ବିନା ଦୋଷରେ ୨୨ ବର୍ଷ ସଜ୍ଜା,ଓଡିଶା ହାଇକୋର୍ଟଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

Aug 06, 2026 - 15:34
ବିନା ଦୋଷରେ ୨୨ ବର୍ଷ ସଜ୍ଜା,ଓଡିଶା ହାଇକୋର୍ଟଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ନବରଙ୍ଗପୁର : ନ୍ୟାୟ ସଂହିତାରେ କୁହାଯାଏ ୧୦୦ ଦୋଷୀ ମଧ୍ୟ ଖସି ଯାଆନ୍ତୁ,କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନପାଉ । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଓଲଟା । ପ୍ରକୃତ ଦୋଷୀ ଖସି ଯାଇଥିବାବେଳେ ଜଣେ ନିର୍ଦ୍ଦୋଷ କାଟିଛନ୍ତି ଦୀର୍ଘ ୨୨ ବର୍ଷର ସଜ୍ଜା । ୨୨ ବର୍ଷ ପରେ ତାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେବଳ ହତ୍ୟା ସନ୍ଦେହରେ ତାଙ୍କୁ ଏହି ସଜ୍ଜା କାଟିବାକୁ ପଡିଥିବା ଜଣାପଡିଛି । ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହିରିଲି ଅଂଚଳର ଅର୍ଜ୍ଜୁନ ଜାନି । ସୁପ୍ରିମକୋର୍ଟ ଙ୍କ ଏହି ରେ ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।


ମାମଲାରେ ଉପସ୍ଥାପିତ ପ୍ରମାଣକୁ ଦୁର୍ବଳ ଓ ଅତ୍ୟନ୍ତ ଅବିଶ୍ୱସନୀୟ ବୋଲି କୋର୍ଟ କହିଛନ୍ତି । କଡ଼ା ଟିପ୍ପଣୀ ରଖି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୌଣସି ବିଶ୍ୱସନୀୟ ପ୍ରମାଣ ବିନା ଜଣେ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ କାଢ଼ି ନିଆଯାଇଛି । ନ୍ୟାୟମୂର୍ତ୍ତି ଏସ୍. କେ. ସିଂହ, ଜେ. ବି. ପାରଡିୱାଲା ଓ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, କେବଳ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା, ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇ ସ୍ୱୀକାରୋକ୍ତି ହାସଲ କରିବା ଏବଂ ସେହି ଆଧାରରେ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟର ମୂଳ ନୀତି ବିରୋଧୀ ।

ଘଟନାନୁସାରେ, ୨୦୦୪ରେ ହିରିଲି ଅଞ୍ଚଳରେ କମଳା, ସୋନବାରୀ ଓ ରତନାଇ ନାମକ ତିନିଜଣ ମହିଳାଙ୍କୁ ହତ୍ୟା ହୋଇଥିଲା । ଅର୍ଜ୍ଜୁନ ଜାନି ହତ୍ୟା କରିଥିବା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ । ତେବେ ଅନ୍ୟ ୨ ଜଣ ମୃତକଙ୍କୁ ସେ ସେଠାରେ ଦେଖି ନଥିବା ମଧ୍ୟ କହିଥିଲେ । ପରବର୍ତୀ ଅବସ୍ଥାରେ ସେ ଅନ୍ୟ ପ୍ରକାର ବୟାନ ଦେଇଥିଲେ । ତାଙ୍କ ବୟାନ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ଭାବରେ କହିଥିବାରୁ ଅସଙ୍ଗତି ଦେଖାଯାଇଥିଲା । ଟ୍ରାଏଲ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଅର୍ଜୁନ ଜାନି ହାଇକୋର୍ଟରେ ଅପିଲ କରିଥିଲେ । କିନ୍ତୁ ବିଳମ୍ବ ଦର୍ଶାଇ ହାଇକୋର୍ଟ ଶୁଣାଣି ନକରି ଅପିଲ ଖାରଜ କରିଦେଇଥିଲେ । ପରେ ଏନେଇ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ, ମାମଲାର ରାୟ ଶୁଣାଇ ଅର୍ଜୁନ ଜାନିଙ୍କୁ ଦୋଷମୁକ୍ତ କରିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ କୋରାପୁଟ ଜିଲ୍ଲା ଲିଗାଲ୍ ସର୍ଭିସେସ୍ ଅଥରିଟିକୁ ଜିଲ୍ଲା ପ୍ରଶାସନର ସହଯୋଗରେ ଅର୍ଜୁନ ଜାନିଙ୍କ ପୁନର୍ବାସ ଓ ସମାଜରେ ପୁନଃ ଅନ୍ତର୍ଭୁକ୍ତି ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଜେଲରୁ ବାହାରି ଅସହାୟ ହୋଇପଡିଛନ୍ତି ଅର୍ଜୁନ । ନିଜର କେହି ନଥିବାରୁ ଅର୍ଜୁନ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ, ଏଣୁ ତାଙ୍କୁ ଥଇଥାନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।