ଯୌନ ନିର୍ଯାତନା ମାମଲା ,ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

Aug 06, 2026 - 12:47
ଯୌନ ନିର୍ଯାତନା ମାମଲା ,ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

ମୁମ୍ବାଇ : ବହୁ ଚର୍ଚ୍ଚିତ ଗୋଆ ଯୌନ ନିର୍ଯାତନା ମାମଲା । ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କଲା ମୁମ୍ବାଇ ହାଇକୋର୍ଟ । ୨୦୨୧ ମସିହାରେ ନିମ୍ନ ଅଦାଲତଙ୍କ ଖଲାସ ରାୟକୁ ବଦଳାଇ ବମ୍ବେ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ତେଜପାଲଙ୍କ ବିରୋଧରେ ୨୦୧୩ ରେ ଯୌନ ନିର୍ଯାତନା ମାମଲା ଦାୟର କରିଥିଲେ ଜଣେ ସହକର୍ମୀ । ନ୍ୟାୟମୂର୍ତ୍ତି ନୀଲା ଗୋଖଲେ ଏବଂ ଅମିତ ଜମସଣ୍ଡେକର ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ନିଷ୍ପତ୍ତି ଶୁଣାଇବା ବେଳେ ତରୁଣ ତେଜପାଲ ଅଦାଲତରେ ଉପସ୍ଥିତ ଥିଲେ ।

ସୂଚନାନୁସାରେ,୨୦୧୩ ନଭେମ୍ବରରେ ତେହେଲକା ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମେ ୨୦୨୧ରେ ଗୋଆର ମାପୁସା ଜିଲ୍ଲା ଓ ଦୌରା ଅଦାଲତ ପ୍ରମାଣ ଅଭାବରୁ ତେଜପାଲଙ୍କୁ ସମସ୍ତ ଅପରାଧିକ ମାମଲାରୁ ଦୋଷମୁକ୍ତ କରିଥିଲେ । ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗୋଆ ସରକାର ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ ।  ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ବାଢ଼ିଥିଲେ ଯେ ତେଜପାଲ ପୀଡ଼ିତାଙ୍କ 'ନା'କୁ 'ନା' ଭାବେ ଗ୍ରହଣ କରିନଥିଲେ । ନିମ୍ନ ଅଦାଲତ ପୀଡ଼ିତାଙ୍କ ଆଚରଣକୁ ଭୁଲ୍ ଭାବେ ଆକଳନ କରି ଗମ୍ଭୀର ଭୁଲ୍ କରିଥିଲେ ।  ତେବେ ଅଦାଲତରେ ତେଜପାଲ କହିଥିଲେ "ମୋର ବୟସ ୬୨ବର୍ଷ ମୁଁ ବିଶ୍ୱାସ କରେ ଯେ ମୁଁ ଜଣେ ପୀଡ଼ିତ । ମୋର ପତ୍ନୀ ଅଛନ୍ତି ଏବଂ ଏହାଠାରୁ ଅଧିକ କିଛି କହିବାର ନାହିଁ । ଆମେ ଉପର କୋର୍ଟରେ ଅପିଲ୍ କରିପାରିବା, ଦୟାକରି ମୋ ପ୍ରତି ନରମ ରୁହନ୍ତୁ ।" 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।