“ଅଭିନେତା ଭାବେ ଏହା ମୋର ଶେଷ ଦଶନ୍ଧି”: ରଣବୀର କପୁର
ନନ୍ଦିଘୋଷ ବ୍ୟୁରୋ: ରିଲ୍ ହେଉ କି ରିୟଲ ଲାଇଫ ସବୁବେଳେ ଚର୍ଚ୍ଚାରେ ବଲିଉଡ଼ ସୁପରଷ୍ଟାର ରଣବୀର କପୁର । ନିଜର ଦମଦାର ଅଭିନୟରେ ଦର୍ଶକଙ୍କୁ ବଡ଼ ପରଦାରେ ବାନ୍ଧି ରଖିଥାଆନ୍ତି ଏହି ଅଭିନେତା । ଅନେକ ବଲିଉଡ଼ ଫିଲ୍ମରେ ନଜର ଆସିଥିବା ରଣବୀର ଏବେ ଅଭିନୟରୁ ବ୍ରେକ୍ ନେବାକୁ ଯାଉଛନ୍ତି। ଏନେଇ ନିଜେ କହିଛନ୍ତି ରଣବୀର ।
ବଲିଉଡ଼ରେ ଅଭିନୟ ପରେ ଏବେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବା ନେଇ ଚିନ୍ତା କରୁଛନ୍ତି ରଣବୀର । ବର୍ତ୍ତମାନ ସେ ନିତେଶ ତିୱାରୀଙ୍କ ‘ରାମାୟଣ: ପାର୍ଟ ୧’ରେ ଭଗବାନ ରାମଙ୍କ ଭୂମିକାରେ ନଜର ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ, ରଣବୀର କପୁର ନିକଟ ଭବିଷ୍ୟତରେ ନିର୍ଦ୍ଦେଶନା ଜଗତରେ ପାଦ ଦେବା ନେଇ ଚିନ୍ତା କରୁଥିବା କହିଥିଲେ । ଯଦିଓ ସେ ତାଙ୍କର ପ୍ରଥମ ଫିଲ୍ମକୁ ନେଇ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ତାଙ୍କ ନିକଟରେ ଥିବା ସମସ୍ତ ପ୍ରୋଜେକ୍ଟ ଶେଷ ହେବା ପରେ ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ସେ କହିଛନ୍ତି ।
ଏନେଇ ରଣବୀର କହିଥିଲେ, “ସେ କିଛି ମାସ ପୂର୍ବରୁ ଏକ ସ୍କ୍ରିପ୍ଟ ଉପରେ କାମ କରିବା ଆରମ୍ଭ କରିଥିଲେ, କିନ୍ତୁ ଅଭିଜ୍ଞତା ତାଙ୍କ ଆଶାଠାରୁ ଅଧିକ ଚ୍ୟାଲେଞ୍ଜିଂ ଥିଲା। ମୋର ଲେଖକ ଓ ସ୍ରଷ୍ଟାଙ୍କ ପ୍ରତି ବହୁତ ସମ୍ମାନ ଅଛି। ଆପଣ ଜିନିଷକୁ କିଭଳି ଭାବେ ବାଖ୍ୟା କରୁଛନ୍ତି ତାହା ରୋମାଞ୍ଚକର ଅଟେ । ମୁଁ ବିଶ୍ୱାସ କରେ, ଜଣେ ସଂଗୀତଜ୍ଞଙ୍କ ପରେ, ଯଦି କେହି ନିଜ କାମରୁ ଖୁସି ପାଆନ୍ତି ସେ ହେଉଛନ୍ତି ନିର୍ଦ୍ଦେଶକ।“ ସେ ଆଉ ମଧ୍ୟ କହିଥିଲେ, “ମୁଁ ବର୍ଷକୁ କେବଳ ୧୦୦-୧୨୫ ଦିନ କାମ କରେ । ମୋ ପାଖରେ କାହାଣୀ ଲେଖିବା ପାଇଁ ପ୍ରଚୁର ସମୟ ଅଛି। ଏପର୍ଯ୍ୟନ୍ତ, ଗୋଟିଏ ଫିଲ୍ମ ସମାପ୍ତ ହେବା ମାତ୍ରେ ମୁଁ ଅନ୍ୟ ଏକ ଫିଲ୍ମରେ କାମ କରିବା ଆରମ୍ଭ କରୁଥିଲି। କିନ୍ତୁ ମୁଁ ଭାବୁଛି ଏହା ଜଣେ ଅଭିନେତା ଭାବରେ ମୋର ଶେଷ ଦଶନ୍ଧି।”
“ରାମାୟଣ: ପାର୍ଟ ୧” ପରେ ରଣବୀର “ଲଭ୍ ଆଣ୍ଡ୍ ୱାର୍” ରେ ନଜର ଆସିବେ। ସଞ୍ଜୟ ଲୀଲା ବଂଶାଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ଭିକି କୌଶଲ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ୨୧ ଜାନୁୟାରୀ ୨୦୨୭ରେ ରିଲିଜ ହେବ। ଏହା ପରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ “ଆନିମଲ୍ ପାର୍କ” ଓ ୨୦୨୮ ପାଇଁ “ରାମାୟଣ: ପାର୍ଟ ୨” ମଧ୍ୟ ତାଙ୍କ ପ୍ରୋଜକ୍ଟରେ ସାମିଲ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
