Tarun Tejpal Convicted: ହୋଟେଲ ଲିଫ୍ଟରେ ଯୌନ ଶୋଷଣ; ହାଇକୋର୍ଟଙ୍କ ବଡ଼ ରାୟ, ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ
ବହୁ ଚର୍ଚ୍ଚିତ ୨୦୧୩ ଯୌନ ନିର୍ଯାତନା ମାମଲାରେ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ। ତେହଲକା ମାଗାଜିନ୍ ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବମ୍ବେ ହାଇକୋର୍ଟ। ଏଥିସହ ୨୦୨୧ରେ ଗୋଆ ସେସନ୍ସ କୋର୍ଟ ଦେଇଥିବା ରାୟକୁ ପ୍ରତ୍ୟାହାର କରିଛନ୍ତି। ଆଜି ଅପରାହ୍ନ ୨ଟା ୩୦ରେ କୋର୍ଟ ଦଣ୍ଡବିଧାନ କରିବେ।
ଡ଼ ନିଳା ଗୋଖଲେ ଏବଂ ଅମିତ ଜାମସାନ୍ଦେକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାରା ୩୭୬(୨)(ଚ) ଏବଂ ୩୭୬ (୨) (ଟ) ସହିତ ଧାରା ୩୫୪ (କ) ଏବଂ ୩୫୪ (ଖ) ଅନୁଯାୟୀ, ତେଜପାଲଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଗୋଆ ସେସନ୍ସ କୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି।
୨୦୧୩ ନଭେମ୍ବରରେ ଗୋଆର ଏକ ହୋଟେଲରେ ତେହଲକା ମାଗାଜିନର ବାର୍ଷିକ ଥିଙ୍କଫେଷ୍ଟ ଇଭେଣ୍ଟ ଚାଲିଥିବା ବେଳେ ହୋଟେଲର ଲିଫ୍ଟରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ନେଇ ଅଭିଯୋଗ ହୋଇଥିଲା। ଏହା ସେ ସମୟରେ ଏକ ହାଇ ପ୍ରୋଫାଇଲ କେସ୍ ଥିଲା। ଏପରିକି ତେହଲକା ମଧ୍ୟ ଏକ ପ୍ରଭାବଶାଳୀ ପତ୍ରିକା ଥିଲା ଏବଂ ତେଜପାଲଙ୍କର ସେଲିବ୍ରିଟି ଭଳି ଉପସ୍ଥିତି ଥିଲା। ଏ ନେଇ ଅଭିଯୋଗ ଆସିବା ପରେ ଗୋଆର ଏକ ସେସନ୍ସ କୋର୍ଟରେ ଏହି ମାମଲାର ଶୁଣାଣି ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ୨୦୨୧ ମସିହାରେ, ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଥିଲା, ଯାହା ପରେ ଗୋଆ ସରକାର ହାଇକୋର୍ଟରେ ଆବେଦନ କରିଥିଲେ।
ଆଜି ରାୟ ଶୁଣାଯିବା ସମୟରେ ତେଜପାଲ କୋର୍ଟରେ ଉପସ୍ଥିତ ଥିଲେ। ସେ କହିଥିଲେ ଯେ, ଏବେ ତାଙ୍କୁ ୬୨ ବର୍ଷ ବୟସ ହୋଇଛି। ତାଙ୍କର ଏକ ସ୍ତ୍ରୀ ଅଛି, କହିବେ ପାଇଁ ଏହା ଛଡା ଆଉ କିଛି ନାହିଁ। ତାଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ବିନମ୍ର ଅନୁରୋଧ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।