ତେଲେଙ୍ଗାନାରେ ୯ ଓଡ଼ିଆ ଦାଦନ ଶ୍ରମିକ ଫସିଛନ୍ତି, ୫ ଦିନ ହେଲା ଭୋକ ଉପାସ; ଉଦ୍ଧାର ପାଇଁ ଗୁହାରି
ନନ୍ଦିଘୋଷ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖର ସାଂଘାତିକ ଚିତ୍ର। ତେଲେଙ୍ଗାନାରେ ଫସି ରହିଥିବା ୯ ଜଣ ଓଡ଼ିଆ ଦାଦନ ଶ୍ରମିକ ଗତ ୫ ଦିନ ହେଲା ଭୋକ ଉପାସରେ ଥିବା ଅଭିଯୋଗ ହୋଇଛି। ପାଖରେ ଟଙ୍କା ନଥିବାରୁ ସେମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି। ସୂଚନା ଅନୁସାରେ, ଗଜପତି ଜିଲ୍ଲାର ୯ ଜଣ ଶ୍ରମିକ ପ୍ରାୟ ୩ ମାସ ପୂର୍ବରୁ ପରିବାର ପୋଷଣ ପାଇଁ ତେଲେଙ୍ଗାନାର ସିତେନପେଟ୍କୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ରହି କୋଠା ନିର୍ମାଣ କାମ କରୁଥିଲେ। ତେବେ ୩ ମାସ ଧରି କାମ କରିବା ପରେ ମଧ୍ୟ ମଜୁରୀ ମିଳିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ମଜୁରୀ ମାଗିଲେ ଠିକାଦାର ଧମକ ଦେବା ସହ ବନ୍ଦୀ କରି ରଖିବାକୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଜୀବନ ପ୍ରତି ଭୟ ଥିବା ଦର୍ଶାଇ ଶ୍ରମିକମାନେ ଏକ ଭିଡିଓ ଜାରି କରି ସରକାରଙ୍କୁ ସହାୟତା ମାଗିଛନ୍ତି।
ତେବେ ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ଶ୍ରମିକ କୌଶଳକ୍ରମେ ସେଠାରୁ ଖସି ଆସି ଗଜପତି ଜିଲ୍ଲାର ଚନ୍ଦ୍ରଗିରିରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେମାନେ ତେଲେଙ୍ଗାନାରେ ଭୋଗିଥିବା ଦୁଃଖ ଓ ଯନ୍ତ୍ରଣା ସମ୍ପର୍କରେ କହିଛନ୍ତି। ବର୍ତ୍ତମାନ ଅନ୍ୟ ୭ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ଓ ବକେୟା ମଜୁରୀ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
