୫ ମିନିଟ୍ରେ ପରୀକ୍ଷା ଫଳ

କର୍ଣ୍ଣାଟକର ବିଶ୍ୱେଶ୍ୱରୈୟା ପ୍ରୌଦ୍ୟୋଗିକ ବିଶ୍ୱବିଦ୍ୟାଳୟ ମାତ୍ର ୫ ମିନିଟ୍ରେ ଇଞ୍ଜିନିୟରିଂ ପରୀକ୍ଷା ଫଳ ପ୍ରକାଶ କରି ଏକ ଅଦ୍ଭୁତପୂର୍ବ ନୂଆ ରେକର୍ଡ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଇ ଏବଂ ବିଟେକ ଷଷ୍ଠ ସେମେଷ୍ଟର ପରୀକ୍ଷା ଗତ ଜୁନ୍ ୩୦ ତାରିଖ ସନ୍ଧ୍ୟା ୫:୩୦ ରେ ଶେଷ ହୋଇଥିବା ବେଳେ ମାତ୍ର ୫ ମିନିଟ୍ ବ୍ୟବଧାନରେ ଅର୍ଥାତ୍ ସନ୍ଧ୍ୟା ୫:୩୫ ରେ ହିଁ ରେଜଲ୍ଟ ଘୋଷଣା କରାଯାଇଥିଲା । ଏହି ପରୀକ୍ଷାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୬.୮୪% ପାସ୍ କରିଛନ୍ତି । ଏତେ ଶୀଘ୍ର ଫଳାଫଳ ପ୍ରକାଶ କରିବା ପଛର ରହସ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଦ୍ୱାରା ଆପଣାଯାଇଥିବା ଆଧୁନିକ 'ଡିଜିଟାଲ୍ ମୂଲ୍ୟାଙ୍କନ ପଦ୍ଧତି' ଏବଂ ପୂର୍ବ ପ୍ରସ୍ତୁତି । ଯାହାଫଳରେ ଚଳିତ ବର୍ଷ ଖାତା ଦେଖା ପ୍ରକ୍ରିୟା ବିଗତ ବର୍ଷଗୁଡ଼ିକ ତୁଳନାରେ ପ୍ରାୟ ୨୧ ଦିନ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଯାଇଥିଲା । ସୂଚନାଯୋଗ୍ୟ ଯେ, ଭିଟିୟୁ ପୂର୍ବରୁ ମଧ୍ୟ ଏଭଳି ରେକର୍ଡ କରିସାରିଛି; ନିକଟରେ ବିଶ୍ୱବିଦ୍ୟାଳୟ ଶେଷ ବର୍ଷର ୫୬ ହଜାର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପରୀକ୍ଷା ସରିବାର ୧୦ ମିନିଟ୍ ମଧ୍ୟରେ ଜାରି କରିଥିବା ବେଳେ ୨୦୨୫ ମସିହାରେ ୫୦,୩୨୧ ଜଣ ପରୀକ୍ଷାର୍ଥୀଙ୍କ ଫଳାଫଳ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପ୍ରକାଶ କରି ଶିକ୍ଷା ଜଗତରେ ଏକ ବଡ଼ ସଫଳତା ହାସଲ କରିଥିଲା ।