ଗଣେଶ ପୂଜାରେ ହିଞ୍ଜିଳିକାଟୁରେ ଚାଲିଗଲା ୩ ଜୀବନ, ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ : ଗଣେଶ ପୂଜାରେ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦୁଇଟି ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ତଥା ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ସେ। ଗଣେଶ ପୂଜାର ପୂର୍ବଦିନ ହିଞ୍ଜିଳିକାଟୁରୁ ପୁରୁଷୋତ୍ତମପୁରକୁ ଗଣେଶ ମୂର୍ତ୍ତି ଆଣିବା ପାଇଁ ଯାଉଥିବା ବେଳେ ଏକ ଡାଲା ଅଟୋ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଫୁଲ ବ୍ୟବସାୟୀ କାଳିଆ ମୁନିଙ୍କ ପୁଅ ବାଦଲ ମୁନିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକ ଆଦର୍ଶ ସାହୁ ଓ ପ୍ରୀତମ୍ ସାମେଲିଙ୍କ ମୃତ୍ୟୁ ଘଟିଥିଲା।
ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି। ଏହାସହ ପ୍ରତ୍ୟେକ ପରିବାରକୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ବିଜେଡି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ପ୍ରତିନିଧି ଦଳରେ ବିଜେଡି ମହିଳା ସାଧାରଣ ସମ୍ପାଦକ ରଂଜିତା ସାହୁ, ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ନଗର ବିଜେଡି ସଭାପତି ହୃଦାନନ୍ଦ ମହାପାତ୍ର, ପୌରାଞ୍ଚଳ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ବିଧାୟକ ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, କାଉନସିଲର ବିଭୁ ପ୍ରସାଦ ପଣ୍ଡା ଓ ଶ୍ୟାମଘନ ବେହେରାଙ୍କ ସମେତ ବରିଷ୍ଠ ନେତା ଓ ଛାତ୍ରନେତାମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
