୪ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ରୁଷ କୂଟନୀତିଜ୍ଞଙ୍କୁ ସମନ୍‌ କଲା ଭାରତ

Jul 21, 2026 - 13:50
୪ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ରୁଷ କୂଟନୀତିଜ୍ଞଙ୍କୁ ସମନ୍‌ କଲା ଭାରତ

ନୂଆଦିଲ୍ଲୀ : ୟୁକ୍ରେନ୍ ଉପକୂଳ ନିକଟରେ ଗିନି-ବିସାଉ ପତାକା ବହନ କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁକୁ ନେଇ ଭାରତ ମଙ୍ଗଳବାର ରୁଷର କାର୍ଯ୍ୟନିର୍ବାହୀ ରାଷ୍ଟ୍ରଦୂତଙ୍କୁ ସମନ୍‌ କରି ଦୃଢ଼ ପ୍ରତିବାଦ ଜଣାଇଛି। ସୂତ୍ର ଅନୁଯାୟୀ, ବିଦେଶ ମନ୍ତ୍ରଣାଳୟ ରୁଷର କୂଟନୀତିଜ୍ଞଙ୍କୁ ସ୍ପଷ୍ଟ ଭାବେ କହିଛି ଯେ ଭାରତୀୟ ନାଗରିକଙ୍କ ଜୀବନ ଯାଇଥିବା ଏହି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ୟୁକ୍ରେନର ବିଦେଶମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି ଯେ ରବିବାର ରୁଷ, ୟୁକ୍ରେନର ସାମୁଦ୍ରିକ କରିଡରରେ ଯାତ୍ରା କରୁଥିବା ଏହି ବେସାମରିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଜାହାଜର କର୍ମଚାରୀମାନଙ୍କ ମଧ୍ୟରେ ସିରିଆ ଏବଂ ଭାରତର ନାଗରିକମାନେ ଥିଲେ।ରୁଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏହି ସଂଘର୍ଷରେ ଭାରତୀୟ ନାବିକମାନଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ବାୟୁସେନାର ସୂଚନା ଅନୁଯାୟୀ, ଏମ୍‌ଭି ଗୋଲ୍ଡେନ୍ ଲିଓ ନାମକ ଏହି ଜାହାଜ ଉପରେ ରୁଷର କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ବିଦେଶ ମନ୍ତ୍ରଣାଳୟ କହିଛି ଯେ ଜାହାଜରେ ମୋଟ ୧୭ ଜଣ କ୍ରୁ ସଦସ୍ୟ ଥିଲେ, ସେଥିରୁ ୫ ଜଣ ଭାରତୀୟ ନାଗରିକ ଥିଲେ। ଭାରତ ଏହି ଆକ୍ରମଣର କଡ଼ା ନିନ୍ଦା କରିବା ସହ ବାଣିଜ୍ୟିକ ଜାହାଜକୁ ଲକ୍ଷ୍ୟ କରିବା ଏବଂ ନିରୀହ ବେସାମରିକ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବାକୁ ‘ନିନ୍ଦନୀୟ’ ବୋଲି କହିଛି ଏବଂ ଏପରି କାର୍ଯ୍ୟରୁ ଦୂରେଇ ରହିବାକୁ ଆହ୍ୱାନ ଜଣାଇଛି। ଉଲ୍ଲେଖଯୋଗ୍ୟ ଜୁଲାଇ ୧୯ ତାରିଖ ସନ୍ଧ୍ୟାରେ ଓଡେସା ବନ୍ଦରରୁ ବାହାରୁଥିବା ବେଳେ ଏମ୍‌ଭି ଗୋଲ୍ଡେନ ଲିଓ ଉପରେ ଆକ୍ରମଣ ହୋଇଥିଲା। ସେତେବେଳେ ଜାହାଜରେ ୧୭ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ୫ ଜଣ ଭାରତୀୟ ନାଗରିକ ମଧ୍ୟ ଥିଲେ। ସୂଚନା ଅନୁଯାୟୀ, ୪ ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି ଏବଂ ଜଣେ ଭାରତୀୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମ୍‌ଇଏ କହିଛି ଯେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସମଗ୍ର ପରିସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛି। ବିବୃତ୍ତିରେ କୁହାଯାଇଛି ଯେ ମୃତ ଭାରତୀୟ ନାଗରିକଙ୍କ ପରିବାରବର୍ଗଙ୍କ ପ୍ରତି ଆମେ ଗଭୀର ସମବେଦନା ଜଣାଉଛୁ ଏବଂ ଆହତ ଭାରତୀୟ ନାଗରିକଙ୍କ ଶୀଘ୍ର ଓ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରୁଛୁ।। ରୁଷର ନାମ ସିଧାସଳଖ ଉଲ୍ଲେଖ ନ କରି ମନ୍ତ୍ରଣାଳୟ କହିଛି ଯେ , ‘ଭାରତ ଏଭଳି ଆକ୍ରମଣର କଡ଼ା ନିନ୍ଦା କରୁଛି ଏବଂ ପୁନର୍ବାର ଦୋହରାଉଛି ଯେ ବାଣିଜ୍ୟିକ ଜାହାଜକୁ ଲକ୍ଷ୍ୟ କରିବା, ନିରୀହ ବେସାମରିକ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବା କିମ୍ବା ନୌପରିବହନ ଓ ବାଣିଜ୍ୟର ସ୍ୱାଧୀନତାକୁ ବାଧା ସୃଷ୍ଟି କରିବା ନିନ୍ଦନୀୟ ଏବଂ ଏହାକୁ ଏଡ଼ାଇବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।