ଫ୍ଲପରୁ ଷ୍ଟାର

Jul 20, 2026 - 15:37
ଫ୍ଲପରୁ ଷ୍ଟାର

 

ଏଭଳି ଖୁବ କମ ଷ୍ଟାର ଅଛନ୍ତି ଯେଉଁମାନେ ହଲିଉଡର ଭଲଭଲ ପ୍ରୋଜେକ୍ଟରେ ସାମିଲ ହେବାର ସୁଯୋଗ ପାଇଛନ୍ତି । ତେବେ ମାଲାୟଲମ ଫିଲ୍ମର ଷ୍ଟାର ଫହଦ ଫାସିଲ ଏଭଳି ଏକ ସୁଯୋଗକୁ ନିଜେ ପ୍ରତ୍ୟାଖାନ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ହଲିଉଡର ଏତେ ବଡ ପ୍ରୋଜେକ୍ଟରେ ମନୋନୀତ ହୋଇ ସେ ଭାରତୀୟ ସିନେମାର ନାଁକୁ ବିଶ୍ବରେ ଚର୍ଚ୍ଚାକୁ ଆଣିଛନ୍ତି ।

ହଲିଉଡ୍ର ଓସ୍କାର ବିଜେତା ନିର୍ଦ୍ଦେଶକ ଆଲେଜାଣ୍ଡ୍ରୋ ଜି. ଇନାରିଟୁ ଓ ସୁପରଷ୍ଟାର୍ ଟମ୍ କ୍ରୁଜ୍ଙ୍କ ଆଗାମୀ ବହୁପ୍ରତୀକ୍ଷିତ ଡାର୍କ-କମେଡି ଫିଲ୍ମ ଡିଗର ଅକ୍ଟୋବର ୨, ୨୦୨୬ରେ ରିଲିଜ ହେବ । ତେବେ ଏହା ପୂର୍ବରୁ ଏହାର ଟ୍ରେଲର୍ ରିଲିଜ୍ ହୋଇଛି । ତେବେ ଟ୍ରେଲରକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ରୋମାଞ୍ଚକର ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକଙ୍କ ଅନୁମାନ ଅନୁଯାୟୀ, ଚଳଚ୍ଚିତ୍ରରେ ବ୍ରିଟିଶ୍ ଅଭିନେତା ରିଜ୍ ଅହମ୍ମଦ ଅଭିନୟ କରିଥିବା ଗୁରୁତ୍ୱପୂର୍ଣ୍ଣ ଚରିତ୍ର ପାଇଁ ପୂର୍ବରୁ ଭାରତୀୟ ସିନେମାର ବହୁମୁଖୀ ପ୍ରତିଭାସମ୍ପନ୍ନ ଅଭିନେତା ଫହଦ୍ଫାସିଲ୍ଙ୍କୁ ବିଚାର କରାଯାଉଥିଲା । ନିକଟରେ ଫହଦ୍ଫାସିଲ୍ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ସେ ପ୍ରକୃତରେ ଏହି ହଲିଉଡ୍ ପ୍ରୋଜେକ୍ଟ ପାଇଁ ଅଡିସନ୍ ଦେଇଥିଲେ । କିନ୍ତୁ ନିର୍ଦ୍ଦେଶକ ତାଙ୍କର ଇଂରାଜୀ ଉଚ୍ଚାରଣକୁ ନେଇ ସନ୍ତୁଷ୍ଟ ନଥିବାରୁ ତାଙ୍କୁ ପ୍ରାୟ ଚାରି ମାସ ବିନା କୌଣସି ପାରିଶ୍ରମିକରେ ଆମେରିକାରେ ରହି ପ୍ରସ୍ତୁତି କରିବାକୁ କୁହାଯାଇଥିଲା । କାମ ପ୍ରତି ଏଭଳି ସାଲିସ୍ କରିବାକୁ ସେ ପସନ୍ଦ କରିନଥିଲେ ତେଣୁ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ଫହାଦ୍ଙ୍କ ସଫଳତା ପଛରେ ଲୁଚି ରହିଛି ଏକ ସଂଘର୍ଷପୂର୍ଣ୍ଣ କାହାଣୀ । ତାଙ୍କ ବାସ୍ତବ ଜୀବନ ଅନେକ ଉତ୍ଥାନ-ପତନ ଦେଖିଛି । ୨୦୦୨ ମସିହାରେ ବାପା ଫାଜିଲ୍ଙ୍କ ନିର୍ଦ୍ଦେଶିତ ଡେବ୍ୟୁ ଫିଲ୍ମ କୟେଥମ ଦୋରାଥ ଅତି ଦୟନୀୟ ଭାବେ ଫ୍ଲପ୍ ହେବା ପରେ ସେ ପ୍ରଭାବଶାଳୀ ଭାବେ ସିନେମା ଜଗତରୁ ସାତ ବର୍ଷ ଦୂରେଇ ଯାଇଥିଲେ। ସେ ଏହି ସମୟରେ ଆମେରିକାରେ ଫିଲୋସୋଫିରେ ମାଷ୍ଟର୍ସ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ରେ ପ୍ରତ୍ୟାବର୍ତ୍ତନ କରି ନିଜର ଚମତ୍କାର ଅଭିନୟ ଶୈଳୀ ଓ ମନୋବଳ ବଳରେ ସେ କେବଳ ମାଲାୟାଲମ୍ ସିନେମାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାପରେ ପୁଷ୍ପାର ଭାନୱାର ସିଂ ଶେଖାୱତ ଚରିତ୍ର ଏବଂ ବ୍ଲକବଷ୍ଟର ହିଟ୍ ଅଭେସମ୍  ଜରିଆରେ ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯଦିଓ ରିଜ୍ ଅହମ୍ମଦ ହିଁ ଫହଦ୍ଙ୍କ ବଦଳରେ ସେହି ରୋଲ୍ କରିଛନ୍ତି କି ନାହିଁ ସେ ନେଇ ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ, ତଥାପି ଏହି ଚର୍ଚ୍ଚା ଫହଦ୍ଙ୍କ ଆନ୍ତର୍ଜାତୀୟ ସ୍ତରର ଲୋକପ୍ରିୟତାକୁ ବର୍ତ୍ତମାନ ଆହୁରି ଦ୍ବିଗୁଣିତ କରିଦେଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।