ବାଟ ହୁଡ଼ିଛି ବିକାଶ
ମାଲକାନଗିରି : ବାଟ ହୁଡ଼ିଛି ବିକାଶ । ମାଲକାନଗିରି ଜିଲ୍ଲା ଲକ୍ଷ୍ମଣପୁର, ସିନ୍ଧିଭଟା, ଜାମଗୁଡ଼ା ଓ ସୁଲିପାନି ଗାଁରେ ପଡିନି ବିକାଶର ପଦଚିହ୍ନ। ଆଜି ବି ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ ଏବଂ ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ ୬୦ରୁ ଊର୍ଦ୍ଧ୍ୱ ପରିବାର । ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ଏହି ଗାଁ ଗୁଡ଼ିକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼େ ଦୁଇଟି ପାହାଡ଼। ପ୍ରାୟ ୨ କିଲୋମିଟର ପଥରିଆ ଓ ପାହାଡ଼ିଆ ରାସ୍ତା ହିଁ ଏକମାତ୍ର ଯାତାୟାତର ମାଧ୍ୟମ । ପକ୍କା ରାସ୍ତା, ବିଜୁଳି, ପିଇବା ପାଣିର ବ୍ୟବସ୍ଥା ନାହିଁ। ଶୋଷ ମେଣ୍ଟାଉଛି ଝରଣା ଓ ଚୁଆ ପାଣି । ଧାନ ଚାଷ ଓ ଜଙ୍ଗଲଜାତ ଖାଦ୍ୟ ସଂଗ୍ରହ କରି ଜୀବନ ବିତାଉଛନ୍ତି ଏହି ନିରୀହ ଆଦିବାସୀ ପରିବାର।
ସେପଟେ ଅନ୍ଧାରରେ କୁନି କୁନି ପିଲାଙ୍କ ଭବିଷ୍ୟତ। ଯେଉଁ ବୟସରେ ପିଲାଙ୍କ ହାତରେ ବହି ଓ ଖାତା ରହିବା କଥା, ସେହି ବୟସରେ ଏମାନଙ୍କ ଜୀବନ ଅଟକି ରହିଛି ପାହାଡ଼ ଓ ଜଙ୍ଗଲ ଭିତରେ। ନା ଅଛି ଆଧାର କାର୍ଡ, ନା ଜନ୍ମ ପ୍ରମାଣପତ୍ର। ଜନ୍ମ ପ୍ରମାଣପତ୍ର ନଥିବାରୁ ସ୍କୁଲରେ ନାମ ଲେଖାଇବାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। କେବଳ ଶିକ୍ଷା ନୁହେଁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏମାନଙ୍କ ଦୁର୍ଦ୍ଦଶା କିଛି କମ୍ ନୁହେଁ। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ତ ଦୂରର କଥା, ରୋଗୀଙ୍କୁ ଖଟିଆରେ ବୋହି ପାହାଡ଼ିଆ ରାସ୍ତା ଦେଇ ତଳକୁ ଆଣିବାକୁ ପଡ଼ିଥାଏ। ସମସ୍ୟା ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
