ପରଲୋକରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର
ପରଲୋକରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର। ୭୪ ବର୍ଷ ବୟସରେ ଅଶୋକ ମହାପାତ୍ରଙ୍କ ପରଲୋକ ହୋଇଛି। ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମସ୍ତିସ୍କ କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ଡାକ୍ତର ଅଶୋକ ମହାପାତ୍ର। ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କର ଅବଦାନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣି ଦେଇଥିଲା। ୧୯୫୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିବା ଡାକ୍ତର. ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ସେଠାରୁ ଏମ୍ବିବିଏସ ସମ୍ପୂର୍ଣ୍ଣ କରିବା ପରେ ଏମ୍ସ, ନୂଆଦିଲ୍ଲୀରୁ ନ୍ୟୁରୋ ସର୍ଜରିରେ ଏମ୍ଏସ୍ ଓ ଏମ୍ସିଏଚ୍ କରିଥିଲେ। ୧୯୮୩ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଏମ୍ସରେ ନ୍ୟୁରୋ ସର୍ଜରିର ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ଏମ୍ସରେ ପ୍ରାୟ ୪୨ ବର୍ଷ ଅତିବାହିତ କରିବା ପରେ ରିସର୍ଚ୍ଚ ଡିନ୍ ଭାବେ ଅବସର ଗ୍ରହଣ କରିଥିଲେ। ସେହିପରି ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ବର ଏମସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଡାକ୍ତର ମହାପାତ୍ର। ନିଜର କାର୍ଯ୍ୟକାଳ ଭିତରେ ସେ ୮୦ଟି ଗବେଷଣାପତ୍ର ପ୍ରକାଶ କରିଛନ୍ତି। ୧୨ରୁ ଅଧିକ ପିଏଚ୍ଡି ଛାତ୍ରଙ୍କୁ ମାର୍ଗଦର୍ଶନ କରିଥିଲେ। ୧୯୯୮-୨୦୦୮ ମସିହା ମଧ୍ୟରେ ଦେଶରେ ତୃତୀୟ ସର୍ବୋଚ୍ଚ ଚିକିତ୍ସା ପ୍ରକାଶନ ଓ ଏମ୍ସରେ ସର୍ବାଧିକ ସଂଖ୍ୟକ ପ୍ରକାଶନ ତାଙ୍କର ନାଁରେ ରହିଥିଲା। ନୂଆଦିଲ୍ଲୀ, ଏମ୍ସରେ ଥିବା ସମୟରେ ୨୦୧୭ ମସିହାରେ ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଜଟିଳ ଅସ୍ତ୍ରୋପଚାର ଜରିଆରେ ଅଲଗା କରିବାରେ ଡାକ୍ତର ମହାପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ୨୦୨୦ ମସିହା ଲିମକା ବୁକ୍ ଅପ୍ ରେକର୍ଡରେ ତାଙ୍କୁ ସ୍ଥାନ ମିଳିଥିଲା। ସେହିପରି ଡାକ୍ତର ମହାପାତ୍ର ଭୁବନେଶ୍ୱର ଏମସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ। ୨୦୧୨ ରୁ ୨୦୧୬ ଅବଧି ମଧ୍ୟରେ ଏମବିବିଏସ, ବିଏସସି ନର୍ସିଂ ଅନର୍ସ, ପିଜି ଓ ଡିଏମ୍, ଏମଚିଏଚ୍ ଆରମ୍ଭ କରାଯାଇଥିଲା। ୨୦୧୫ ମସିହାରେ ଏମ୍ସ ଭୁବନେଶ୍ୱରରେ ବିଏସ୍ସି ଅନର୍ସ ମେଡିକାଲ ଟେକ୍ନୋଲୋଜି ମଧ୍ୟ ଆରମ୍ଭ ହୋଇଥିଲେ। ଦେଶରେ ଶିଶୁରୋଗ ନ୍ୟୁରୋ ସର୍ଜରି, ନ୍ୟୁରୋ ଟ୍ରମା ଓ ସ୍କଲ୍ ବେସ ସର୍ଜନ ସୋସାଇଟି ଓ ପେରିଫେରାଲ ନର୍ଭ ସର୍ଜରୀ ବିକାଶରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଥିଲା। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅସାଧାରଣ ସଫଳତା ପାଇଁ କେନ୍ଦ୍ର ସରକାର ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ। ମେଡିକାଲ ବିଜ୍ଞାନ, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଡାକ୍ତର ମହାପାତ୍ରଙ୍କ ଅବଦାନ ବେଶ ଅତୁଳନୀୟ ବୋଲି କହିଛନ୍ତି ମାନସ ମଙ୍ଗରାଜ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
