ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ହତ୍ୟା; ସ୍ୱାମୀକୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ସନ୍ଦେହରୁ ସୃଷ୍ଟି ହୋଇଥିବା ପାରିବାରିକ କଳହର ଭୟାବହ ପରିଣତି ଦେଖିବାକୁ ମିଳିଛି। ସ୍ତ୍ରୀଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣେ ୨୪ ବର୍ଷୀୟ ଯୁବକକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ। ଏଥିସହ ତାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। କରକରଡୁମା କୋର୍ଟର ପ୍ରମୁଖ ଜିଲ୍ଲା ଓ ଦୌରାଜଜ୍ ପୱନ କୁମାର ମଟ୍ଟୋ ନଭେମ୍ବର ୧୯ ତାରିଖରେ ଅଭିଯୁକ୍ତ ଅମନକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଦମ୍ପତିଙ୍କ ଅଢ଼େଇ ବର୍ଷର ନାବାଳିକା ଝିଅକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଶାହଦରା ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସର ସୂଚନା ଅନୁସାରେ, ୨୦୨୫ ଫେବ୍ରୁଆରି ୨୫ ତାରିଖରେ ଅମନ ନିଜେ ହର୍ଷ ବିହାର ଥାନାରେ ପହଞ୍ଚି ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଡ୍ୟୁଟି ଅଫିସରଙ୍କୁ ଜଣାଇଥିଲା। ଏହାପରେ ନନ୍ଦ ନଗରୀ ଥାନାର ପୁଲିସ ତାକୁ ହେପାଜତକୁ ନେଇ ଘରେ ପହଞ୍ଚିଥିଲା। ସେଠାରେ ତା’ ସ୍ତ୍ରୀର ମୃତଦେହ ମିଳିଥିଲା। ତାଙ୍କୁ ଜିଟିବି ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅମନ ଓ ତା’ ସ୍ତ୍ରୀଙ୍କ ବିବାହ ୨୦୨୩ ନଭେମ୍ବରରେ ହୋଇଥିଲା। ଉଭୟଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ସ୍ତ୍ରୀର ପରକୀୟା ସମ୍ପର୍କ ଥିବା ସନ୍ଦେହ କରି ଅମନ ରାଗରେ ୨୦୨୫ ଫେବ୍ରୁଆରି ୨୫ ତାରିଖ ଅପରାହ୍ଣ ପ୍ରାୟ ୨ଟାରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ପୁଲିସ ବୈଜ୍ଞାନିକ, ଫରେନସିକ୍ ଓ ଡାକ୍ତରୀ ପ୍ରମାଣ ସଂଗ୍ରହ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା। ୨୦୨୬ ଅକ୍ଟୋବର ୨୭ରେ ଅମନ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ସରକାରୀ ପକ୍ଷ ଦାବି କରିଥିଲେ ମଧ୍ୟ ଅଦାଲତ ଏହାକୁ ବିରଳରୁ ବିରଳତମ ମାମଲା ବୋଲି ବିବେଚନା କରିନଥିଲେ। ଅଭିଯୁକ୍ତକ କମ୍ ବୟସ ଓ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା ବିଚାରକୁ ନେଇ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
