ପାକିସ୍ତାନରେ ଆଙ୍କର ରାବିଆ ଅହସାନଙ୍କୁ ଗୁଳି କରି ହତ୍ୟା; ସ୍ୱାମୀ ଅଟକ
ନନ୍ଦିଘୋଷବ୍ୟୁର: ପାକିସ୍ତାନର ରାୱଲପିଣ୍ଡିଠାରେ ଜଣେ ଜଣାଶୁଣା ସମ୍ବାଦିକା ତଥା ଟିଭି ଆଙ୍କର ରାବିଆ ଅହସାନଙ୍କୁ ତାଙ୍କ ନିଜ ଘର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଆଡିଆଲା ରୋଡ୍ ସ୍ଥିତ ବାସଭବନର ଶୋଇବା ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବେକ ତଳେ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଛି।
ଏହି ଘଟଣା ସମ୍ପର୍କରେ ରାୱଲପିଣ୍ଡି ସିଟି ପୋଲିସ ଅଫିସର ହସନ ମୁସ୍ତାକ ସୁଖେରା କହିଛନ୍ତି ଯେ ସନ୍ଦେହଜନକ ଭାବେ ତାଙ୍କ ସ୍ୱାମୀ ଅହସାନଙ୍କୁ ପୋଲିସ ହାଜତକୁ ନିଆଯାଇଛି ଏବଂ ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରାଯାଇଛି। ପଞ୍ଜାବ ଫୋରେନ୍ସିକ୍ ସାଇନ୍ସ ଏଜେନ୍ସିର ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି।
ରାବିଆ ’92 News’ ଚ୍ୟାନେଲରେ ଆଙ୍କର ଭାବେ କାର୍ଯ୍ୟ କରୁଥିବା ସହ ଓଭରସିଜ୍ ପାକିସ୍ତାନୀ ଫାଉଣ୍ଡେସନରେ ଗ୍ରେଡ୍-୧୮ ସରକାରୀ କର୍ମଚାରୀ ଥିଲେ। ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ତେବେ ରାବିଆଙ୍କ ସ୍ୱାମୀ ଦାବି କରିଛନ୍ତି ଯେ ବନ୍ଧୁକଟି ଅସାବଧାନତାବଶାତଃ ଫୁଟିଯାଇଥିଲା।
ବର୍ତ୍ତମାନ ଏହି ମାମଲାରେ ସ୍ବାଧୀନ ଏବଂ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନର ପ୍ରଥମ ମହିଳା ଅସିଫା ଭୁଟ୍ଟୋ-ଜରଦାରୀ ଏହି ହତ୍ୟାକାଣ୍ଡକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଘଟଣାର ସ୍ୱଚ୍ଛ ତଦନ୍ତ ପାଇଁ ଦାବି କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
