ରିଅଲକୁ ନେଇ ଚର୍ଚ୍ଚାରେ

ସବୁବେଳେ ନିଜ କ୍ୟାରିୟରକୁ ନେଇ ଚର୍ଚ୍ଚାରେ ରହୁଥିବା ହର୍ଷଦ ଚୋପ୍ରା ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏକ ରିଆଲିଟି ଶୋରେ ନିଜ ରିଅଲ ଲାଇଫକୁ ନେଇ ଏଭଳି କିଛି ମନ୍ତବ୍ୟ ସେ ଦେଇଛନ୍ତି ଯାହା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ।
ଟେଲିଭିଜନ ଜଗତର ଜଣେ ଅତ୍ୟନ୍ତ ଲୋକପ୍ରିୟ ତଥା ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗଣମାଧ୍ୟମଠାରୁ ଦୂରେଇ ରଖୁଥିବା ସୁପରଷ୍ଟାର୍ ହର୍ଷଦ ଚୋପ୍ରା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଦୀର୍ଘ ଦୁଇ ଦଶନ୍ଧିର କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ୍ ମେଗା ସିରିଏଲ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଥିବା ହର୍ଷଦ, ନିଜର ଚମତ୍କାର ଅଭିନୟ ଓ ସୁଗଠିତ ଚେହେରା ପାଇଁ ଘରେ ଘରେ ପରିଚିତ । ମାତ୍ର ଏହି ସଫଳତା ପଛରେ ତାଙ୍କର କଠିନ ସଂଘର୍ଷର କାହାଣୀ ରହିଛି, ଯେଉଁଠି ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପାଇଁ ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା । ତେବେ ନିକଟରେ ଚର୍ଚ୍ଚିତ ରିଆଲିଟି ଶୋ’ ‘ଲକ୍ ଅପ୍: ସଚ୍ ୟା ସଜା’ର ଗ୍ରାଣ୍ଡ ପ୍ରିମିୟର ଅବସରରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ କରିଥିବା ଏକ ବଡ଼ ଖୁଲାସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶୋ’ର ହୋଷ୍ଟ ଫରାହ ଖାନ ଓ ରିତେଶ ଦେଶମୁଖଙ୍କ ପ୍ରଶ୍ନର ଉତ୍ତର ଦେଇ ଭାବବିହ୍ୱଳ ହୋଇ ହର୍ଷଦ ପ୍ରକାଶ କରିଛନ୍ତି ଯେ, ସେ ପ୍ରଥମରୁ ଏତେ ଶାନ୍ତ ବା ଚୁପଚାପ୍ ନଥିଲେ । ମାତ୍ର ଗତ ୨୦୧୦ ମସିହାରେ ସେ ଜୀବନର ସବୁଠାରୁ ବଡ଼ ପ୍ରତାରଣାର ସାମ୍ନା କରିଥିଲେ । ସେହି ସମୟରେ ତାଙ୍କ ପ୍ରେମିକା ତାଙ୍କୁ ଠକି ତାଙ୍କର ହିଁ ସବୁଠାରୁ ଭଲ ସାଙ୍ଗଙ୍କ ସହ ସମ୍ପର୍କ ରଖିଥିଲେ । ଯାହାଫଳରେ ସେ ଏକାସଙ୍ଗେ ନିଜର ପ୍ରେମ ଓ ବନ୍ଧୁତ୍ୱ ଉଭୟଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଏହି ଆଘାତ ପରଠାରୁ ସେ ନିଜ ବ୍ୟକ୍ତିଗତ ଜୀବନକୁ ଲାଇମ ଲାଇଟରୁ ଦୂରରେ ରଖିଥିଲେ । ତେବେ ନିଜ କ୍ୟାରିୟରରେ ସଫଳତା ପାଇଁ ଅନେକ ପରିଶ୍ରମ କରିଛନ୍ତି ହର୍ଷଦ । ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ଅଭିନୟକୁ ନିଜର ପେସା ଭାବେ ବାଛିଥିବା ହର୍ଷଦ ୨୦୦୬ ମସିହାରେ ‘ମମତା’ ସିରିଏଲ୍ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ସେହି ବର୍ଷ ଷ୍ଟାର୍ ପ୍ଲସର ଲୋକପ୍ରିୟ ସୋ’ ‘ଲେଫ୍ଟ ରାଇଟ୍ ଲେଫ୍ଟ’ରେ କ୍ୟାଡେଟ୍ ଅଲୀ ବେଗ୍ ଚରିତ୍ର ତାଙ୍କୁ ଇଣ୍ଡଷ୍ଟ୍ରିରେ ପ୍ରଥମ ବଡ଼ ସଫଳତା ଆଣିଦେଇଥିଲା । ଏହାପରେ ‘କିସ ଦେଶ ମେଁ ହୈ ମେରା ଦିଲ୍’ରେ ପ୍ରେମ ଜୁନେଜା, ‘ତେରେ ଲିଏ’ରେ ଅନୁରାଗ ଗାଙ୍ଗୁଲି ଏବଂ ‘ବେପନାହ’ରେ ଆଦିତ୍ୟ ହୁଡା ଭଳି ଦମଦାର ଚରିତ୍ରରେ ଅଭିନୟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଟେଲିଭିଜନର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଏବଂ ଚାହିଦାରେ ଥିବା ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇଥିଲେ । ବିଶେଷ କରି ଷ୍ଟାର୍ ପ୍ଲସର ଆଇକନିକ ଶୋ’ ‘ୟେ ରିଶ୍ତା କ୍ୟା କହଲାତା ହୈ’ରେ ଡାକ୍ତର ଅଭିମନ୍ୟୁ ବିର୍ଲା ଭୂମିକାରେ ତାଙ୍କର ଚମତ୍କାର ଅଭିନୟ ତାଙ୍କ ଲୋକପ୍ରିୟତାକୁ ଏକ ନୂତନ ଶିଖରରେ ପହଞ୍ଚାଇଥିଲା । ଦୀର୍ଘ ଦୁଇ ଦଶନ୍ଧିର ଏହି ସଫଳ କ୍ୟାରିୟର ମଧ୍ୟରେ ହର୍ଷଦ ନିଜର ପରିଶ୍ରମ ଏବଂ ଅପରିସୀମ ପ୍ରତିଭା ବଳରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।