Harshad Chopda Opens Up About Heartbreak: ବ୍ରେକଅପ୍ ପରେ ଭାଙ୍ଗିପଡ଼ିଥିଲେ ହର୍ଷଦ, ନେଇଥିଲେ ଚରମ ନିଷ୍ପତ୍ତି; ଶୋ'ରେ କଲେ ବଡ଼ ଖୁଲାସା

Jul 20, 2026 - 14:29
Harshad Chopda Opens Up About Heartbreak: ବ୍ରେକଅପ୍ ପରେ ଭାଙ୍ଗିପଡ଼ିଥିଲେ ହର୍ଷଦ, ନେଇଥିଲେ ଚରମ ନିଷ୍ପତ୍ତି; ଶୋ'ରେ କଲେ ବଡ଼ ଖୁଲାସା

ଟିଭି ଜଗତର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ହୃଦୟବିଦାରକ ଖୁଲାସା କରିଛନ୍ତି। ରିଅଲିଟି ଶୋ 'ଲକ୍‌ଅପ୍‌ରେ ସେ କହିଛନ୍ତି ଯେ, ପ୍ରଥମ ପ୍ରେମରେ ଧୋକା ମିଳିବା ପରେ ସେ ଏତେ ଭାଙ୍ଗିପଡ଼ିଥିଲେ ଯେ ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଜି ମଧ୍ୟ ସେହି ଘଟଣାର ଚିହ୍ନ ତାଙ୍କ ହାତରେ ରହିଛି।

ଏଲିମିନେସନ୍‌ରୁ ବଞ୍ଚିବା ପାଇଁ ଖୋଲିଲେ ଜୀବନର ବଡ଼ ରହସ୍ୟ

ଶନିବାର ପ୍ରସାରିତ ଏପିସୋଡ୍‌ରେ ହର୍ଷଦ ଚୋପ୍ରା, ଯୋଗେଶ ରାୱତ ଓ ସୁଫି ମୋତିୱାଲା ଏଲିମିନେସନ୍‌ ଜୋନ୍‌ରେ ଥିଲେ। ନିଜକୁ ସୁରକ୍ଷିତ ରଖିବା ପାଇଁ ହର୍ଷଦ ପ୍ରଥମେ ବଜର ଦବାଇଥିଲେ। ଶୋ'ର ନିୟମ ଅନୁଯାୟୀ, ତାଙ୍କୁ ନିଜ ଜୀବନର ଏକ ଗୁପ୍ତ ସତ୍ୟ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବାକୁ ପଡ଼ିଥିଲା।

ହର୍ଷଦ କହିଥିଲେ, "ମୋର ପ୍ରଥମ ପ୍ରେମ ସମ୍ପର୍କରେ ସମସ୍ୟା ଚାଲିଥିଲା। ମୋତେ ଫୋନ୍‌ କରି କୁହାଗଲା ଯେ ସେ ଅନ୍ୟ ଜଣଙ୍କ ସହ ଅଛନ୍ତି। ଏହା ଶୁଣି ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି। କ'ଣ କରିବି କିଛି ବୁଝିପାରିନଥିଲି। ସେହି ସମୟରେ ମୁଁ ନିଜ ହାତ କାଟି ଦେଇଥିଲି। ଆଜି ମଧ୍ୟ ସେହି କ୍ଷତର ଚିହ୍ନ ରହିଛି।"

ଘଟଣା ପରେ ସେ ଭୟଭୀତ ହୋଇ ନିଜେ ହସ୍ପିଟାଲକୁ ଯାଇଥିଲେ। "ପ୍ରଥମେ ଡାକ୍ତରମାନେ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ସେମାନେ କହିଥିଲେ ଯେ ଏହା ଏକ ପୋଲିସ ମାମଲା। ତା'ପରେ ମୁଁ ବହୁତ ଅନୁରୋଧ କରିଥିଲି ଏବଂ କହିଥିଲି, 'ଦୟାକରି ମୋତେ ବଞ୍ଚାଇ ଦିଅନ୍ତୁ।' ସେହି ଘଟଣା ପରେ ମୋର ବୁଦ୍ଧି ଫେରିଥିଲା ଏବଂ ମୁଁ ବୁଝିପାରିଥିଲି ଯେ ଏଭଳି କାମ କେବେ ବି କରିବା ଉଚିତ୍ ନୁହେଁ। ସେହି ଦିନଠାରୁ ମୁଁ ନିଜକୁ ପ୍ରତିଜ୍ଞା କରିଥିଲି ଯେ ଜୀବନରେ ଆଉ କେବେ ବି ନିଜକୁ କ୍ଷତି ପହଞ୍ଚାଇବି ନାହିଁ।" 

ପରିବାରକୁ ମଧ୍ୟ ଜଣା ନଥିଲା ଏହି ସତ୍ୟ

ହର୍ଷଦ କହିଥିଲେ, ଆଜି ପର୍ଯ୍ୟନ୍ତ ଏହି ଘଟଣା ବିଷୟରେ ତାଙ୍କ ବାପା କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ଜାଣିନଥିଲେ। ଏହି ଘଟଣା ମୁମ୍ବାଇ ଆସିବା ପୂର୍ବରୁ ଘଟିଥିଲା। ସେତେବେଳେ ତାଙ୍କ ବୟସ ୨୨ ବର୍ଷ ଥିଲା ଏବଂ ଏହା ତାଙ୍କ ଜୀବନର ପ୍ରଥମ ପ୍ରେମ ଥିଲା। ଏବଂ ସେହି ସମ୍ପର୍କ ୮ରୁ୯ ମାସ ଚାଲିଥିଲା।

ରିତେଶ ଦେଶମୁଖଙ୍କ ଭାବପ୍ରବଣ ଅପିଲ୍

ହର୍ଷଦଙ୍କ କଥା ଶୁଣି ଶୋ'ର ହୋଷ୍ଟ ରିତେଶ ଦେଶମୁଖ ଦର୍ଶକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, "ପ୍ରେମରେ ବିଫଳ ହେବା ପରେ କେବେ ବି ନିଜକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ନିଜ ମନର କଥା ପରିବାର, ବନ୍ଧୁ କିମ୍ବା ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ। ସାହାଯ୍ୟ ମାଗିବା ଦୁର୍ବଳତା ନୁହେଁ।"

ଶେଷରେ ହର୍ଷଦ କହିଥିଲେ ଯେ, ସେତେବେଳେ ଭାବନାର ବଶବର୍ତ୍ତୀ ହୋଇ ସେ ଏଭଳି ଭୁଲ ପଦକ୍ଷେପ ନେଇଥିଲେ। "ଯଦି ସେହି ଦିନ ମୁଁ ବଞ୍ଚି ନଥାନ୍ତି, ତେବେ ଆଜି ଏଠାରେ ନଥାନ୍ତି," ବୋଲି ସେ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।