ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଷ୍ଟାଲ ଭ୍ୟାନ ଧକ୍କାରେ ୨ ବନ୍ଧୁଙ୍କ ମୃତ୍ୟୁ
ବଲାଙ୍ଗୀର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏପରି ଏକ ଦୁଃଖଦ ସଡ଼କ ଦୁର୍ଘଟଣା । ହୀରାପୁର ଛକ ନିକଟରେ ଏକ ଡାକ ପାର୍ସଲ ଭ୍ୟାନ ଏକ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଦୁଇ ଜଣ ଘନିଷ୍ଠ ବନ୍ଧୁଙ୍କର ଜୀବନ ଚାଲିଯାଇଛି।
ମୃତକଙ୍କୁ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ କର୍ଲାଖମନ ଗ୍ରାମର ସଞ୍ଜୟ ଦତ୍ତ ବାଗର୍ତ୍ତୀ ଏବଂ ଉଜ୍ଜ୍ୱଳ ଭୋଇ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଉଭୟ ଏକ ବାଇକରେ ଲୋଇସିଂହାରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ। ଏହି ସମୟରେ ଝାଡ଼ଖଣ୍ଡ ପଞ୍ଜିକୃତ ଏକ ପୋଷ୍ଟାଲ ପାର୍ସଲ ଭ୍ୟାନ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜଣେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ ଶବ ବ୍ୟବଚ୍ଛେଦକୁ ନେଇ ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ। ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ବର୍ତ୍ତମାନ ପୋଲିସ ଦୁର୍ଘଟଣା ଘଟାଇଥିବା ପାର୍ସଲ ଭ୍ୟାନର ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
