ଜେଲ୍ DG ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ! ମାମଲା ରୁଜୁ ପରେ ଗୃହ ବିଭାଗକୁ ବଦଳି
ନନ୍ଦିଘୋଷ ବିୁରୋ: ଜେଲ ଡିଜି ଦେଉଥିଲେ ଯୌନ ନିର୍ଯାତନା ! ପୂର୍ବତନ ଜେଲର ଆଣିଲେ ସାଙ୍ଘାତିକ ଅଭିଯୋଗ। ମାମଲା ରୁଜୁ ପରେ ବଢ଼ିଲା ସୁଶାନ୍ତଙ୍କ ଅଡ଼ୁଆ । ଗୃହ ବିଭାଗ ଓଏସଡି ଭାବେ ବଦଳି କଲେ ସରକାର । ଓଡ଼ିଶା ଜେଲ୍ ବିଭାଗର ତତ୍କାଳୀନ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ତାଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗ ଆଣିଛନ୍ତି । ଏ ନେଇ ଅକ୍ଟୋବର ୩୧ ତାରିଖରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ଡିଜିଙ୍କ ବନ୍ଧୁ ବୋଲି ପରିଚୟ ଦେଇ କୁଲଦୀପ ରଥ ଜେଲ୍ ପରିଦର୍ଶନ ସମୟରେ ସନ୍ତୋଷିନୀଙ୍କ ମୋବାଇଲ୍ ନମ୍ବର ନେଇଥିଲେ। ପରେ ତାଙ୍କୁ ମେସେଜ ପଠାଇବା ସହ ହୋଟେଲ୍ରେ ଏକାକୀ ଭୋଜନ ପାଇଁ ନିମନ୍ତ୍ରଣ ଦେଇଥିଲେ । ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମାମଲା ରୁଜୁ ହେବା ପରେ ତୁରନ୍ତ ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି ।
ସନ୍ତୋସିନୀଙ୍କ ଅଭିଯୋଗ ମୁତାବକ ତାଙ୍କୁ ଚାକିରିରୁ ବହିଷ୍କାର ଓ ଶାରୀରିକ କ୍ଷତି ପହଞ୍ଚାଇବାର ଧମକ ମିଳିଥିବା ସେ ଏତଲାରେ ଦର୍ଶାଇଛନ୍ତି । ଏଥିସହ ନିଲମ୍ବନ, ଦରମା ଓ ଭତ୍ତା ବନ୍ଦ ଏବଂ ପାଞ୍ଚଟି ବିଭାଗୀୟ ତଦନ୍ତକୁ ମଧ୍ୟ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ କେସ୍ ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି। BNSର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇନ୍ସପେକ୍ଟର ବିକାଶ ସେଠୀ ଏହି ମାମଲାର ତଦନ୍ତ କରୁଛନ୍ତି। ଗତ କିଛିମାସ ଧରି ବିବାଦରେ ରହିଥିଲା ଜେଲ ବିଭାଗ । ସେପଟେ ଓଡିଶା ଜେଲ ସୁରକ୍ଷାକୁ ନେଇ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିବା ସହ ଆସନ୍ତା ୩ ତାରିଖରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ତତ୍କାଳୀନ ଜେଲ ଡିଜି ହାଜର ପାଇଁ କମିଟି ନୋଟିସ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
