ତେଲେଙ୍ଗାନାରେ ଗଛକୁ ପିଟି ଓଲଟିଲା ସେନା ଗାଡ଼ି; ୭ ଯବାନ ଆହତ, ୨ ଗୁରୁତର
ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣ ସେନା ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି। ତାଲିମ ଅଭ୍ୟାସରେ ଯାଉଥିବା ସମୟରେ ସେନାର ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଏକ ଗଛରେ ଧକ୍କା ହୋଇଥିଲା। ସୂଚନା ଅନୁଯାୟୀ, ହାଇଦ୍ରାବାଦର ଗୋଲକୋଣ୍ଡା ଆର୍ମି କ୍ୟାମ୍ପରୁ ସେନାର ଯବାନମାନେ ଏକ ତାଲିମ ଅଭ୍ୟାସରେ ଶାବାଦ ସହରକୁ ଯାଉଥିଲେ। ଏହି ସମୟରେ ରଙ୍ଗାରେଡ୍ଡୀ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଗାଡ଼ିଟିକୁ ଜଣେ ପ୍ରଶିକ୍ଷକ ଚଳାଉଥିଲେ। ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ଏକାଧିକ ଥର ଓଲଟି ପଡ଼ିବା ପରେ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ହୋଇ ଅଟକି ଯାଇଥିଲା।ଦୁର୍ଘଟଣା ପରେ ଆହତ ୭ ଜଣ ଯବାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଗୋଲକୋଣ୍ଡା ସ୍ଥିତ ଆର୍ମି ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
