ରୋଷେଇ ଘର ତଳେ ରହିଛି ସୁଡ଼ଙ୍ଗ, ୩୯ ଦିନରେ ୪୯ ହଜାର ଲିଟର ତେଲ ଚୋରି!

Nov 26, 2026 - 12:46
ରୋଷେଇ ଘର ତଳେ ରହିଛି ସୁଡ଼ଙ୍ଗ, ୩୯ ଦିନରେ ୪୯ ହଜାର ଲିଟର ତେଲ ଚୋରି!

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ତେଲ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରୋଷେଇ ଘର ତଳେ ସୁଡ଼ଙ୍ଗ ଖୋଳି ପେଟ୍ରୋଲିୟମ ପାଇପଲାଇନ୍‌ରୁ ଚୋରି କରାଯାଉଥିଲା ଡିଜେଲ। ମାତ୍ର ୩୯ ଦିନ ମଧ୍ୟରେ ପ୍ରାୟ ୪୯ ହଜାର ଲିଟର ଡିଜେଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ତେଲର ମୂଲ୍ୟ ପ୍ରାୟ ୧.୭୬ କୋଟି ଟଙ୍କା ବୋଲି ଜଣାପଡ଼ିଛି।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସଲାମାବାଦର ଗ୍ରାମାଞ୍ଚଳରେ ଥିବା ପାକିସ୍ତାନ ଷ୍ଟେଟ୍ ଅଏଲ୍‌ (PSO)ର ମୁଖ୍ୟ ପାଇପଲାଇନ୍‌ରୁ ଏହି ଚୋରି ହୋଇଛି। ଘଟଣା ସମ୍ପର୍କରେ PSOର ସିହାଲା ଟର୍ମିନାଲ ଅଧିକାରୀ ମହମ୍ମଦ ରହମତ ଉଲ୍ଲାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି।

ପାଇପଲାଇନ୍‌ରେ ମିଳିଲା ସୁରାକ୍

ଏଫ୍‌ଆଇଆର୍‌ ଅନୁଯାୟୀ, PSOର ସିହାଲା ଟର୍ମିନାଲ ଆଟକ୍ ରିଫାଇନାରୀ ଲିମିଟେଡ୍‌ ସହ ୧୫ କିଲୋମିଟର ଲମ୍ବା ଏବଂ ୮ ଇଞ୍ଚ ବ୍ୟାସର ପାଇପଲାଇନ୍‌ ଦ୍ୱାରା ସଂଯୁକ୍ତ। ଅକ୍ଟୋବର ୧୬ ତାରିଖରୁ ପାଇପଲାଇନ୍‌ରେ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଚାପ କମୁଥିବା ଅଧିକାରୀମାନେ ଲକ୍ଷ୍ୟ କରିଥିଲେ। ଏହାପରେ ପାଇପଲାଇନ୍‌ ଉପରେ ନଜର ରଖାଯାଇଥିଲା। ନଭେମ୍ବର ୨୩ ତାରିଖରେ ପାଟ୍ରୋଲିଂ କରୁଥିବା PSO ସୁରକ୍ଷା କର୍ମୀମାନେ ମଡେଲ ଟାଉନ୍‌ର ଏକ ଘରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ। ଘର ସମ୍ମୁଖରେ ଟ୍ୟାଙ୍କର ଲାଗିଥିବା ଏକ ଶାହଜୋର ଟ୍ରକ୍‌ ରଖାଯାଇଥିଲା। ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଓ PSOର ସୁରକ୍ଷା ଟିମ୍‌ ମିଳିତ ଭାବେ ଘରେ ଚଢ଼ାଉ କରିଥିଲେ। ତଲାସୀ ବେଳେ ଏକ ଟ୍ରକ୍‌, ବୋଲାନ୍‌ ଗାଡ଼ି ଓ ମୋଟରସାଇକେଲ ଜବତ କରାଯାଇଥିଲା। ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ପରେ ଘର ଭିତରେ ଲୁଚାଇ ରଖାଯାଇଥିବା ଚୋରିର ସୁଡ଼ଙ୍ଗ ସମ୍ପର୍କରେ ସୂଚନା ମିଳିଥିଲା।

ଘର ତଳେ ଥିଲା ତେଲ ଚୋରିର ସୁଡ଼ଙ୍ଗ

ଘରର ରୋଷେଇ ଘର ଓ ବସିବା ଘରର ଚଟାଣ ତଳେ ଖୋଳାଯାଇଥିବା ଗାତ ଓ ସୁଡ଼ଙ୍ଗ ଠାବ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଏହି ସୁଡ଼ଙ୍ଗ ଜରିଆରେ PSOର ମୁଖ୍ୟ ପାଇପଲାଇନ୍‌ରୁ ଡିଜେଲ ଚୋରି କରାଯାଉଥିଲା। ଘଟଣାରେ ଅଭିଯୁକ୍ତଙ୍କ ସହ ଆଉ କିଛି ସହଯୋଗୀ ସାମିଲ ଥିବା ମଧ୍ୟ ସନ୍ଦେହ କରାଯାଉଛି।

ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରୁ ଦୀର୍ଘଦିନ ଧରି ପେଟ୍ରୋଲିୟମ ଉତ୍ପାଦ ଚୋରି କରୁଥିଲେ। ଏହି ଘଟଣାରେ PSOର ପ୍ରାୟ ୪୯ ହଜାର ଲିଟର ଡିଜେଲ ଚୋରି ହୋଇଥିବା ଏବଂ ଏହାର ମୂଲ୍ୟ ୧.୭୬ କୋଟି ଟଙ୍କା ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ପୂର୍ବରୁ ମଧ୍ୟ ହୋଇଛି ବଡ଼ ଧରଣର ଚୋରି

ପାକିସ୍ତାନରେ ଏଭଳି ତେଲ ଚୋରି ନୂଆ ନୁହେଁ। ୨୦୨୪ ଅକ୍ଟୋବରରେ ହୁମାକ୍‌ ଅଞ୍ଚଳରେ ଥିବା ଏକ PSO ପାଇପଲାଇନ୍‌ରୁ ୩ ଲକ୍ଷ ୨ ହଜାର ୪୬ ଲିଟର ଡିଜେଲ ଚୋରି ହୋଇଥିଲା। ଏହାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ଥିବା କୁହାଯାଇଥିଲା।

ସେହିପରି, ୨୦୨୬ ଜୁଲାଇରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (FIA) ଓ PSO ମିଳିତ ଅଭିଯାନ କରି ସିହାଲା ନିକଟରେ ପାଇପଲାଇନ୍‌ରୁ ଡିଜେଲ ଚୋରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲେ। ଏହି ଘଟଣାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା। ଗ୍ୟାଙ୍ଗଟି ପ୍ରାୟ ୫ରୁ ୬ ମାସ ଧରି ସକ୍ରିୟ ଥିବା ଏବଂ ପ୍ରତିଦିନ ପ୍ରାୟ ୨୦ ହଜାର ଲିଟର ଡିଜେଲ ଚୋରି କରୁଥିବା ଅଭିଯୋଗ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)