ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ , ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ କ୍ଷତିପୂରଣ

Nov 23, 2026 - 11:40
ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ , ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ କ୍ଷତିପୂରଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଆଜି ସକାଳ ୯ଟା ବେଳେ ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓ ଏବଂ ରାଜସ୍ବମନ୍ତ୍ରୀ  ସୁରେଶ ପୂଜାରୀଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । ବିପନ୍ନଙ୍କ ସହିତ ମୁହାଁମୁହିଁ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ ପୁରୁଷୋତ୍ତମପୁର ଓ ଛତ୍ରପୁରରେ ଫସଲ କ୍ଷତି ଦେଖିବା ସହ ପୁନରୁଦ୍ଧାର ଓ ସହାୟତା ପ୍ୟାକେଜ୍ ର ସମୀକ୍ଷା କରିବେ । 
 
ଲଗାତାର ଦୁଇଟି ବାତ୍ୟା ଅର୍ଣ୍ଣବ ଓ ଅକଭାନ ପ୍ରଭାବରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଞ୍ଜାମ ଜିଲ୍ଲା । ରଙ୍ଗେଇଲୁଣ୍ଡାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସଡ଼କପଥରେ ପୁରୁଷୋତ୍ତମପୁର ବ୍ଲକର ହଣ୍ଡିଘର ଗାଁ ଅଭିମୁଖେ ଯାତ୍ରା କରିବେ। କ୍ଷତିଗ୍ରସ୍ତ ଫସଲ ଅନୁଧ୍ୟାନ କରିବା ସହ ଚାଷୀଙ୍କ ସମସ୍ୟା ବୁଝିବେ । ଛତ୍ରପୁର ବ୍ଲକର ବଉଳଗାଁରେ ପହଞ୍ଚି ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । 
 
ଋଷିକୁଲ୍ୟା ଓ ବଡ଼ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଆସିକାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିଲା । ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେବା ସହ ଅନେକ ଘରେ ପାଣି ପଶିଥିଲା । ଯାନବାହନ ପାଣିରେ ବୁଡ଼ି ରହିଥିବା ବେଳେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । 
 
ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ପରିବାର ଓ ଚାଷୀମାନଙ୍କ ପାଇଁ ନିମ୍ନଲିଖିତ ସହାୟତା ରାଶି ଘୋଷଣା କରାଯାଇଛି:
ପ୍ରତ୍ୟେକ ବନ୍ୟା ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଏବଂ ୨,୫୦୦ ଟଙ୍କାର ନଗଦ ସହାୟତା ପ୍ରଦାନ କରାଯାଉଛି । ସେହିପରି, ୩୩% ରୁ ଅଧିକ ଫସଲ କ୍ଷତି ହୋଇଥିଲେ -
• ଅଣଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା।
• ଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା।
• ଆମ୍ବ ଓ କାଜୁ ଭଳି ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା।
• ଚାଷ ଜମିରୁ ବାଲି ଓ ପଟୁ ମାଟି କାଢ଼ିବା ପାଇଁ ଚାଷୀଙ୍କୁ ୧୮,୦୦୦ ଟଙ୍କା ଲେଖାଏଁ ସହାୟତା ଏବଂ ମାଗଣାରେ ମିନିକିଟ୍ ଯୋଗାଇ ଦିଆଯିବ ।
 
ଏହାସହ ସମତଳ ଅଞ୍ଚଳରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ପାହାଡ଼ିଆ ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା ଓ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଦିଆଯିବ । 
 
ଅନ୍ୟପଟେ,ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା କିଣିବାପାଇଁ ୨୨,୫୦୦ ଟଙ୍କା ଓ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ଯୋଗାଇଦେବେ ରାଜ୍ୟସରକାର । ହସ୍ତଶିଳ୍ପ ଓ ବୁଣାକାରମାନଙ୍କୁ ଉପକରଣ ଓ କଞ୍ଚାମାଲ କ୍ଷତି ବାବଦକୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା ମଧ୍ୟ ଯୋଗାଇ ଦିଆଯିବ ।
 
ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ରିପୋର୍ଟ ପ୍ରସ୍ତୁତ ହେଉଥିବା ବେଳେ, ସାମାନ୍ୟରୁ ଅଧିକ କ୍ଷତି ସହିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍‌ଶୀଘ୍ର ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)