ସୋନମ ୱାଙ୍ଗଚୁକ
ବର୍ତ୍ତମାନ ଦେଶ ଠୁ ବିଦେଶ ସବୁସ୍ଥାନରେ ଗୋଟିଏ ନାଁ ଖୁବ ଚର୍ଚ୍ଚିତ, ଯାହାହେଲେ ସୋନମ ୱାଙ୍ଗଚୁକ । ନିଟ ପ୍ରଶ୍ନପତ୍ର ଲିକ ବିରୋଧରେ ଅନଶନ କରି ସେ ଚର୍ଚ୍ଚାକୁ ଆସିଛନ୍ତି । ତେବେ କେବଳ ଏହି ବିଷୟ ନୁହେଁ ପୂର୍ବରୁ ମଧ୍ୟ ଅନେକ ଘଟଣାରେ ସେ ଚର୍ଚ୍ଚାରେ ରହି ଆସିଛନ୍ତି ।
୧ ସେପ୍ଟେମ୍ବର ୧୯୬୬ରେ ଲଦାଖର ଜନ୍ମିତ ସୋନମ ୱାଙ୍ଗଚୁକ ବୃତ୍ତିରେ ଜଣେ ଇଞ୍ଜିନିୟର ଓ ଶିକ୍ଷା ସଂସ୍କାରକ । ସେ ଲଦାଖର ଶିକ୍ଷାମୂଳକ ଓ ସାଂସ୍କୃତିକ ଆନ୍ଦୋଳନର ସ୍ଥାପକ ଭାବେ ପରିଚିତ। ସୌର ଶକ୍ତିରେ ଚାଲୁଥିବା ଏସଇସିଏମଓଏଲ କ୍ୟାମ୍ପସର ଆକୃତି ତିଆରି କରିବା ପାଇଁ ମଧ୍ୟ ସେ ପରିଚିତ। ୱାଙ୍ଗଚୁକଙ୍କୁ ୨୦୧୬ ମସିହାରେ ଲସ୍ ଏଞ୍ଜେଲସ୍ରେ ‘ରୋଲେକ୍ସ ଅୱାର୍ଡ ଫର୍ ଏଣ୍ଟରପ୍ରାଇଜ’ ପ୍ରଦାନ କରାଯାଇଥିଲା । ବିଶ୍ୱସ୍ତରରେ ପ୍ରତିଷ୍ଠିତ ଏହି ପୁରସ୍କାର ଏପର୍ଯ୍ୟନ୍ତ କେବଳ ୧୪୦ ଜଣଙ୍କୁ ମିଳିଛି । ୧୯୯୪ ମସିହାରେ ‘ଅପରେସନ୍ ନ୍ୟୁ ହୋପ୍’ ଆରମ୍ଭ ହେବା ସମୟରେ ସେ ସରକାରୀ ଓ ଗ୍ରାମୀଣ ସମୁଦାୟମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିଥିଲେ। ସେ ‘ବରଫ ସ୍ତୂପ’ ପ୍ରଯୁକ୍ତିର ଆବିଷ୍କାର କରିଥିଲେ, ଯାହା ଦ୍ୱାରା କୃତ୍ରିମ ହିମନଦୀ ତିଆରି ହୁଏ। ଏଥିରେ ଶଙ୍କୁଆକାର ବରଫ ଗଠନ ମାଧ୍ୟମରେ ଶୀତକାଳରେ ପାଣି ସଞ୍ଚୟ କରାଯାଇଥାଏ । ୱାଙ୍ଗଚୁକଙ୍କ ଜନ୍ମ ଜମ୍ମୁ ଓ କାଶ୍ମୀରର ଲେହ ଜିଲ୍ଲାର ଆଳିଟୋ ନିକଟସ୍ଥ ଉଲେତୋକୋପୋ ଗାଁରେ ହୋଇଥିଲା । ତାଙ୍କ ବାପା ରାଜ୍ୟସଭା ସଦସ୍ୟ ଓ ମନ୍ତ୍ରୀ ଥିଲେ। ଗାଁରେ କୌଣସି ବିଦ୍ୟାଳୟ ନଥିବାରୁ ୯ ବର୍ଷ ବୟସ ପର୍ଯ୍ୟନ୍ତ ସେ ଔପଚାରିକ ଶିକ୍ଷା ଗ୍ରହଣ କରିପାରିନଥିଲେ। ଏହି ସମୟରେ ତାଙ୍କ ମାଆ ତାଙ୍କୁ ମାତୃଭାଷାର ପ୍ରାଥମିକ ଶିକ୍ଷା ଦେଇଥିଲେ । ୧୯୭୭ ମସିହାରେ ୱାଙ୍ଗଚୁକ ଦିଲ୍ଲୀରେ ଶିକ୍ଷାଗ୍ରହଣ ଆରମ୍ଭ କରିଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଶିକ୍ଷାରେ ମେଧାବୀ ହୋଇଥିଲେ ମଧ୍ୟ ପରିସ୍ଥିତି ବା ଦାରିଦ୍ର୍ୟ କାରଣରୁ ଅଧିକ ପଢ଼ିପାରୁନଥିଲେ କିମ୍ବା ଇଚ୍ଛିତ କ୍ଷେତ୍ରରେ ପ୍ରବେଶ କରିପାରୁନଥିଲେ, ସେମାନଙ୍କ ପାଇଁ ୱାଙ୍ଗଚୁକ କାମ କରନ୍ତି । ଏହି ଉଦ୍ଦେଶ୍ୟରେ ସେ ୧୯୮୮ ମସିହାରେ ଏକ ସଂସ୍ଥା ସ୍ଥାପନା କରିଥିଲେ । ଏହି ସଂସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ଦେଇ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ସେ ଲାଗି ରହିଛନ୍ତି । ଶିକ୍ଷା ଓ ପରିବେଶ କ୍ଷେତ୍ରରେ ସେ ଗତ ୨୦ ବର୍ଷ ଧରି ନିରନ୍ତର କାମ କରୁଛନ୍ତି । ଏହି ଉଦ୍ଦେଶ୍ୟରେ ସେ ‘ଏଡ୍ୟୁକେସନାଲ୍ ଆଣ୍ଡ କଲ୍ଚରାଲ୍ ମୁଭମେଣ୍ଟ ଅଫ୍ ଲଦାଖ ’ ନାମକ ସଂଗଠନ ଗଠନ କରିଛନ୍ତି । ୧୯୯୪ ମସିହାରେ ସେ ବିଦ୍ୟାଳୟରୁ ବାହାର କରାଯାଇଥିବା ୧୦୦୦ ଜଣ ଯୁବକଙ୍କୁ ଏକତ୍ର କରି ଏମିତି ଏକ ବିଦ୍ୟାଳୟ ସ୍ଥାପନା କଲେ, ଯାହା ଛାତ୍ରମାନଙ୍କ ଦ୍ୱାରା ସ୍ବୟଂ ପରିଚାଳିତ ହୋଇଥାଏ । ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତିର ବ୍ୟବହାର କରାଯାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।