ଦିନ ଗଡୁଛି, ଭିଡ଼ ବଢୁଛି… ବାଲିଯାତ୍ରାରେ ଜମୁଛି ଜନସମାଗମ
କଟକ: ଆବର୍ଜନାରୁ ସୁନ୍ଦର ସୃଷ୍ଚି । ତେନ୍ତୁଳି ମଞ୍ଜିରୁ ପ୍ରସ୍ତୁତ ଅଠା, ପ୍ଲାଷ୍ଟର ଓ ଅଦରକାରୀ କାଗଜକୁ ନେଇ ତିଆରି ହେଉଛି ସୁନ୍ଦର ମୁଖା । କଟକ ବାଲିଯାତ୍ରାରେ ଯୁବପୀଢ଼ିଙ୍କ ମନ ମୋହୁଛି ଓରମାସ ଭିତରେ ଥିବା ମୁଖା ଶିଳ୍ପ ପ୍ରଦର୍ଶନୀ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପରିଚାଳିତ ଏହି ଷ୍ଟଲରେ ମୁଖା ଶିଳ୍ପ ସାଙ୍ଗକୁ ରହିଛି ଶ୍ରୀ ଜଗନ୍ନାଥଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ପଟ୍ଟଚିତ୍ର । ଏହା ବ୍ୟତୀତ ପଥର କାମ, ମୂତ୍ତି ତିଆରି କାମ ଲୋକଙ୍କୁ ଆକର୍ଷିତ କରୁଛି । ପୁରୀ ଜିଲ୍ଲା ଅଞ୍ଚଳରୁ ଆସିଥିବା ବ୍ୟବସାୟୀ ମାନଙ୍କ ଏହି କଳା ଲୋକଙ୍କ ମନ ମହୁଛି । ଓରମାସ୍ ପଲ୍ଲିଶ୍ରୀ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିଛି ଟେରାକୋଟାରେ ପ୍ରସ୍ତୁତ ରାମାୟଣର ବିଜୟ ସ୍ତମ୍ଭ । ଏହି ବିଜୟ ସ୍ତମ୍ଭର ଦାମ୍ ରହିଛି ଅଢ଼େଇ ଲକ୍ଷ ଟଙ୍କା । ୭ଫୁଟ୍ ଉଚ୍ଚର ଏହି ବିଜୟ ସ୍ତମ୍ଭରେ ରହିଛି ୧୦୮ଟି ଦୀପ । ଏହାକୁ ନିର୍ମାଣ କରିଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇର ସରୋଜ କୁମାର ରାଉତ । ପ୍ରତିଦିନ ସଂଧ୍ୟାରେ ଜମୁଛି ସାଂସ୍କୃତିକ କାର୍ଯ୍ଯକ୍ରମ । ନିଜ ସୁମଧୁର କଣ୍ଠସ୍ୱରରେ କଟକ ବାଲିଯାତ୍ରା ମଞ୍ଚରେ ଧମାଲ୍ କରିଛନ୍ତି ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ପାପନ୍ । ସେପଟେ ବାଲିଯାତ୍ରା ପ୍ରତି ଲୋକଙ୍କ ଆକର୍ଷଣକୁ ଦେଖି ଏହାକୁ ଆଉ ଦୁଇଦିନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଟକ ମେୟର ।
ଭିଡ଼ ଜମିବା ସହ ବାଲିଯାତ୍ରାକୁ ନେଇ ବିବାଦ ମଧ୍ଯ ବଢ଼ିଛି । ବାଲିଯାତ୍ରାକୁ ବ୍ୟବସାୟ ପାଇଁ ଆସିଥିବା ଶହ ଶହ ଛୋଟ ବଡ ବ୍ୟବସାୟୀ ଆଜି ପଡିଆରେ ଲାଗିଥିବା ଭିଆଇପିଙ୍କ ପାଇଁ ଲଗାଯାଇଥିବା ବାରିକେଟ୍ ହଟାଇବା ଦାବିରେ ଆନ୍ଦୋଳନ କରିଛନ୍ତି । ନୌକାଗେଟ୍ ସମ୍ମୁଖ ଦୁଇପଟେ ବ୍ୟବସାୟୀଙ୍କ ରାସ୍ତାରୋକ ଯୋଗୁ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେପଟେ ସାଂସ୍କୃତିକ ଦଳ ଚୟନରେ ଅନିୟମିତତା ହୋଇଥିବା ନେଇ ଆସିଛି ଅଭିଯୋଗ । କଳାକାର ଚୟନରେ ଅନିୟମିତତା ସହ କଟକର ବରିଷ୍ଠ କଳାକାର ଓ ପୁରୁଖା ନୃତ୍ୟାନୁଷ୍ଠାନକୁ ଅଣଦେଖା କରାଯାଇଥିବା ଅଭିଯୋଗ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ଦୁଇ ଦୁଇଥର RTI ତଥ୍ୟ ମଗାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିନଥିବା କହିଛନ୍ତି ସୂର ମନ୍ଦିର ନୃତ୍ୟ ଏକାଡ଼େମୀର ନିର୍ଦ୍ଦେଶିକା ।
ଯାତ୍ରା ଦିନ ଯେତେ ଗଡୁଛି ଲୋକଙ୍କ ଭିଡ଼ କିନ୍ତୁ ସେତିକି ବଢିବାରେ ଲାଗିଛି । ମହାନଦୀର ଦୁଇଟି ପଡ଼ିଆରେ ଚାଲିଥିବା ଏହି ବିଶାଳ ମେଳାକୁ ଉପଭୋଗ କରୁଛନ୍ତି ରାଜ୍ଯ ଓ ରାଜ୍ଯ ବାହାର ଲୋକେ । ଚଳିତବର୍ଷ ବ୍ଯବସାୟ ମଧ୍ଯ ଭଲ ଚାଲିଥିବା କହିଛନ୍ତି ବ୍ୟବସାୟୀ ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
