ରଥଯାତ୍ରା ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ ,କର୍ଡନ ପାସ ଉପରେ କଟକଣା

ପୁରୀ : ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା କୁ ଆଉ ୯ ଦିନ ବାକି ଥିବାବେଳେ ଆଜି ରଥଯାତ୍ରାର ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୂର୍ବାହ୍ନ ୧୦.୩୦ରେ ପୁରୀ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଆଇନମନ୍ତ୍ରୀ, ମୁଖ୍ୟଶାସନ ସଚିବ, DGP ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ଉପସ୍ଥିତ ଥିଲେ । ଚଳିତ ବର୍ଷ ରଥଯାତ୍ରାରେ ୧୦ ସୂତ୍ରୀ ନିୟମାବଳୀ ସହ ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବୈଠକରେ ସମର୍ପଣ ଓ ସମନ୍ବୟର ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମର୍ପଣ ଭାବ ନେଇ ସବୁ ବିଭାଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସେବାୟତ ଓ କର୍ମଚାରୀ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି କର୍ଡନ ପାସ କୁ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଗୋଟିଏ ବି କର୍ଡନ ପାସ୍ ଅଧିକ ଇସ୍ୟୁ ନକରିବାକୁ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବ ନାହିଁ । ରଥଯାତ୍ରା ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ । ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନାହିଁ । ଚଳିତ ବର୍ଷ ମଧ୍ୟ କୌଣସି ଅସୁବିଧା ହେବନି ବୋଲି ମୁଁ ଆଶା କରୁଛି ।
ସେହିପରି , ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶ୍ରଦ୍ଧାଳୁ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ତାହା ପୁଲିସର ମୁଖ୍ୟ ଦାୟିତ୍ୱ । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପୁଲିସ ତରଫରୁ ବ୍ୟବସ୍ଥାର କରାଯାଇଛି ଏନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।
ଚଳିତବର୍ଷ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା ପରିଚାଳନା କରାଯାଉଛି । ରଥଯାତ୍ରାକୁ ଅଘଟଣମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।