ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜୀବନ୍ତ ଦଗ୍ଧ

Jul 20, 2026 - 14:34
ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜୀବନ୍ତ ଦଗ୍ଧ

ମୁମ୍ବାଇ: ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ମୋଟ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏକ କଣ୍ଟେନର ଟ୍ରକ୍ ଓଲଟି ପଛପଟୁ ଆସୁଥିବା ଏକ କାର୍‌ ଉପରେ ପଡ଼ିଯିବା ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣା ସୋମବାର ଭୋର ପ୍ରାୟ ୩ଟା ସମୟରେ ମୁମ୍ବାଇକୁ ନାଗପୁର ସହ ସଂଯୋଗ କରୁଥିବା ଛଅ ଲେନ୍ ବିଶିଷ୍ଟ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ଘଟିଥିଲା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଇଥାନଲ ବୋଝେଇ ଏକ ଟ୍ରକ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାଫଳରେ ରାସ୍ତାରେ ଇନ୍ଧନ ବ୍ୟାପିଯାଇଥିଲା। ଏହା ପରେ ଯାତାୟାତ ଅନ୍ୟ ଲେନ୍‌ରେ କରାଯାଉଥିଲା। ଏହି ସମୟରେ ପୁଣେରୁ ୱାର୍ଧା ଅଭିମୁଖେ ଯାଉଥିବା ଏକ କାର୍‌କୁ ଲଙ୍କା ବୋଝେଇ ଏକ ଦ୍ରୁତଗାମୀ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍‌ଟି ଟ୍ରକ୍ ତଳେ ଚାପି ହୋଇଯାଇଥିଲା ଏବଂ ଉଭୟ ଯାନରେ ନିଆଁ ଲାଗିଯାଇଥିଲା। କାର୍‌ରେ ଯାତ୍ରା କରୁଥିବା ଚାରିଜଣ ୱାର୍ଧାର ସାଲୋଡ଼ ଅଞ୍ଚଳର ବାସିନ୍ଦା ଥିଲେ। ସେମାନେ ନିଜ ଝିଅଙ୍କୁ ପୁଣେରେ ଏମ୍‌ବିଏ ପାଠ୍ୟକ୍ରମରେ ଭର୍ତ୍ତି କରାଇ ଘରକୁ ଫେରୁଥିଲେ। ମୃତକମାନଙ୍କ ପରିଚୟ ରାଜେଶ ଟିପଲେ, ତାଙ୍କ ପତ୍ନୀ ସୁଷମା ଟିପଲେ, ଝିଅ ଜାହ୍ନବୀ ଟିପଲେ ଏବଂ କାର୍ ଚାଳକ ଅଙ୍କୁଶ ରାଉତ ଭାବେ ହୋଇଛି। ଅନ୍ୟ ଦୁଇ ମୃତକ ହେଲେ ଟ୍ରକ୍ ଚାଳକ ସଞ୍ଜୟ କୁମାର ଏବଂ ତାଙ୍କ ସହଯୋଗୀ (କ୍ଲିନର) ସମରଜିତ ପାଲ। ଦୁର୍ଘଟଣା ପରେ ହାଇୱେ ସେଫ୍ଟି ପାଟ୍ରୋଲ, ୱାର୍ଧା ପୋଲିସ, ଅଗ୍ନିଶମ ବିଭାଗ ଏବଂ ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହିତ ଯାତାୟାତ ସ୍ୱାଭାବିକ କରିବାରେ ଲାଗିପଡ଼ିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।