିହାରେ ଉଇଚିଟା ସହରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେହି କୁନି ଝିଅର ଏଭଳି ଏକ ନାମକରଣ କରାଯାଇଥିଲା ଯାହା ସାଧାରଣତଃ ପୁଅମାନଙ୍କର ଏକ ନାମ- ଷ୍ଟାନ୍ଲି ଆନ୍ ଡନ୍ହାମ୍।
ତାଙ୍କ ବାପା ଗୋଟିଏ ପୁତ୍ର ସନ୍ତାନ ଆଶା କରିଥିଲେ କିନ୍ତୁ ପୁତ୍ରସନ୍ତାନ ପରିବର୍ତ୍ତେ ଏମିତି ଏକ କନ୍ୟାସନ୍ତାନ ପାଇଥିଲେ, ଯିଏ ନିରବରେ ବଢ଼ି ଭବିଷ୍ୟତରେ ପ୍ରତ୍ୟାଶାଠାରୁ ଅଧିକ ଶକ୍ତିଶାଳୀ ଜଣେ ମହିଳାରେ ପରିଣତ ହେବେ ବୋଲି କଳ୍ପନା ସୁଦ୍ଧା କରି ନଥିଲେ।
Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର ତାଙ୍କର ଶୈଶବ ଥିଲା ଅସ୍ଥିର।
ତାଙ୍କ ପରିବାରକୁ ପ୍ରାୟତଃ ଘର ବଦଳାଇବାକୁ ପଡୁଥିଲା।
ତେବେ ତାଙ୍କ ବଢ଼ି ଉଠିବାର ଅଧିକାଂଶ ସମୟ ମର୍ସାର ଦ୍ବୀପରେ କଟିଥିଲା, ସେଠାରେ ଶିକ୍ଷକମାନେ ତାଙ୍କୁ ଜଣେ ଭିନ୍ନଧରଣର ଛାତ୍ରୀ ବୋଲି ମନେ କରୁଥିଲେ।
ପିଲାଦିନେ ସବୁବେଳେ ସେ ଭାବୁଥିଲେ।
ସବୁବେଳେ ଏମିତି ପ୍ରଶ୍ନ କରୁଥିଲେ ଯାହା ଅନ୍ୟ କୌଣସି ଛାତ୍ର ବା ଛାତ୍ରୀ ଭାବି ମଧ୍ୟ ପାରୁ ନଥିଲେ।
ଝିଅମାନେ କାହିଁକି ପୁଅମାନଙ୍କ ପରି ସବୁକିଛି କରିପାରନ୍ତି ନାହିଁ?
କାହିଁକି ଏଭଳି କିଛି ନିୟମ ପ୍ରଚଳିତ ଯାହା କେବେହେଲେ ବଦଳାଯାଇ ପାରିବନାହିଁ?
କାହିଁକି କେହି ପୃଥିବୀକୁ ଯେମିତି ଅଛି ସେମିତି ହିଁ ମାନିନେବ?
ଏଭଳି କୌତୂହଳ କେବେହେଲେ ତାଙ୍କ ମନରୁ ଅପସରି ଯାଇ ନଥିଲା।
ମାତ୍ର ଅଠର ବର୍ଷ ବୟସରେ ସେ ହାଵାଇ ବିଶ୍ୱବିଦ୍ୟାଳୟରେ ପଢ଼ିବା ଆରମ୍ଭ କରିଥିଲେ।
ସେଠାରେ କେନିୟାର ଜଣେ ତରୁଣ ଛାତ୍ର ବାରାକ୍ ଓବାମା ସିନିୟର୍ଙ୍କ ସହିତ ତାଙ୍କର ସାକ୍ଷାତ ହୁଏ।
ସେମାନେ ପ୍ରେମରେ ପଡ଼ନ୍ତି ଏବଂ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି।
୧୯୬୧ ମସିହା ଅଗଷ୍ଟ ମାସରେ ସେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦିଅନ୍ତି, ଯାହାର ନାମ ସହିତ ଥିଲା ତା"ର ବାପାଙ୍କ ନାମ- ବାରାକ୍।
ଅନେକଙ୍କ ପାଇଁ ଏତେ ଅଳ୍ପ ବୟସରେ ମା" ହେବା ଅର୍ଥ ହୁଏତ ସ୍ବପ୍ନମାନଙ୍କ ଠାରୁ ଦୂରେଇ ଯିବା ହୋଇଥାନ୍ତା କିନ୍ତୁ ଆନ୍ଙ୍କ ପାଇଁ ତାହା ଆହୁରି ବଡ଼ ସ୍ବପ୍ନ ଦେଖିବାର ଏକ କାରଣ ପାଲଟି ଯାଇଥିଲା।
ଜୀବନ ତାଙ୍କ ପାଇଁ ସହଜ ଓ ସରଳ ନଥିଲା।
ଖୁବ୍ ଅଳ୍ପ ସମୟ ଭିତରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।
ତା"ପରେ ସେ ଲଲୋ ସୁତୋରୋଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ।
୧୯୬୭ ମସିହାରେ ସେ ଏଭଳି ଏକ ସିଦ୍ଧାନ୍ତ ନେଲେ ଯାହା ତାଙ୍କ ସମୟରେ କୌଣସି ଆମେରିକାନ୍ ମାଆ କଳ୍ପନା କରିବା ମଧ୍ୟ ଅସମ୍ଭବ ଥିଲା।
ସେ ତାଙ୍କର କୁନି ପୁଅକୁ ନେଇ ଜାକାର୍ତ୍ତା ଚାଲିଗଲେ।
ଏକାବେଳକେ ଏକ ଭିନ୍ନ ଜଗତ!
ଗୋଟିଏ ନୂତନ ଭାଷା।
ନୂତନ ସଂସ୍କୃତି।
ନୂତନ ସଂଗ୍ରାମ।
ଅନେକେ ହୁଏତ ହାରି ଯାଇଥାନ୍ତେ।
ଆନ୍ କିନ୍ତୁ କୌତୂହଳୀ ହେଲେ।
ଜୀବନଠାରୁ ମୁହଁ ବୁଲାଇ ନନେଇ ଆହୁରି ଜୀବନର ନିକଟତର ହେଲେ।
ସେ କେବଳ ଇଣ୍ଡୋନେସିଆରେ ବସବାସ କଲେ ନାହିଁ, ସେଠାକାର ଭାଷା, ସଂସ୍କୃତି ଓ ଜୀବନକୁ ଆହୁରି ଗଭୀର ଭାବେ ବୁଝିବାର ଚେଷ୍ଟା କଲେ।
ସେ ଲୁହା କାରିଗରମାନଙ୍କ ପାଖରେ ଯାଇ ବସୁଥିଲେ, ଯେଉଁମାନେ ପିଢ଼ି ପରେ ପିଢ଼ି ଦକ୍ଷତାର ସହିତ ଲୁହାର ଜିନିଷ ତିଆରି କରୁଥିଲେ।
ସେ ଘଣ୍ଟା ପରେ ଘଣ୍ଟା ଧୈର୍ଯ୍ୟର ସହିତ ମହିଳାମାନେ କେମିତି ସିଲେଇ କରୁଛନ୍ତି ଦେଖୁଥିଲେ।
ସେ ମା"ମାନଙ୍କର କଥା ଶୁଣୁଥିଲେ କେମିତି ସେମାନେ ଅଭାବ ଭିତରେ ମଧ୍ୟ ସେମାନଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି।
Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର ସେ ଯାହା ଦେଖୁଥିଲେ, ଯାହା ଅନୁଭବ କରୁଥିଲେ ସେସବୁକୁ ନୋଟ୍ବୁକ୍ରେ ଲେଖି ରଖୁଥିଲେ।
ତାଙ୍କର ସେହି ଦେଖିବା ଓ ଅନୁଭବ କରିବା ଦୂରରୁ ନଥିଲା ବରଂ ଥିଲା ଲୋକଙ୍କ ଜୀବନର ଆଭ୍ୟନ୍ତରରୁ।
ଜୀବନକୁ ଏଭଳି ଦେଖୁ ଦେଖୁ ସେ ଗୋଟିଏ ଶକ୍ତିଶାଳୀ ବିଷୟ ଦେଖିବାକୁ ଆରମ୍ଭ କଲେ।
ସେହି ସମୟରେ, ଅନେକ ବିଶେଷଜ୍ଞ ବିଶ୍ବାସ କରୁଥିଲେ ଯେ ଦରିଦ୍ର ସମ୍ପ୍ରଦାୟମାନେ ସେମାନଙ୍କର ଅଭ୍ୟାସ ବା ସଂସ୍କୃତି ହେତୁ ଦରିଦ୍ର।
କିନ୍ତୁ ଆନ୍ ସମ୍ପୂର୍ଣ୍ଣ ଭିନ୍ନ କିଛି ଦେଖିବାକୁ ପାଇଲେ।ସେ ଶକ୍ତି ଦେଖିଲେ।ସେ ବୁଦ୍ଧିମତ୍ତା ଦେଖିଲେ।ସେ ଶୃଙ୍ଖଳା ଦେଖିଲେ।ସେ ସୃଜନଶୀଳତା ଓ ସ୍ଥିତିସ୍ଥାପକତା ଦେଖିଲେ।ଲୋକମାନଙ୍କର ଦକ୍ଷତାର ଅଭାବ ନଥିଲା।
ଅଭାବ ଥିଲା ସୁଯୋଗର।
ଅଭାବ ଥିଲା ପ୍ରବେଶ ଅଧିକାରର।
ଅଭାବ ଥିଲା ଏଭଳି ଜଣେ ମଣିଷଙ୍କର, ଯାହାଙ୍କୁ ସେମାନେ ବିଶ୍ୱାସ କରିପାରିବେ।
ସେହି ବିଶ୍ବାସ ହିଁ ତାଙ୍କ ଜୀବନର କର୍ମକୁ ରୂପ ଦେଇଥିଲା।
ସେ ଫୋର୍ଡ ଫାଉଣ୍ଡେସନ୍ ଓ ୟୁଏସ୍ଏଆଇଡି ପରି ସଂସ୍ଥାମାନଙ୍କ ସହିତ କାର୍ଯ୍ୟ କରିଛନ୍ତି।
ସେ ବ୍ୟାଙ୍କ ରାକ୍ୟାତ୍, ଇଣ୍ଡୋନେସିଆ ସହିତ ଗବେଷଣା ଓ କର୍ମସୂଚୀରେ ଅବଦାନ ରଖିଛନ୍ତି, ତାହା ଏଭଳି ଏକ ବ୍ୟବସ୍ଥା ସମର୍ଥନ କରିବାକୁ ସାହାଯ୍ୟ କରେ ଯାହା ପ୍ରଚଳିତ ବ୍ୟାଙ୍କମାନଙ୍କ ଦ୍ୱାରା ପ୍ରାୟତଃ ଉପେକ୍ଷିତ ଗରିବ ବା ଆର୍ଥିକ ଭାବରେ ଅନଗ୍ରସରମାନଙ୍କୁ ୠଣ ପ୍ରଦାନ କରୁଥିଲା।
ଆର୍ଥିକ ଭାବରେ ଅନଗ୍ରସର ଓ ଗରିବଙ୍କ ପାଇଁ ସେହି କ୍ଷୁଦ୍ର ୠଣ ବ୍ୟବସ୍ଥା କରାଇଦେବା ଫଳରେ ସେମାନଙ୍କ ଜୀବନରେ ନିରବରେ ପରିବର୍ତ୍ତନ ଆଣିଥିଲେ।
ମହିଳାମାନେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କଲେ।
ସେମାନେ ସେମାନଙ୍କର ସନ୍ତାନମାନଙ୍କୁ ସ୍କୁଲ ପଠାଇବାରେ ସମର୍ଥ ହେଲେ।
ସେହି ଅନଗ୍ରସର ମଣିଷମାନେ ଧୀରେ ଧୀରେ ସ୍ଥିତିଶୀଳତା ଗଢ଼ି ତୋଳିବାକୁ ଲାଗିଲେ।
କେହି ସେମାନଙ୍କୁ ଉଦ୍ଧାର କରିଥିଲା ବୋଲି ନୁହେଁ, ବରଂ ଆନ୍ ସେମାନଙ୍କୁ ବିଶ୍ବାସ କରିଥିଲେ ବୋଲି।
ବର୍ଷ ପରେ ବର୍ଷ ଫିଲ୍ଡ ଷ୍ଟଡି ପରେ ୧୯୯୨ ମସିହାରେ ସେ ନୃତତ୍ତ୍ବବିଜ୍ଞାନରେ ଡକ୍ଟରେଟ ଡିଗ୍ରୀ ଅର୍ଜନ କରନ୍ତି।
ଏସବୁ ସହିତ ସେ ତାଙ୍କର ଦୁଇ ସନ୍ତାନ ବାରାକ୍ ଓବାମା ଓ ଝିଅ ମାୟାକୁ ଲାଳନପାଳନ କରନ୍ତି; ସେମାନଙ୍କୁ ଏଭଳି ମୂଲ୍ୟବୋଧ ଶିକ୍ଷା ଦିଅନ୍ତି ଯାହା ଆଜୀବନ ସେମାନଙ୍କ ସହିତ ରହିବ।
୧୯୯୪ ମସିହାରେ ସେ ଅସୁସ୍ଥ ହୋଇ ଯୁକ୍ତରାଷ୍ଟ୍ରକୁ ଫେରିଆସନ୍ତି।
ତାଙ୍କୁ କ୍ୟାନ୍ସର୍ ହୋଇଥିବା ଜଣାପଡ଼େ।
୧୯୯୫ ମସିହା ନଭେମ୍ବର ୭ ତାରିଖ ଦିନ, ହନଲୁଲୁଠାରେ ସେ ମୃତ୍ୟୁବରଣ କରନ୍ତି।
ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା।
କିନ୍ତୁ ତାଙ୍କ ଶ୍ରମ ଓ ଉପଯୁକ୍ତ ଲାଳନପାଳନର ଫଳ ଦେଖିବାକୁ ସେ ଆଉ ନଥିଲେ।
ସେ ତାଙ୍କର ପୁଅ ଆମେରିକାର ରାଷ୍ଟ୍ରପତି ହେବା ଦେଖିପାରି ନଥିଲେ।
ସେ କେବେହେଲେ ତାଙ୍କ ସନ୍ତାନର ସେହି ଭାଷଣ ସବୁ ଶୁଣିବାକୁ ପାଇନଥିଲେ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ପର୍ଶ କରିଥିଲା, କିନ୍ତୁ ତାଙ୍କର ପ୍ରଭାବ ବାରାକ୍ ଓବାମାଙ୍କ ପ୍ରତିଟି ଭାଷଣରେ ଥିଲା।
କ୍ଷମତାର ଶୀର୍ଷତମ ସୋପାନରେ ପହଞ୍ଚି ମଧ୍ୟ ବାରାକ୍ ଓବାମା ଜଣେ ଅତି ସାଧାରଣ ମଣିଷ ଭାବରେ ଜୀବନଯାପନ କରୁଥିଲେ, ତାଙ୍କର ସନ୍ତାନମାନଙ୍କୁ ମଧ୍ୟ ସରଳ ସାଧାରଣ ଜୀବନଯାପନ କରିବା ପାଇଁ ପ୍ରବର୍ତ୍ତାଉଥିଲେ।
କ୍ଷମତାର ଅହଂକାର କେବେହେଲେ ତାଙ୍କୁ ଗ୍ରାସ କରି ନଥିଲା ଏବଂ ନିଜକୁ ବିଜ୍ଞାପିତ କରାଇବାକୁ ସେ ସଦାସର୍ବଦା ଘୃଣା କରୁଥିଲେ।
ରାଷ୍ଟ୍ରପତି ହେବା ପରେ ବାରାକ୍ ଓବାମା ତାଙ୍କର ଭାଷଣରେ ବାରମ୍ବାର ଏକଥା ଉଲ୍ଲେଖ କରିଛନ୍ତି ଯେ, ପୃଥିବୀକୁ ଦେଖିବାର ଦୃଷ୍ଟିଭଙ୍ଗୀ ସେ ତାଙ୍କର ମାଆଙ୍କ ପାଖରୁ ଶିକ୍ଷାଲାଭ କରିଥିଲେ।
ଆନ୍ ଡନ୍ହାମ୍ ଖ୍ୟାତି ପାଇଁ ବଞ୍ଚି ନଥିଲେ।
ସେ ବଞ୍ଚୁଥିଲେ ମଣିଷକୁ ସାହାଯ୍ୟ କରିବା ପାଇଁ।
ବେଳେବେଳେ ଯେଉଁମାନଙ୍କୁ ପୃଥିବୀ ସବୁଠାରୁ କମ୍ ଲକ୍ଷ୍ୟ କରେ, ଆନ୍ ଡନ୍ହାମ୍ଙ୍କ ପରି ସେହିମାନେ ହିଁ ପୃଥିବୀକୁ ସବୁଠାରୁ ଅଧିକ ସୁନ୍ଦର କରି ଗଢ଼ି ତୋଳିଥାନ୍ତି।"