'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପଦବୀ ନକଲି - ଶ୍ରୀମନ୍ଦିର ପ୍ରଶାସନ
ପୁରୀ : ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ନିଯୁକ୍ତି ପାଇଁ ନକଲି ପଦବୀ । ଏହି ନିଯୁକ୍ତି ପତ୍ରକୁ ଜାଲ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) । ଏହି ପଦବୀ ପାଇଁ କୌଣସି ପ୍ରକାରର ନିଯୁକ୍ତି ପ୍ରକ୍ରିୟା କରାଯାଇନାହିଁ ବୋଲି ପ୍ରଶାସନ ପକ୍ଷରୁ ଷ୍ପଟିକରଣ ଦିଆଯାଇଛି ।
ଭାଇରାଲ୍ ହେଉଥିବା ଏହି ଜାଲ୍ ନିଯୁକ୍ତି ପତ୍ରଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନର ଲେଟରହେଡ୍, ସିଲ୍ ଏବଂ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଜାଲ୍ ସ୍ୱାକ୍ଷର ବ୍ୟବହାର କରାଯାଇଛି । ଏହି ନିଯୁକ୍ତି ଗୃହ ବିଭାଗ ଅଧୀନରେ ଦିଆଯାଇଥିବା ଦାବି କରାଯାଇଛି । ଗଡ଼ମୃଗଶିରା ଅନ୍ତର୍ଗତ ଜାମରାସୁଆଁର ସ୍ୱସ୍ତି ପ୍ରୀତମ ପାଇକରଙ୍କ ନାମରେ ମଧ୍ୟ ଏଭଳି ଏକ ଚିଠି ଜାରି କରାଯାଇଥିବା ଦେଖିବାକୁ ମିଳିଛି । ୧୬ ଜଣ ବ୍ୟକ୍ତିଙ୍କ ନାମରେ ଏଭଳି ନକଲି ନିଯୁକ୍ତି ପତ୍ର ଜାରି ହୋଇଥିବା ସାମ୍ନାକୁ ଆସିଛି ।
ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ଏବଂ ଏହି ଜାଲ୍ ଦସ୍ତାବେଜ୍ ପ୍ରସ୍ତୁତ ତଥା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଜେଟିଏ (SJTA) ପକ୍ଷରୁ ଚେତାବନୀ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।